Latest Odisha News

BREAKING NEWS

ଅବନ୍ତୀଙ୍କ ଉପରେ ଭାରି ପଡ଼ିବେ କି ରାଜେନ୍ଦ୍ର ନା ବୁଡ଼ିଯିବ ନୌକା ?

ଭଦ୍ରକ: ଧାମନଗର ଉପନିର୍ବାଚନକୁ ନେଇ ଉଷ୍ଣ ହେଉଛି ରାଜନୀତି । ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନରେ କେହି ପ୍ରାର୍ଥିତ୍ୱ ପ୍ରତ୍ୟାହାର କରି ନାହାଁନ୍ତି । ଫଳରେ ୩ ଦଳର ପ୍ରାର୍ଥୀଙ୍କ ସହ ୨ ସ୍ୱାଧୀନ ପ୍ରାର୍ଥୀ ଏବେ ଉପନିର୍ବାଚନ ମୈଦାନରେ । ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜଙ୍କ ସହ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଦଳ ବଳ ସହ ଲଢ଼ୁଛନ୍ତି । ୩ ଦଳର ପ୍ରାର୍ଥୀଙ୍କ ସହ ପୂର୍ବତନ ବିଜେଡି ବିଧାୟକ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ରାଜେନ୍ଦ୍ରଙ୍କ ସମର୍ଥକ ବି ତାଙ୍କ ବିଜୟ ନେଇ ଆଶାବାଦୀ ଅଛନ୍ତି ।

ନିଜ ବିଜୟ ନେଇ ବେଶ୍ ଆଶାବାଦୀ ରହିଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର । ବିଜେଡି ଟିକେଟ୍ ନ ପାଇ ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ବେଳେ ଧାମନଗର ସ୍ୱାଭିମାନର ବିଜୟ ହେବ ବୋଲି କହିଛନ୍ତି । ଏଥିସହ ସାଧାରଣ ଜନତାଙ୍କୁ ନିଜ ଷ୍ଟାର ପ୍ରଚାରକ କରିଛନ୍ତି ରାଜେନ୍ଦ୍ର ଦାସ । ତାଙ୍କୁ ଭାସମାନ ଡଙ୍ଗା ସହ କାତ ଓ ନାବିକ ଚିହ୍ନ ମିଳିଛି ।

୨୦୧୯ ସାଧାରଣ ନିର୍ବାଚନରେ ରାଜେନ୍ଦ୍ର ମାତ୍ର ୪ ହଜାର ଭୋଟରେ ବିଷ୍ଣୁଙ୍କ ଠାରୁ ହାରିଥିଲେ । କିନ୍ତୁ ଦଳ ଉପନିର୍ବାଚନରେ ଅବନ୍ତୀଙ୍କୁ ପ୍ରାର୍ଥୀ କରିଛି । ଏବେ ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ବିଜେଡି ଭୋଟ୍ ଦି’ଭାଗ ହେବ କି ? ନା ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ରଙ୍କ ନୌକା ବୁଡ଼ିଯିବ । ନା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ୨ ହଜାର ମସିହା ସାଧାରଣ ନିର୍ବାଚନର ପୁନରାବୃତ୍ତି ହେବ ଧାମନଗରରେ । ୨୦୦୦ ମସିହା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ମାନସ ମଲ୍ଲିକ ବିଜେପି ପ୍ରାର୍ଥୀ ମନମୋହନ ସାମଲଙ୍କୁ ୧ ହଜାର ୭୦୩ ଭୋଟରେ ହରାଇଥିଲେ ।

ତେବେ ଧାମନଗର ଭୋଟର କାହା ଉପରେ ଭରସା କରିବେ । ବିଜୟର ଶଙ୍ଖ ବାଜିବ ନା ଫୁଲ ଫୁଟିବ । ନା ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ରାଜେନ୍ଦ୍ର ଦାସଙ୍କ ନୌକା ମୁହାଣ ପାରି ହେବ । ନଭେମ୍ବର ୩ରେ ମତଦାନ, ୬ରେ ଗଣତି ପରେ ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.