Latest Odisha News

ଓଡିଶାର ବିଭିନ୍ନ ନଦୀ ଅବବାହିକାରେ ବନ୍ୟାସ୍ଥିତିର ସମୀକ୍ଷା କଲେ ଉନ୍ନୟନ କମିଶନର

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଆଜି ସେଚ ସଦନ ସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତିରେ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି ।

ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗର୍ଗ ଉପରମୁଣ୍ଡରେ ବର୍ଷା ଓ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ବନ୍ୟାର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ସହିତ ଝାଡଖଣ୍ଡର ଜଳସଂପଦ ବିଭଗ ସଚିବ ପ୍ରଶାନ୍ତ କୁମାରଙ୍କ ସହିତ କଥା ହୋଇଥିଲେ ।

ପୂର୍ଣ୍ଣିମା କାରଣରୁ ପାଣି ଖାଲିହେବାରେ ବିଳମ୍ବ ଘଟୁଛି । ଗତ ୨ ଦିନରେ ବର୍ଷ। ଯୋଗୁଁ ସମ୍ଭାବ୍ୟ ବନ୍ୟା ସ୍ଥିତିର ଅନୁଧ୍ୟାନ ପାଇଁ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ ବାଲେଶ୍ୱର ଠାରେ ଅବସ୍ଥାନ କରି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଜଳକା ନଦୀର ଜଳସ୍ତର ବର୍ତ୍ତମାନ ‘ମଥାନୀ’ ସେତୁ ଠାରେ ଆଜି ଦିନ ୯ଟା ସମୟରେ ୬.୬ ମିଟରରେ ଥାଇ ଜଳପତନ ସ୍ତର ତଳକୁ ଖସୁଥିବା ଜଣାଯାଇଛି । ତେଣୁ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସମୀକ୍ଷାରୁ ଜଣାପଡିଛି ।

ସେହିପରି, ବୁଢାବଳଙ୍ଗ ନଦୀର ଗୋବିନ୍ଦପୁର ଠାରେ ଜଳସ୍ତର ୬.୯୪ ମିଟରରେ ବିପଦ ସଙ୍କେତ ତଳେ ଥିବା ଜଣାଯାଇଛି ଏବଂ ଜଳପତନ ସ୍ତର ହ୍ରାସ ପାଉଛି । ବ୍ରାହ୍ମଣୀ ଓ ବୈତରଣୀ ନଦୀର ଜଳ ସ୍ତର ବିପଦ ସଂକେତ ତଳେ ପ୍ରବାହିତ ହୋଇଛି ।

ପରେ ଶ୍ରୀମତୀ ଗର୍ଗ ରାଜ୍ୟର ବିଭିନ୍ନ ବୃହତ୍ତ ଓ ମଧ୍ୟମ ଜଳ ଭଣ୍ଡାରର ଜଳସ୍ତର ସ୍ଥିତିର ସମୀକ୍ଷା କରିଥିଲେ ।

ସ୍ଥିତି ଅନୁଧ୍ୟାନ କରି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗର୍ଗ ସମସ୍ତ ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେବା ସହ ବାଲେଶ୍ୱର ଜିଲ୍ଲାର ଯନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକତା ଅନୁସାରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.