ପୁରୀ : ଧର୍ମ ଓ ପୂଣ୍ୟର ମାସ କାର୍ତ୍ତିକ ମାସ। ଶ୍ରୀମନ୍ଦିରରେ ଲାଗି ରହିଛି ଗହଳି ଚହଳି। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଯେତିକି ଭିଡ଼ ହୋଇଥାଏ ତା ଠାରୁ ବେଶୀ ଆନନ୍ଦ ବଜାରରେ ଗହଳି ହୋଇଥାଏ । କାରଣ କାର୍ତ୍ତିକ ମାସରେ ମହାପ୍ରସାଦର ଚାହିଦା ବେଶୀ ରହିଥାଏ। କିନ୍ତୁ ଏବେ ମହାପ୍ରସାଦ କ୍ରୟରେ ଦେଖିବାକୁ ମିଳିଛି ବ୍ୟାପକ ଅନିୟମିତତା। ନିର୍ଦ୍ଧାରିତ ଦର ଠାରୁ ବେଶ୍ ଚଢା ଦରରେ ମହାପ୍ରସାଦ ବିକ୍ରି ହେଉଥିବାରୁୂ ଅସନ୍ତୋଷ ହେଉଛନ୍ତି ଭକ୍ତ।
କିଛି ଦଲାଲ୍ ଶ୍ରୀମନ୍ଦିର ଭିତରେ ସୁଆର ମାନଙ୍କ ଠାରୁ ମହାପ୍ରସାଦ କ୍ରୟ କରି ଭକ୍ତଙ୍କୁ ଚଢା ଦରରେ ବିକୁଥିବା ଖୋଦ୍ ସୁଆର ମହାସୁଆର ନିଯୋଗ ସଭାପତି ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ୨୦୧୯ ରେ ସୁପ୍ରିମକୋର୍ଟ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ସହ ମହାପ୍ରସାଦର ଦର ନିର୍ଦ୍ଧାରଣ କରି ରେଟ୍ ଚାଟ୍ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମହାପ୍ରସାଦର ଦର ନିର୍ଦ୍ଧାରଣ ପାଇଁ ଦୁଇ ଦୁଇଥର ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଇଥିଲେ ମଧ୍ୟ ଏଯାବତ୍ ତାହା ଫେଲ୍ ମାରିଛି।
ସେପଟେ ଖୁବଶୀଘ୍ର ମହାପ୍ରସାଦର ଦର ନିର୍ଦ୍ଧାରଣ ସହ ଆଗାମୀ ଦିନରେ ଶ୍ରଦ୍ଧାଳୁ କିଭଳି ସୁଲଭ ଦରରେ ପାଇବେ ଓ ରେଟ୍ ଚାଟ୍ କିଭଳି ଯଥାଶୀଘ୍ର କାର୍ଯ୍ୟକାରୀ ହେବ ସେନେଇ ବ୍ୟାପକ ବନ୍ଦୋବସ୍ତ କରାଯିବ ବୋଲି ସୁଆରମହାସୁଆର ନିଯୋଗ ସଭାପତି କହିଛନ୍ତି।ସେପଟେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ମୁଖ୍ୟ ବିନ୍ଦୁ ରହିଥିଲା ମହାପ୍ରସାଦର ମାନ ନିର୍ଦ୍ଧାରଣ ଓ ରେଟ୍ ଚାଟ୍ ପ୍ରସ୍ତୁତି। କିନ୍ତୁ ଚାରିବର୍ଷରୁ ଉର୍ଦ୍ଧ୍ବ ବିତ୍ତିଯାଇଥିଲେ ମଧ୍ୟ ଅବଢା ଦର ସୁଲଭ ଦରରେ ଭକ୍ତମାନେ ପାଇବାରୁ ବଞ୍ଚିତ ହେଉଛନ୍ତି।
କେବଳ କାର୍ତ୍ତିକ ମାସ ନୁହେଁ ବରଂ ବିଭିନ୍ନ ଯାନିଯାତ୍ରା ସମୟରେ ମହାପ୍ରସାଦର ଦର ଯଥେଷ୍ଟ ବୃଦ୍ଧି ପାଇବାର ନଜର ରହିଛି। ଲଗାତାର ଦୁଇବର୍ଷ କରୋନା କଟକଣା ପରେ ଚଳିତବର୍ଷ କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ପ୍ରତ୍ୟକଦିନ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରି ଭକ୍ତମାନେ ତୃପ୍ତି ଲାଭ କରୁଛନ୍ତି।
କିନ୍ତୁ ମହାପ୍ରସାଦର ଦର ଚଢା ରହିଥିବାରୁ ଭକ୍ତ ମହଲରେ ଅସନ୍ତୋଷ ଦେଖାଯାଉଥିବା ବେଳେ ତୁରନ୍ତ ଏହାର ଦର ନିର୍ଦ୍ଧାରଣ କରି ରେଟ୍ ଚାଟ୍ ଲଗାଇ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ବୁଦ୍ଧିଜୀବୀ ଓ ସେବାୟତ ମହଲରେ ଦାବି ହୋଇଛି।
Comments are closed.