ମୁମ୍ବାଇ: ଗତକିଛି ଦିନ ହେବ ନୟନତାରା-ଧନୁଷଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସାଉଥ୍ ଲେଡି ସୁପରଷ୍ଟାର୍ ନୟନତାରା ତାଙ୍କ ଡକ୍ୟୁମେଣ୍ଟାରୀ ‘ନୟନତାରା: ବିଉଣ୍ଡ୍ ଦି ଫେରି ଟେଲ୍’ ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହା ୧୮ ନଭେମ୍ବରରେ ନେଟଫ୍ଲିକ୍ସରେ ପ୍ରିମିୟର୍ ହୋଇଥିଲା। ଏହି ଡକ୍ୟୁମେଣ୍ଟାରୀରେ, ନୟନତାରାଙ୍କ ଜୀବନର ବିଶେଷ ମୂହୁର୍ତ୍ତ ତଥା କ୍ୟାରିୟର ସଫଳତା ଏବଂ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛି ଦର୍ଶାଯାଇଛି। ଏହାକୁ ନେଇ ନୟନତାରା-ଧନୁଷଙ୍କ ମଧ୍ୟରେ ବିବାଦ ଦେଖାଦେଇଛି।
ନୟନତାରା ଓ ଧନୁଷଙ୍କ ମଧ୍ୟରେ କପିରାଇଟ୍ ଉଲ୍ଲଂଘନ ମାମଲା ଥମିବାର ନାଁ ନେଉନାହିଁ। ଜୋରଦାର ବାକ୍ ଯୁଦ୍ଧ ମଧ୍ୟରେ ଧନୁଷଙ୍କ ଟିମ୍ ଏବେ ମାଡ୍ରାସ ହାଇକୋର୍ଟରେ ଅଭିନେତ୍ରୀ ଏବଂ ତାଙ୍କ ଡକ୍ୟୁମେଣ୍ଟାରୀ ‘ନୟନତାରା: ବିୟଣ୍ଡ୍ ଦି ଫେୟାରିଟେଲ’ ବିରୋଧରେ ଦେଓ୍ବାନୀ ମାମଲା ଦାୟର କରିଛନ୍ତି। ସୂଚନା ଅନୁସାରେ, ଧନୁଷଙ୍କ ଫିଲ୍ମ କମ୍ପାନୀ ଓ୍ବଣ୍ଡରବାର ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ନୟନତାରା, ତାଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶ ଶିବନ ଓ ତାଙ୍କ ପ୍ରଡକ୍ସନ କମ୍ପାନୀ ରାଉଡି ପିକ୍ଚର୍ସ ବିରୋଧରେ ଏହି ମାମଲା ଦାୟର କରିଛି। ଏହି ମାମଲାରେ ହାଇକୋର୍ଟ ମଧ୍ୟ ଅଭିନେତ୍ରୀଙ୍କୁ ଏହାର ଜବାବ ରଖିବାକୁ ନିର୍ଦେଶ ଦେଇଛନ୍ତି।
ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଅଭିଯୁକ୍ତ ବିନା ଅନୁମତିରେ ନେଟଫ୍ଲିକ୍ସ ଡକ୍ୟୁ-ଡ୍ରାମାରେ ଅଭିନେତାଙ୍କ ଫିଲ୍ମ ‘ନାନୁମ୍ ରାଉଡି ଧାନ’ର କିଛି ଦୃଶ୍ୟ ବ୍ୟବହାର କରିଛନ୍ତି। ପରବର୍ତ୍ତୀ ଶୁଣାଣିରେ ଏହି ଆଇନଗତ ନୋଟିସ୍ର ଜବାବ ରଖିବାକୁ ନୟନ୍ତରାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ଧନୁଷ ଏବଂ ତାଙ୍କ ପ୍ରଡକ୍ସନ କମ୍ପାନୀ ବିରୋଧରେ ନୟନତାରା ଗୋଟିଏ ପରେ ଗୋଟିଏ କରି ଅନେକ ଅଭିଯୋଗ ଆଣିଥିବା ବେଳେ ଏବେ ତାଙ୍କ ବିରୋଧରେ ଏହି ମାମଲା ଦାୟର ହୋଇଛି। ନୟନତାରା କହିଛନ୍ତି ଯେ, ସେ ଫିଲ୍ମର ଫୁଟେଜ ବ୍ୟବହାର କରିବାକୁ ଧନୁଷଙ୍କଠାରୁ ଅନୁମତି ମାଗିଥିଲେ କିନ୍ତୁ ତାଙ୍କୁ ଅନୁମତି ମିଳିନଥିଲା। ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି, ସେ ଫିଲ୍ମର ଫୁଟେଜ ବ୍ୟବହାର କରିବା ପରିବର୍ତ୍ତେ ଡକ୍ୟୁମେଣ୍ଟାରୀରେ ତିନି ସେକେଣ୍ଡର ଏକ ବିଟିଏସ ଫୁଟେଜ ବ୍ୟବହାର କରିଥିଲେ, କିନ୍ତୁ ଧନୁଷ ୧୦ କୋଟି ଟଙ୍କା ଦାବି କରି ଏକ ଆଇନଗତ ନୋଟିସ୍ ପଠାଇଥିଲେ।