ଭୁବନେଶ୍ବର : ଉଦଘାଟିତ ହେଲା ପୋଲିସ ଡିଜି ସମ୍ମିଳନୀ। କଡ଼ାସୁରକ୍ଷା ମଧ୍ୟରେ ଶୁକ୍ରବାର ଭୁବନେଶ୍ୱରରେ ୫୯ତମ ପୋଲିସ ଡିଜି ସମ୍ମିଳନୀକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଛନ୍ତି । ସ୍ବାଧୀନତା ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ଦ୍ୱିତୀୟ ଓ ତୃତୀୟ ଦିନର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ। ଜିରୋ ଟଲେରାନ୍ସ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଜିରୋ ଟଲେରାନ୍ସ ଷ୍ଟ୍ରାଟେଜୀ ଓ ଜିରୋ ଟଲେରାନ୍ସ ଆକ୍ସନ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହ ଆହ୍ୱାନ ଦେଇଛନ୍ତି।
ଭୁବନେଶ୍ୱର ସ୍ଥିତ ଲୋକସେବା ଭବନର କନେଭନସନ୍ ହଲରେ ଆଜିଠୁ ୩ ଦିନିଆ ପୋଲିସ ଡିଜି ସମ୍ମିଳନୀ ଆରମ୍ଭ ହୋଇଛି। ଆଜି ଏହି ସମ୍ମିଳନୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଛନ୍ତି । ଏହି ସମ୍ମିଳନୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସମେତ ସମସ୍ତ ରାଜ୍ୟର ପୋଲିସ ଡିଜି, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ କେନ୍ଦ୍ରୀୟ ପୋଲିସ ସଂଗଠନର ମୁଖ୍ୟମାନେ ଯୋଗ ଦେଇଛନ୍ତି। ଏହାସହିତ ଦେଶର ବିଭିନ୍ନ ରାଜ୍ୟର ବରିଷ୍ଠ ପୁଲିସ ଅଫିସରମାନେ ଭର୍ଚୁଆଲ ମୋଡରେ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି। ଆଜି ଉଦଘାଟନୀ ସମାରୋହ ପରେ ଅନୁଷ୍ଠିତ ଆଲୋଚନାରେ ଶ୍ରୀ ଡୋଭାଲଙ୍କ ସମେତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀମାନେ ଓ କେନ୍ଦ୍ର ଗୃହ ସଚିବ ଉପସ୍ଥିତ ଥିଲେ ।
ଉଦଘାଟନୀ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଦେଶରେ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବା ଓ ୩ଟି ନୂଆ ଅପରାଧ ଆଇନକୁ କାର୍ଯ୍ୟକାରୀ କରିଥିବାରୁ ପୋଲିସବାହିନୀକୁ ପ୍ରଶଂସା କରିଥିଲେ। ଶାହ କହିଛନ୍ତି, ଏହି ନୂଆ ଆଇନର ମୂଳ ଭାବନା ଭାରତୀୟ ପରମ୍ପରା ଦ୍ୱାରା ପ୍ରେରିତ । ୨୦୪୭ ମସିହା ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ର ଭାବେ ଗଢ଼ିତୋଳିବା ତଥା ୨୦୨୭ ସୁଦ୍ଧା ଦେଶର ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟକୁ ପୂରଣ କରିବା ପାଇଁ ସୁରକ୍ଷା ସଂସ୍ଥାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜିରୋ ଟଲେରାନ୍ସ ନୀତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିରୋ ଟଲେରାନ୍ସ ଷ୍ଟ୍ରାଟେଜୀ ଓ ଜିରୋ ଟଲେରାନ୍ସ ଆକ୍ସନ ଦିଗରେ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।
ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହ ଆଇବିର ଦକ୍ଷ ଅଫିସରଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରିଥିଲେ। ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପୁସ୍ତକ ‘ର୍ୟାଙ୍କିଙ୍ଗ ଅଫ ପୁଲିସ ଷ୍ଟେସନ-୨୦୨୪’ର ଉନ୍ମୋଚନ କରିବା ସହ ଦେଶର ୩ଟି ଶ୍ରେଷ୍ଠ ପୁଲିସ ଥାନାକୁ ମଧ୍ୟ ପୁରସ୍କୃତ କରିଥିଲେ। ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ମଧ୍ୟ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କଠୁ ଆଜି ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ଏହି ସମ୍ମାନଜନକ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଛନ୍ତି।
ସୂଚନା ଅନୁସାରେ, ସମ୍ମିଳନୀର ଦ୍ୱିତୀୟ ଓ ତୃତୀୟ ଦିନରେ ଦେଶର ଶୀର୍ଷ ପୁଲିସ ନେତୃତ୍ୱଙ୍କ ସହ ନକ୍ସଲ ସମସ୍ୟା, ଉପକୂଳ ସୁରକ୍ଷା, ନାରକୋଟିକ୍ସ, ସାଇବର ଅପରାଧ, ଆର୍ଥିକ ସୁରକ୍ଷା ଭଳି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରାଯିବ। ଏହାସହିତ ୩ଟି ନୂଆ ଅପରାଧ ଆଇନର ମଧ୍ୟ ସମୀକ୍ଷା କରାଯିବ।