US Announces New Tariffs: ହାରିଲେ ବି ହଟିଲେନି ଟ୍ରମ୍ପ! ୧୪ ଦେଶକୁ ଟାରିଫ୍ ଝଟକା, ପଛରେ ରହିଛି ବଡ଼ ରାଜନୈତିକ ଗେମ୍…
ନୂଆଦିଲ୍ଲୀ: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ମହଙ୍ଗା ମାଡ଼ ପାଇଁ ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟକା ଲାଗିଛି। ଟ୍ରମ୍ପଙ୍କ ଟାରିଫ୍ ନୀତିକୁ ନେଇ ମଧ୍ୟ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ଏହା ସତ୍ତ୍ୱେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଆଭିମୁଖ୍ୟ ବଦଳାଇବାକୁ ପ୍ରସ୍ତୁତ ନୁହନ୍ତି। ଚୀନ୍, ଜାପାନ ଓ ୟୁରୋପୀୟ ସଂଘ ସମେତ ୧୪ଟି ପ୍ରମୁଖ ବାଣିଜ୍ୟିକ ସହଯୋଗୀ ଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ନୂଆ ଟାରିଫ୍ ଲାଗୁ କରିବାକୁ ଟ୍ରମ୍ପ ପ୍ରଶାସନ ଘୋଷଣା କରିଛି। ନିର୍ବାଚନୀ ଝଟକା ପରେ ମଧ୍ୟ ଟ୍ରମ୍ପ କାହିଁକି ଏଭଳି ନିଷ୍ପତ୍ତି ନେଲେ? ଏହା ପଛରେ ରହିଛି ଅର୍ଥନୀତି ସହ ଜଡ଼ିତ ରାଜନୈତିକ ରଣନୀତି।
ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଆଗାମୀ ଦୁଇ ବର୍ଷ କଂଗ୍ରେସରେ ଡେମୋକ୍ରାଟ୍ଙ୍କ ପ୍ରଭାବ ବଢ଼ିବାକୁ ଯାଉଛି। ଫଳରେ ଟ୍ରମ୍ପଙ୍କ ପାଇଁ ନିଜ ଘରୋଇ ନୀତି ଓ ଏଜେଣ୍ଡାକୁ ଆଗକୁ ନେବା ସହଜ ହେବ ନାହିଁ। ଏଭଳି ସ୍ଥିତିରେ ଟାରିଫ୍ ତାଙ୍କ ପାଇଁ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି। କାରଣ ଏହା ଏକ ଅର୍ଥନୈତିକ ପଦକ୍ଷେପ, ଯାହାକୁ ଟ୍ରମ୍ପ ପ୍ରଶାସନ ସାଂସଦଙ୍କ ଅନୁମୋଦନ ବିନା ମଧ୍ୟ ଲାଗୁ କରିବାର ସୁଯୋଗ ପାଇପାରେ। ଏହାଦ୍ୱାରା ସଂସଦରେ ଶକ୍ତି କମିବା ସତ୍ତ୍ୱେ ଦେଶର ଅର୍ଥନୈତିକ ନୀତି ନିର୍ଦ୍ଧାରଣରେ ନିଜର ନିୟନ୍ତ୍ରଣ ରହିଥିବା ଦେଖାଇବାକୁ ଚାହୁଁଛନ୍ତି ଟ୍ରମ୍ପ।
