ଭୁବନେଶ୍ୱର: ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଜୁନ୍ ୨୯ତାରିଖରେ ଘଟିଥିବା ଦଳାଚକଟା ଯୋଗୁଁ ତିନି ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଘଟଣାର ତଦନ୍ତ ପାଇଁ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ଓଡିଶା ସରକାରଙ୍କ ଗୃହ (ସ୍ୱତନ୍ତ୍ର ଶାଖା) ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଘଟଣାରେ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶର ଅନୁ ଗର୍ଗ ।
କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସେ ସମ୍ପର୍କରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା, ଘଟଣାକୁ ନେଇ କୌଣସି ସୂଚନା କିମ୍ବା ତଥ୍ୟ ( ଭିଡିଓ ଫୁଟେଜ୍ ସହିତ) ଥିଲେ, ତାହାକୁ ଆସନ୍ତା ୨୦ ତାରିଖ ସୁଦ୍ଧା puritragedy. enquiry@odisha.gov.in ଇ-ମେଲ ଯୋଗେ ପଠାଇବାକୁ ଅନୁରୋଧ କରାଯାଇଛି ।
ଏହା ବ୍ୟତୀତ, ଆଗ୍ରହୀ ବ୍ୟକ୍ତିମାନେ ଆସନ୍ତା ଜୁଲାଇ ୯ ତାରିଖ ଅର୍ଥାତ୍ ଆସନ୍ତାଲି ଅପରାହ୍ଣ ୩ଟା ସମୟ ପରଠାରୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନ- ଆନେକ୍ସ ଏବଂ ଜୁଲାଇ ୧୦ ତାରିଖ ଅପରାହ୍ଣ ୩ଟା ପରଠାରୁ ସ୍ୱତନ୍ତ୍ର ପ୍ରଦକ୍ଷିଣ ଭବନ (ସ୍ପେଶାଲ ସର୍କିଟ୍ ହାଉସ୍), ପୁରୀ ଠାରେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ମଧ୍ୟ ଏ ସଂପର୍କରେ ତଥ୍ୟ ରଖିପାରିବେ ବୋଲି ସୂଚନା ରହିଛି ।
ସେହିପରି ଏ ସଂପର୍କିତ ଅଧିକ ସୂଚନା ପାଇଁ ଟେଲିଫୋନ୍ ନମ୍ବର-୦୬୭୪-୨୫୩୬୮୮୨/୨୩୯୧୯୭୦ (ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟ) ରେ ଯୋଗାଯୋଗ କରାଯାଇପାରିବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।
Comments are closed.