Latest Odisha News

ସ୍ୱାଭାବିକ ହେଲା ମା’ ତାରିଣୀଙ୍କ ଦର୍ଶନ ,ଭୋଗଲାଗି କରିପାରିବେ ଭକ୍ତ

କେନ୍ଦୁଝର : ଶ୍ରଦ୍ଧାଳୁଙ୍କ ପାଇଁ ଆସିଲା ଖୁସିଖବର । ଏଣିକି ଘଟଗାଁ ପୀଠରେ ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ ଶ୍ରଦ୍ଧାଳୁ । ଏନେଇ ପୂର୍ବରୁ ଥିବା କଟକଣାକୁ ହଟାଇ ଦେଇଛି ଜିଲ୍ଲା ପ୍ରଶାସନ । ଯାହାଫଳରେ ଭକ୍ତ ମାନେ ମା’ଙ୍କ ପାଖରେ ପୂଜାର୍ଚ୍ଚନା ସହ ଭୋଗ ଲାଗି କରିପାରିବେ । ଏଥିପାଇଁ ମନ୍ଦିର ପ୍ରବେଶ ପଥରେ ଭୋଗ ଲଗାଇବା ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ଭାବେ ୨ଟି ଅଲଗା ଧାଡିର ବ୍ୟବସ୍ଥା କରାଯାଇଛି ।

ମା’ଙ୍କ ଦର୍ଶନକୁ ମଧ୍ୟ ସ୍ୱାଭାବିକ କରାଯାଇଛି । ୧୦ ବର୍ଷରୁ କମ ପିଲା ଓ ବୃଦ୍ଧବୃଦ୍ଧାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିଛି । ଏବେ ସକାଳ ସାଢେ ୬ଟାରୁ ଅପରାହ୍ନ ଗୋଟିଏ ଓ ଅପରାହ୍ନ ୩.୩୦ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ମା’ଙ୍କ ଦର୍ଶନ ସହ ଭୋଗ ଲାଗି କରିପାରିବେ । ମା’ଙ୍କ ସକାଳ ଆଳତି, ଅନ୍ନପ୍ରସାଦ ନୀତି, ସନ୍ଧ୍ୟା ଆଳତି ଓ ପହଡ଼ ଆଦି ଯଥାରୀତିରେ ଚାଲିବ।

ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ, ମିଠା, ଭୋଗ ଓ ଅନ୍ନପ୍ରସାଦ ବିକ୍ରି ନେଇ ପରେ ନିଷ୍ପତ୍ତି ନିଆଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ମନ୍ଦିରରେ କିଭଳି ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେଥିପାଇଁ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡର ବୈଠକ ବସିବା ସହ ଆଲୋଚନା ହୋଇଥିଲା ।

ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ଆରମ୍ଭ ହୋଇନଥିବା ବେଳେ ଖୁବଶୀଘ୍ର ଏହାକୁ ମଧ୍ୟ ଆରମ୍ଭ କରାଯିବ  ।କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ମନ୍ଦିରରେ ରୀତିନୀତି ଚାଲୁଥିବା ବେଳେ ଶ୍ରଦ୍ଧାଳୁଙ୍କ ଭୋଗଲାଗି ଉପରେ କଟକଣା ଜାରି କରାଯାଇଥିଲା । କେବଳ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିପାରୁଥିଲେ । କିନ୍ତୁ ତାହା ବି ପୂରା କଟକଣା ଭିତରେ ।

Comments are closed.