ଟାରିଫ୍ ଜରିଆରେ ବିଦେଶୀ ନେତାଙ୍କ ଉପରେ ଚାପ ପକାଇ ଆମେରିକାର ସର୍ତ୍ତ ମାନିବାକୁ ବାଧ୍ୟ କରିବା ଏବଂ ବଡ଼ କମ୍ପାନୀଗୁଡ଼ିକୁ ଆମେରିକାରେ କାରଖାନା ସ୍ଥାପନ କରିବାକୁ ଉତ୍ସାହିତ କରିବା ତାଙ୍କର ଲକ୍ଷ୍ୟ। ଏହାସହ ୨୦୨୫ର ‘ୱାନ୍ ବିଗ୍ ବିଉଟିଫୁଲ୍ ବିଲ୍ ଆକ୍ଟ’ ଅନୁସାରେ ବ୍ୟକ୍ତିଗତ ଟିକସ ହାର ହ୍ରାସ ପାଇବା ପରେ ଟାରିଫ୍ ସରକାରଙ୍କ ପାଇଁ ରାଜସ୍ୱ ଆଦାୟର ଏକ ବଡ଼ ମାଧ୍ୟମ ହୋଇଛି। ଟ୍ରମ୍ପ ନିଜେ ମଧ୍ୟ ଆମେରିକାରେ ନୂଆ କାରଖାନା ନିର୍ମାଣର ଶ୍ରେୟ ଟାରିଫ୍ ନୀତିକୁ ଦେଇଛନ୍ତି।
ନୂଆ ପ୍ରସ୍ତାବ ଅନୁସାରେ କିଛି ନିର୍ଦ୍ଦିଷ୍ଟ ଆମଦାନୀ ସାମଗ୍ରୀ ଉପରେ ୨୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲାଗୁ ହୋଇପାରେ। ତେବେ ଯେଉଁ ଦେଶଗୁଡ଼ିକ ସହ ଆମେରିକାର ବାଣିଜ୍ୟ ଚୁକ୍ତି ହୋଇସାରିଛି କିମ୍ବା ଆଲୋଚନା ଚାଲିଛି, ସେମାନଙ୍କ ପାଇଁ ଏହି ହାର ୧୦ରୁ ୨୦ ପ୍ରତିଶତ ମଧ୍ୟରେ ସୀମିତ ରହିବ। ପ୍ରାୟ ୮ ମାସର ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ୨୦୨୫ରେ ଟ୍ରମ୍ପ ଲାଗୁ କରିଥିବା ପୂର୍ବ ଟାରିଫ୍କୁ ଫେବୃଆରୀରେ ଆମେରିକାର ସୁପ୍ରିମକୋର୍ଟ ବେଆଇନ ବୋଲି କହି ରଦ୍ଦ କରିଦେଇଥିଲେ। ଏବେ ନୂଆ ପ୍ରସ୍ତାବ ଜରିଆରେ ସେହି ନୀତିକୁ ଅନ୍ୟ ଢଙ୍ଗରେ ଆଗକୁ ବଢ଼ାଇବାକୁ ଉଦ୍ୟମ ହେଉଛି।
ଗତବର୍ଷ ଟ୍ରମ୍ପ ହ୍ୱାଇଟ୍ ହାଉସ୍ର ରୋଜ୍ ଗାର୍ଡେନ୍ରେ ବଡ଼ ଆଡ଼ମ୍ବରରେ ‘ଲିବରେସନ୍ ଡେ’ ଟାରିଫ୍ ଘୋଷଣା କରିଥିଲେ। କିନ୍ତୁ ଏଥର ନୂଆ ଟାରିଫ୍ ନେଇ ସେଭଳି କୌଣସି ହୋହଲ୍ଲା ହୋଇନାହିଁ। ଥ୍ୟାଙ୍କସଗିଭିଂ ପୂର୍ବଦିନ ଆମେରିକାର ମୁଖ୍ୟ ବାଣିଜ୍ୟ ଆଲୋଚନାକାରୀ ଜେମିସନ୍ ଗ୍ରିଅର୍ ଏହାର ଘୋଷଣା କରିଥିଲେ। ଟ୍ରମ୍ପ ନିଜେ ଏନେଇ କୌଣସି ସାର୍ବଜନୀନ ବୟାନ ଦେଇନଥିଲେ। ତେବେ ଘୋଷଣାର ପ୍ରଭାବ ତୁରନ୍ତ ଷ୍ଟକ୍ ମାର୍କେଟ୍ରେ ଦେଖିବାକୁ ମିଳିଥିଲା। ବୁଧବାର S&P 500 ସୂଚକାଙ୍କ ପ୍ରାୟ ୦.୨୫ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଥିଲା। ଏହାର କିଛି ଦିନ ପୂର୍ବରୁ ଚିପ୍ କମ୍ପାନୀ ଏନଭିଡିଆର ସିଇଓ ଜେନସେନ୍ ହୁଆଙ୍ଗଙ୍କୁ ପୁଣି ସିଇଓ କରିବା ନେଇ ଟ୍ରମ୍ପଙ୍କ ହସ୍ତକ୍ଷେପ ମଧ୍ୟ ବଜାରରେ ଚର୍ଚ୍ଚା ସୃଷ୍ଟି କରିଥିଲା।
