Latest Odisha News

BREAKING NEWS

Captain Smit Machchhar: ହିରୋ ପାଇଲଟ୍‌ଙ୍କ ସହ ଫୋନ୍‌ରେ କଥା ହେଲେ ପିଏମ୍ ମୋଦୀ, ମଚ୍ଛାର ବଖାଣିଲେ କେମିତି ମରଣକୁ ତିଳେ ହେଲେ କରିନଥିଲେ ଖାତିର…

ନୂଆଦିଲ୍ଲୀ: ଜୀବନ ଓ ମୃତ୍ୟୁର ଲଢ଼େଇ ଭିତରେ ବିମାନରେ ଥିବା ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍‌ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର UAEର ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ସ୍ମିତଙ୍କ ସହ ଭିଡିଓ କଲ୍‌ରେ କଥା ହୋଇ ତାଙ୍କ ସାହସ, ଧୈର୍ଯ୍ୟ ଓ ଉପସ୍ଥିତ ବୁଦ୍ଧିର ପ୍ରଶଂସା କରିଛନ୍ତି ମୋଦୀ।

ବିମାନ ଭିତରେ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ମଧ୍ୟ ସ୍ମିତ ହାର ମାନିନଥିଲେ। ସଙ୍କଟ ସମୟରେ ଯଦି ସେ ସାହସ ଦେଖାଇନଥାନ୍ତେ, ତେବେ ବିମାନରେ ଥିବା ପ୍ରାୟ ୧୭୦ରୁ ଅଧିକ ଲୋକଙ୍କ ଜୀବନ ବିପଦରେ ପଡ଼ିପାରିଥାନ୍ତା ବୋଲି ସେ ମୋଦୀଙ୍କୁ କହିଛନ୍ତି। ସେହି ଭୟଙ୍କର ମୁହୂର୍ତ୍ତକୁ ମନେ ପକାଇ ସ୍ମିତ କହିଥିଲେ, ସେ ନିଜ ଜୀବନ ପାଇଁ ଲଢ଼ୁଥିଲେ। ତାଙ୍କ ଶରୀରରେ ଅନେକ ଆଘାତ ଲାଗିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। କିନ୍ତୁ ବିମାନ ତଳକୁ ଖସୁଥିବା ଅନୁଭବ କରିବା ପରେ ତାଙ୍କ ମନରେ ଗୋଟିଏ କଥା ଆସିଥିଲା, ‘ମୁଁ ଯଦି ସାହସ ନଦେଖାଏ, ତେବେ ୧୭୦ ଜଣ ଯାତ୍ରୀଙ୍କ ଜୀବନ ଚାଲିଯିବ।’

ସ୍ମିତ କହିଥିଲେ, ସେହି ସମୟରେ ସେ ହନୁମାନ ଚାଳିଶା ପାଠ କରୁଥିଲେ। ତାଙ୍କୁ ସାହସ ଦେଇଥିଲେ ପ୍ରଭୁ ହନୁମାନ ବୋଲି ସେ ମୋଦୀଙ୍କୁ କହିଛନ୍ତି। କଥା ହେଉଥିବା ବେଳେ ସ୍ମିତ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିଥିଲେ।

ବୁଧବାର ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇର ବୋଇଂ ୭୩୭ ବିମାନରେ ଏହି ଘଟଣା ଘଟିଥିଲା। ଓମାନର ଜଣେ କୋ-ପାଇଲଟ୍‌ ସ୍ମିତଙ୍କୁ ଆକ୍ରମଣ କରିବା ପରେ ବିମାନଟି ପ୍ରାୟ ୧୪ ହଜାର ଫୁଟ୍‌ ତଳକୁ ଖସିଥିଲା। ଏହି ସମୟରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ କକପିଟ୍‌ରେ ପହଞ୍ଚି କୋ-ପାଇଲଟ୍‌ଙ୍କୁ କାବୁ କରିଥିଲେ। ପରେ ଅନ୍ୟ ପାଇଲଟ୍‌ମାନେ ବିମାନକୁ ସୁରକ୍ଷିତ ଭାବେ ସାଉଦି ଆରବର ତାବୁକ୍‌ରେ ଅବତରଣ କରାଇଥିଲେ।

ସ୍ମିତଙ୍କ ସାହସକୁ ପୂର୍ବରୁ ମଧ୍ୟ ପ୍ରଶଂସା କରିଥିଲେ ମୋଦୀ। ତାଙ୍କୁ ‘ହିରୋ’ ବୋଲି କହିବା ସହ ତାଙ୍କ ସାହସ ଓ ଉପସ୍ଥିତ ବୁଦ୍ଧି ପାଇଁ ଦେଶ ଗର୍ବିତ ବୋଲି କହିଥିଲେ। ମୋଦୀ ସ୍ମିତଙ୍କ ଶୀଘ୍ର ସୁସ୍ଥତା କାମନା କରିବା ସହ ତାଙ୍କ ଓ ପରିବାରର ସମସ୍ତ ସହାୟତା ପାଇଁ ଭାରତୀୟ ମିଶନ୍‌ଗୁଡ଼ିକ ପ୍ରସ୍ତୁତ ଥିବା ଆଶ୍ୱାସନ ଦେଇଛନ୍ତି।

Leave A Reply

Your email address will not be published.