ଦଳା ଚକଟାରେ ଭକ୍ତ ମୃତ୍ୟୁ ଘଟଣା; ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ଯାଇ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ପୁରୀ: ରଥଟଣା ସମୟରେ ପୁରୀ ମରିଚିକୋଟ ଛକରେ ଦଳା ଚକଟାରେ ଅଣନିଶ୍ୱାସୀ ହୋଇ ଦୁଇ ଜଣ ଭକ୍ତଙ୍କ ମୃତ୍ୟୁ ଘଟଣା । ଏହି ଅଘଟଣକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହ ଘଟଣା ସମ୍ପର୍କରେ ହସ୍ପଟାଲ ଯାଇ ପଚାରି ବୁଝିବାକୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ, ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ହସ୍ପିଟାଲକୁ ଯାଇ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା ନେଇ ସମୀକ୍ଷା କରିବେ ।
ଘଟଣା ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସରକାର ଏହି ଦୁର୍ଭାଗ୍ୟଜନକ ଅଘଟଣରେ ଗଭୀର ମର୍ମାହତ । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଏଭଳି ପରିସ୍ଥିତି ଉପୁଜିବା ଅତ୍ୟନ୍ତ ଦୁଃଖଦାୟକ । ମୁଖ୍ୟମନ୍ତ୍ରୀ ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ଭକ୍ତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ବିଭାଗକୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ସତର୍କ ରହିବାକୁ କୁହାଯାଇଛି । ସରକାରଙ୍କ ପକ୍ଷରୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେବ ଏବଂ ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ, ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି ।