Latest Odisha News

ସରିଲା ଧାମନଗର ଉପନିର୍ବାଚନ ପ୍ରଚାର

ଧାମନଗର: ସରିଲା ଧାମନଗର ଉପନିର୍ବାଚନ ପ୍ରଚାର । ୩ ତାରିଖରେ ପଡିବ ଭୋଟ୍ । ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ସରିଛି ହାଇଭୋଲଟେଜ୍ ପ୍ରଚାର । ଆଜି ଶେଷ ଦିନରେ ବି ଧାମନଗରକୁ ଛୁଟିଥିଲେ ତିନି ଦଳର ହେଭିଓ୍ୱେଟ ନେତା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବି ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ ଧରିଥିଲେ ।

ପ୍ରଚାର ସରିଛି, ହେଲେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କାଦୁଅ ଫୋପଡା ଫୋପଡିରେ ପଡିନି ପୂର୍ଣ୍ଣଚ୍ଛେଦ । ଉଭୟ ଉଭୟଙ୍କ ପାଇଁ ‘ଭୋଟ୍ ପାଇଁ ନୋଟ୍ ବଣ୍ଟା’ ସ୍ଳୋଗାନ ଜାରି ରଖିଛନ୍ତି । ବିଜେପିର ଅଭିଯୋଗ ବିଜେଡି ସ୍ୱୟଂ ସହାୟକ ଗୋଷ୍ଠୀ ଓ ସରକାରୀ ଅଧିକାରୀଙ୍କ ସହାୟତାରେ ପ୍ରାର୍ଥିନୀ ଅବନ୍ତି ଦାସଙ୍କ ସପକ୍ଷରେ ଭୋଟ୍  ହାତେଇବାକୁ ଉଦ୍ୟମ କରୁଛି । ଧାମନଗରରେ ମୈଦାନକୁ ଓହ୍ଲାଇଛନ୍ତି ୫ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ ଜଣେ ମହିଳା ପ୍ରାର୍ଥୀ ଭାବେ ଅବନ୍ତୀ ଦାସ ଭୋଟରଙ୍କୁ ପ୍ରଭାବିତ କରୁଥିବା ଦେଖିବାକୁ ମିଳିଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି । ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ ଧାମନଗର ଯାଇ ବିଶାଳ ରାଲି ସହିତ ଭୋଟ ଭିକ୍ଷା କରିଛନ୍ତି । ଏହା ପୂର୍ବରୁ ସେ ଅକ୍ଟୋବର ୨୮ ଓ ୨୯ ତାରିଖରେ ମଧ୍ୟ ଧାମନଗରରେ ପଦଯାତ୍ରା ଓ ରୋଡ୍ ଶୋ କରିଥିଲେ । ଦିବଙ୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ଭାବେ ଅନୁକମ୍ପା ଭୋଟ୍ ସୁରଜଙ୍କ ସପକ୍ଷରେ ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଧର୍ମେନ୍ଦ୍ର।

ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ସୂର୍ଯବଂଶୀଙ୍କ ପାଇଁ ପ୍ରଚାର କରିଛନ୍ତି । ଧାମନଗର ବନ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସେଠାକୁ କେନ୍ଦ୍ରୀୟ ଜଳ ଆୟୋଗର ବିଶେଷଜ୍ଞ ଦଳ ପଠାଇବାର ପ୍ରତିଶ୍ରୁତି ଲୋକଙ୍କୁ ଦେଇଛନ୍ତି ସେ। ସୂର୍ଯ୍ୟବଂଶୀଙ୍କୁ ଜିତାଇବା ପାଇଁ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ଅନେକ ବିଜେପି ସାଂସଦ ତଥା ବିଧାୟକ ଧାମନଗର ପ୍ରଚାରରେ ସାମିଲ ହୋଇଥିଲେ। ୧୯୬୧ ଓ ୧୯୯୦ରେ ଧାମନଗର ଆସନ ହାତେଇଥିଲା ବିଜେପି । ତେଣୁ ଚଳିତ ଉପନିର୍ବାଚନରେ ବି ବାଜିମାତ୍ କରିବ ବୋଲି ଆଶାବାଦୀ ରହିଛି ବିଜେପି।

