Latest Odisha News

BREAKING NEWS

JSSC CGL ପରୀକ୍ଷା ରଦ୍ଦ; ୧୬ ଦିନିଆ ଅନଶନ ଭାଙ୍ଗିଲେ ଛାତ୍ର ନେତା ଦେବେନ୍ଦ୍ର…

ରାଞ୍ଚି: ପରୀକ୍ଷା ବାତିଲ ନେଇ ସରକାର ସୂଚନା ଦେବା ପରେ ଛାତ୍ର ନେତା ଦେବେନ୍ଦ୍ର ନାଥ ମାହାତୋ ୧୬ ଦିନିଆ ଅନଶନ ଭାଙ୍ଗିଛନ୍ତି। ସେ ରାଞ୍ଚିର ସଦର ହସ୍ପିଟାଲରେ ଅନଶନରେ ଥିଲେ। ମାହାତୋ ଜୁସ୍ ପିଇ ତାଙ୍କର ଅନଶନ ଭାଙ୍ଗିଥିବା କୁହାଯାଉଛି।

ଝାଡ଼ଖଣ୍ଡ ସରକାର JSSC-CGL ପରୀକ୍ଷା ଏବଂ TSR ଡାଟା ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷା ବାତିଲ କରାଯିବା ଘୋଷଣା କରିବା ପରେ ସେ ତାଙ୍କର ଅନଶନ ଭାଙ୍ଗିଛନ୍ତି।

ମାହାତୋ ଝାଡ଼ଖଣ୍ଡ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହ ଏବଂ ଇରଫାନ ଅନସାରୀଙ୍କ ଉପସ୍ଥିତିରେ ତାଙ୍କର ଅନଶନ ଭାଙ୍ଗିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାର ୨୦୧୪ ମସିହାରୁ ଝାଡ଼ଖଣ୍ଡରେ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ଅନିୟମିତତାର ଅଭିଯୋଗରେ CID ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଅନଶନ ଭାଙ୍ଗିବା ପରେ ସାମ୍ବାଦିକମାନଙ୍କ ସହ କଥା ହୋଇ ମାହାତୋ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହ ଏବଂ ଇରଫାନ ଅନସାରୀ, ଆନ୍ଦୋଳନରେ ସାମିଲ ଛାତ୍ର, ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ସମର୍ଥକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।

ସେ କହିଛନ୍ତି, “ଆଜି ଝାଡ଼ଖଣ୍ଡ ପାଇଁ ଏକ ବିରାଟ ବିଜୟ।” ମୁଁ ବର୍ତ୍ତମାନ ପାଇଁ ମୋର ଆନ୍ଦୋଳନକୁ ସ୍ଥଗିତ ରଖୁଛି, କିନ୍ତୁ ବ୍ୟବସ୍ଥାରେ ସଂସ୍କାର ପାଇଁ ମୋର ସଂଘର୍ଷ ଜାରି ରହିବ।” ନିଯୁକ୍ତି ପରୀକ୍ଷାରେ ପେପର ଲିକ୍ ଏବଂ ଅନିୟମିତତାକୁ ରୋକିବା ପାଇଁ ସେ କଠୋର ଆଇନ ଏବଂ ବ୍ୟାପକ ସଂସ୍କାର ଦାବି କରିଥିଲେ।

 

Leave A Reply

Your email address will not be published.