ଟ୍ରମ୍ପଙ୍କ ଟାରିଫ୍ ନୀତିକୁ ନେଇ ଆମେରିକାର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ନିର୍ବାଚନ ସମୟରେ SSRSର ଏକ୍ଜିଟ୍ ପୋଲ୍ରେ ପ୍ରାୟ ଦୁଇ-ତୃତୀୟାଂଶ ଭୋଟର କହିଥିଲେ ଯେ ଟ୍ରମ୍ପଙ୍କ ଟାରିଫ୍ ନୀତି ଆମେରିକାର ଅର୍ଥନୀତିକୁ କ୍ଷତି ପହଞ୍ଚାଇଛି। ମାତ୍ର ୨୧ ପ୍ରତିଶତ ଭୋଟର ଏହାକୁ ଲାଭଦାୟକ ବୋଲି ମତ ଦେଇଥିଲେ।
ୟେଲ୍ ବିଶ୍ୱବିଦ୍ୟାଳୟର ବଜେଟ୍ ଲ୍ୟାବ୍ ଆକଳନ ଅନୁସାରେ, ଟାରିଫ୍ କାରଣରୁ ଆମେରିକାର ପ୍ରତ୍ୟେକ ପରିବାର ଉପରେ ବର୍ଷକୁ ପ୍ରାୟ ୯୦୦ ଡଲାରର ଅତିରିକ୍ତ ଖର୍ଚ୍ଚ ପଡ଼ୁଛି। ଏହାକୁ ନେଇ ଡେମୋକ୍ରାଟ୍ମାନେ ଟ୍ରମ୍ପଙ୍କୁ ଘେରିଛନ୍ତି। ସେମାନଙ୍କ ଅଭିଯୋଗ, ମହଙ୍ଗା ମାଡ଼ରେ ଅତିଷ୍ଠ ଜନତାଙ୍କ ଅସନ୍ତୋଷକୁ ଟ୍ରମ୍ପ ଅଣଦେଖା କରୁଛନ୍ତି। ଅନ୍ୟପଟେ ଇରାନ୍ ଉପରେ ଆକ୍ରମଣ ନିଷ୍ପତ୍ତି ତେଲ ଉତ୍ପାଦନ ଓ ପରିବହନକୁ ପ୍ରଭାବିତ କରିଥିବାରୁ ମହଙ୍ଗା ସ୍ଥିତି ଆହୁରି ବଢ଼ିବା ଆଶଙ୍କା ରହିଛି ବୋଲି ଡେମୋକ୍ରାଟ୍ମାନେ କହିଛନ୍ତି।
ଟ୍ରମ୍ପଙ୍କ ଟାରିଫ୍ ନିଷ୍ପତ୍ତିକୁ ନେଇ ତାଙ୍କ ନିଜ ଦଳ ରିପବ୍ଲିକାନ୍ରେ ମଧ୍ୟ ମତଭେଦ ଦେଖାଦେଇଛି। ନେବ୍ରାସ୍କାର ରିପବ୍ଲିକାନ୍ ସାଂସଦ ଡନ୍ ବେକନ୍ ଏହି ଟାରିଫ୍କୁ ଆମେରିକୀୟ ଉପଭୋକ୍ତାଙ୍କ ଉପରେ ଏକପ୍ରକାର ଟିକସ ବୋଲି କହିଛନ୍ତି। ମହଙ୍ଗା ଏବଂ ଦରମା ବୃଦ୍ଧିର ଧୀମା ଗତି ଯୋଗୁଁ ଦଳକୁ ନିର୍ବାଚନରେ ପରାଜୟ ଦେଖିବାକୁ ପଡ଼ିଛି ବୋଲି ତାଙ୍କ ମତ। ତେଣୁ ଆମଦାନୀ ଶୁଳ୍କ ଲାଗୁ କରିବାର କ୍ଷମତା ପୁଣି ସଂସଦକୁ ଫେରାଇବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ହ୍ୱାଇଟ୍ ହାଉସ୍ର ମୁଖପାତ୍ର ମାଥ୍ୟୁ ମିଡଲଟନ୍ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଆମେରିକୀୟ ଶ୍ରମିକ, କୃଷକ ଓ ବ୍ୟବସାୟୀଙ୍କୁ କ୍ଷତିକାରକ ବାଣିଜ୍ୟ ଚୁକ୍ତିରୁ ସୁରକ୍ଷା ଦେବା ହିଁ ଟ୍ରମ୍ପଙ୍କ ଅଭିଯାନର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ନିର୍ବାଚନରେ ମହଙ୍ଗା ମାଡ଼ ପାଇଁ ଝଟକା ଖାଇବା ପରେ ମଧ୍ୟ ଟ୍ରମ୍ପଙ୍କ ଟାରିଫ୍ ନୀତିରେ ପରିବର୍ତ୍ତନ ନହେବା ଏବେ ଆମେରିକାର ରାଜନୀତି ଓ ଅର୍ଥନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