୨୦୧୪ ସାଧାରଣ ନିର୍ବାଚନ ପାଇଁ ଧାମନଗର ଉପନିର୍ବାଚନର ଫଳାଫଳ ବାଟ କାଢିବ। ତେଣୁ ଯେକୌଣସି ଭାବେ ଚଳିତ ନିର୍ବାଚନରେ ଜିତିବା ପାଇଁ ଉଭୟ ପ୍ରମୁଖ ଦଳ ଜୋରଦାର ପ୍ରୟାସ କରିଛନ୍ତି । ୨୦୨୦ରେ ମହାମାରୀ ସମୟରେ ବାଲେଶ୍ୱର ସଦର ଉପନିର୍ବାଚନରେ ଦଳ ପରାଜୟ ବରଣ କରିଥିଲା।

ସେପଟେ ବିଜେଡି ପ୍ରାର୍ଥୀ ପାଇଁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ପ୍ରଚାର କରିଛନ୍ତି ।  ୧୩ଟି ପ୍ରମୁଖ ସ୍ଥାନରେ ବଡ ବଡ ସ୍କ୍ରିନରେ ଲୋକେ ତାଙ୍କ ପ୍ରଚାର ବାର୍ତ୍ତା ଦେଖିଥିଲେ । ଧାମନଗର ବିକାଶ ଲାଗି ସେ ଅବନ୍ତୀ ଦାସଙ୍କ ପାଇଁ ସେ ଭୋଟ୍ ଭିକ୍ଷା କରିଥିଲେ । ଅବନ୍ତୀଙ୍କ ପାଇଁ ଦଳର ୧୨ ଜଣ  ମନ୍ତ୍ରୀ ଓ ୨୪ ଜଣ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ପ୍ରଚାର କରିଛନ୍ତି । ଅଭିନେତ୍ରୀ ବର୍ଷାଙ୍କ ସହିତ ଅଭିନେତା ତଥା ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ ମଧ୍ୟ ପ୍ରଚାର କରିଛନ୍ତି । ଧାମନଗରରେ ୨୪ହଜାର ସଂଖ୍ୟାଲଘୁ ଭୋଟର ଅଛନ୍ତି ।

ସେହିପରି କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ଏଆଇସିସି ଉପମୁଖ୍ୟ ରୁଦ୍ରରାଜୁ, ବିଧାୟକ, ସାଂସଦ ପ୍ରାର୍ଥୀ ହରେକୃଷ୍ଣ ସେଠୀଙ୍କ ପାଇଁ ପ୍ରଚାର କରିଛନ୍ତି । ୧୯୫୧ରୁ ଏଯାଏଁ ଦଳ ସାତ ଥର ଜିତିଛି ।

ସେହିପରି ବିଜେଡିର ପ୍ରତାରିତ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିଜ ସମର୍ଥକଙ୍କ ସହିତ ପ୍ରଚାର ଶେଷ କରିଛନ୍ତି ।  ଆପ୍ ପ୍ରାର୍ଥୀ ଅନଓ୍ୱର ଶେଖ୍ ଙ୍କ ପ୍ରଚାର ଅନ୍ୟମାନଙ୍କ ଅପେକ୍ଷା ଫିକା ପଡିଥିବା ଦେଖିବାକୁ ମିଳିଛି । ତେବେ ୨୫୨ ଭୋଟ୍ କେନ୍ଦ୍ରରେ ୩ ତାରିଖରେ ମତ ସାବ୍ୟସ୍ତ କରିବେ ୨.୩୮ଲକ୍ଷରୁ ଅଧିକ ଭୋଟର । ସେଥିରୁ ୧୦୭ କେନ୍ଦ୍ର ସମ୍ୱେଦନଶୀଳ ବୋଲି ଘୋଷିତ ହୋଇଛି । ପୁରୁଷ ଭୋଟର ୧,୨୩,୦୩୮ ରହିଥିବା ବେଳେ ୧,୧୫,୩୪୬ ମହିଳା ଭୋଟର ଅଛନ୍ତି । ୩୩ଜଣ ତୃତୀୟ ଲିଙ୍ଗ ରହିଛନ୍ତି । ସକାଳ ୭ଟାରୁ ସନ୍ଧ୍ୟା ୬ ଟା ଯାଏଁ ଭୋଟ୍ ଗ୍ରହଣ ହେବ । ନଭେମ୍ୱର ୬ ତାରିଖରେ ଭୋଟଗଣନା ହେବ।

Leave A Reply

Your email address will not be published.