Latest Odisha News

ବିଜେପି ନେତାଙ୍କ ବୈଠକରେ ମୋଦୀଙ୍କ ‘ଗୁଜରାଟ ମଡ଼େଲ’ ଥିଓରୀ, ବଢ଼ିଲା ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶା ବିଜେପି ଏବେ ଜୋଶରେ। କାରଣ ଦଳର ମୁଖିଆ ମାନେ ଓଡ଼ିଶା ଆସିଛନ୍ତି। ଏହି ଅବସରରେ ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦଳର ସାଂସଦ, ବିଧାୟକ ଓ ନେତା ଏକାଠି ରାତ୍ରି ଭୋଜନ କରିଛନ୍ତି। ଏହି ସମୟରେ କୁଆଡେ ମୋଦୀଙ୍କ ସହ ଅନେକ ନେତା ନିଜ ମନର ପ୍ରଶ୍ନ ପଚାରିଥିବା କୁହାଯାଉଛି। ଆଉ ମୋଦୀ ବିକାଶର ମଡେଲ ଭାବେ ଗୁଜରାଟ ମଡେଲକୁ ଅନୁସରଣ କରିବାକୁ କହିଥିବା ବିଜେପିର ନେତାମାନେ କହିଥିବା କୁହାଯାଉଛି।

କିନ୍ତୁ ବଡ଼କଥା ହେଲା ଯେଉଁ ରାଜ୍ୟରେ ବିଜେପି ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଫେରିଛି। ସେହି ଦଳକୁ ଗୁଜରାଟ ମଡେଲକୁ ଅନୁସରଣ କରିବାକୁ କହିବା ଚର୍ଚ୍ଚା ବଢ଼ାଇ ଦେଇଛି। ଯଦିଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, କୌଣସି ରାଜନୈତିକ ଆଲୋଚନା ହୋଇନି କିନ୍ତୁ ଦଳର ଅନ୍ୟନେତାମାନେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଏପରି କିଛି କହିଛନ୍ତି।

ଓଲିଉଡ ଅଭିନେତାରୁ ସାଂସଦ ପରେ ବିଧାୟକ ହୋଇଥିବା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କଥା ତାଙ୍କୁ ଅନୁପ୍ରାଣିତ କରିଛି। ଜଣେ ନେତାର ଆଚରଣ, ଉଚ୍ଚାରଣ କିଭଳି ରହିବ ମୋଦୀ ପରାମର୍ଶ ଦେଇଥିବା ସିଦ୍ଧାନ୍ତ କହିଛନ୍ତି। ଗୁଜରାଟରେ ଦୀର୍ଘ ବର୍ଷ ଧରି ବିଜେପି କ୍ଷମତାରେ ରହିଛି। ମୋଦୀଙ୍କ ପରେ ବି ବିଜେପି ଗୁଜରାଟରେ କ୍ଷମତାରେ ଅଛି। ଯେଉଁଭଳି ଶୈଳୀରେ ସେଠାରେ ଦଳ କାମ କରୁଛି ସେହିଭଳି ଶୈଳୀ ଆପଣାଇଲେ ଆଗକୁ ବଢ଼ିପାରିବା ବୋଲି ସିଦ୍ଧାନ୍ତ କହିଛନ୍ତି।

ସେହିପରି ବିଭିନ୍ନ ନେତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ନିଜ ଜୀବନର ଦର୍ଶନ ବାବଦରେ କହିଥିବା କୁହାଯାଉଛି। ଲୋକଙ୍କ ଛୋଟ ଛୋଟ କାମର ସମାଧାନ କରିବା ଆବଶ୍ୟକ। ତେଣୁ ତୃଣମୂଳ ସ୍ତରରେ ଲୋକଙ୍କ ସହ ରହିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଗତ ଛଅ ମାସର ରିପୋର୍ଟ କାର୍ଡ ଉଭୟ ସାଂସଦ ଓ ବିଧାୟକଙ୍କଠୁ ନେଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷାପରାମର୍ଶଦାତା ଓଡ଼ିଶା ଗସ୍ତରେ ଅଛନ୍ତି। ପୋଲିସ ଡିଜି ସମ୍ମିଳନୀରେ ଯୋଗଦେବା ପାଇଁ ଆସିଛନ୍ତି। ଗସ୍ତର ପ୍ରଥମ ଦିନରେ ଏୟାରପୋର୍ଟ ନିକଟରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ବିରୋଧୀଙ୍କୁ କଟାକ୍ଷା କରିଥିବା ବେଳେ ନିଜ ସରକାରର ଆଭିମୁଖ୍ୟ ରଖିଛନ୍ତି।

Comments are closed.