Latest Odisha News

‘ମୁଁ ମଧ୍ୟ ନିଜ ଆଖିକୁ ଦାନ କରିବାକୁ ପ୍ରସ୍ତୁତ’

ଭୁବନେଶ୍ୱର: ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ୧୪ ତମ ଚକ୍ଷୁ ବ୍ୟାଙ୍କ୍ ଓ ସ୍ୱଚ୍ଛ ପଟଳ ସମ୍ବନ୍ଧୀୟ ଜାତୀୟ ସମ୍ମିଳନୀ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦାନ କରି କହିଥିଲେ ଯେ, ଅଙ୍ଗଦାନ କରି ଯେପରି ଜଣେ ବ୍ୟକ୍ତିକୁ ଆମେ ଜୀବନ ଦାନ ଦେଇପାରିବା ସେହିପରି ଚକ୍ଷୁଦାନ କରି ଆମେ ଜଣେ ବ୍ୟକ୍ତିକୁ ନିଜ ଆଖିରେ ଦୁନିଆ ଦେଖେଇପାରିବା । ଅନୁରୂପଭାବେ, ମୁଁ ମଧ୍ୟ ନିଜ ଆଖିକୁ ଦାନ କରିବାକୁ ପ୍ରସ୍ତୁତ ।

ଭାରତରେ ବାସ କରୁଥିବା ଜନସଂଖ୍ୟାର ୧ ପ୍ରତିଶତ ଦୃଷ୍ଟିହୀନ ଥିବାବେଳେ ଚକ୍ଷୁ ଦାନ ଓ ପ୍ରତିରୋପଣ ଦ୍ଵାରା ଆମେ ପରସ୍ପରକୁ ସାହାଯ୍ୟ କରିପାରିବା ଓ ସେମାନଙ୍କୁ ନିଜ ଆଖିରେ ଦୁନିଆ ଦେଖେଇ ପାରିବା। ଜୀବନରେ ଏହାଠାରୁ ବଡ ଉପଲବ୍ଧି ଆଉ କିଛି ହେଇ ନ ପାରେ ।

ଓଡ଼ିଶାରେ ‘ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ୍’ ୨୦୦୭ ମସିହାରେ ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଦ୍ଵାରା ଖୋଲାଯାଇଥିଲା । ଯାହା ଆଜି ଦେଶର ପ୍ରମୁଖ ୧୦ ଚକ୍ଷୁ ବ୍ୟାଙ୍କ୍ ଭିତରେ ସ୍ଥାନିତ ହୋଇପାରିଛି ଏବଂ ବର୍ଷକୁ ୧୫୦୦ରୁ ଉର୍ଦ୍ଧ୍ବ ଦାନ ଚକ୍ଷୁକୁ ସଂଗୃହିତ କରୁଛି । ଓଡ଼ିଶା ସରକାର ମଧ୍ୟ ଏହି ମହନୀୟ ପ୍ରୟାସକୁ ସହଯୋଗ କରି ସବୁ ଜିଲ୍ଲାସ୍ତରୀୟ ମେଡ଼ିକାଲ ଗୁଡ଼ିକରେ ଚକ୍ଷୁ ଦାନ ପାଇଁ ସହଜ ଓ ସରଳ ପ୍ରାବଧାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କୁ ଚକ୍ଷୁ ଦାନ ଭଳି ମହତ୍ କାର୍ଯ୍ୟରେ ନିଜକୁ ଅଂଶୀଦାର ହେବା ପାଇଁ ଆହ୍ବାନ ଦେଇଥିଲେ ।

Comments are closed.