Latest Odisha News

ରତ୍ନ ଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଦର୍ଶନ

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଆସନ୍ତା ୧୪ରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏନେଇ ଜଷ୍ଟିସ୍ ବିଶ୍ବନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଯାଇଛି । ଖାଲି ଯାହା ସରକାରଙ୍କ ଅନୁମତି ପରେ ଆସନ୍ତା ୧୪ରେ ଖୋଲିବ ରତ୍ନଭଣ୍ଡାର । ଖାଲି ଖୋଲିବନି ଏହା ସହିତ ଏହାଭିତରେ ଥିବା ସମସ୍ତ ଅଳଙ୍କାରର ଗଣତି ମଣତି ସହିତ ରତ୍ନଭଣ୍ଡାରର ମରାମତି ମଧ୍ୟ କରାଯିବ । ଏଥିପାଇଁ ଅସ୍ଥାୟୀ ଭଣ୍ଡାର କରାଯାଇ ସମସ୍ତ ଅଳଙ୍କାର ସେଠାକୁ ସ୍ଥାନାନ୍ତର କରାଯିବ । ତେବେ ଏହି ସମୟରେ ମନ୍ଦିରରେ ଗହଳି ଚହଳି ରହିବ କି ନାହିଁ, ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବେ କି ନାହିଁ ସେନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ବେଳେ ଏନେଇ ଆଶ୍ବସ୍ତି ଦେଇଛନ୍ତି ଜଷ୍ଟିସ ବିଶ୍ବନାଥ ।

ତେବେ ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ଆସନ୍ତା ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେଇଦେବେ । ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ଖୋଲାଯିବ ।  ଯେ କୌଣସି ପ୍ରକାର ତାଲା ଖୋଲାଯିବ । ଯେଉଁ ଚାବି ଥାଉ କିମ୍ବା ସେହି ଚାବିରେ ଖୋଲୁ କି ନଖୋଲୁ, ଯେ କୌଣସି ପ୍ରକାରରେ ତାଲା ଖୋଲିବୁ। ଏହାସହିତ ରତ୍ନଭଣ୍ଡାର ଖୋଲିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି ବୋଲି ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି । ରତ୍ନଭଣ୍ଡାର ଖୋଲାଯିବା ପ୍ରକ୍ରିୟା ଚାଲୁଥିବା ବେଳେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏନେଇ ଭକ୍ତ ମାନେ ତାଙ୍କୁ ସହଯୋଗ କରିବା ପାଇଁ ଆଶାପ୍ରକଟ କରିଥିବା କହିଛନ୍ତି ବିଶ୍ବନାଥ ।

Comments are closed.