ମୁମ୍ବାଇ: ଭାରତର ୧୧ତମ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ବାୟୋପିକ।
ଏହି ବାୟୋପିକ ଫିଲ୍ମରେ ଅଭିନେତା ଧନୁଷ ମୁଖ୍ୟ ଭୂମିକାରେ ନଜର ଆସିବେ। ଗୁରୁବାର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହାର ଘୋଷଣା କରାଯାଇଥିଲା। ଯାହା ପ୍ରଶଂସକମାନଙ୍କ ଭିତରେ ଉତ୍ସାହ ଭରି ଦେଇ। ହେଲେ ଫିଲ୍ମର ସୁଟିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ତେବେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ ଓମ୍ ରାଉତ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫିଲ୍ମଟି ତାମିଲନାଡୁର ଅନେକ ସ୍ଥାନରେ ସୁଟିଂ ହୋଇପାରେ। ଯେଉଁଥିରେ ରାମେଶ୍ୱରମ୍ ଏବଂ ଧନୁଷକୋଡି ରହିଛି।
ଚଳଚ୍ଚିତ୍ରର ପ୍ରଯୋଜକ ଅଭିଷେକ ଅଗ୍ରୱାଲ କହିଛନ୍ତି, “ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କ ଯାତ୍ରା ସାଂସ୍କୃତିକ ଭାବରେ ସମୃଦ୍ଧ ଥିଲେ ମଧ୍ୟ ଗ୍ରାମୀଣ ସହର ରାମେଶ୍ୱରମରୁ ତାଙ୍କ ଯାତ୍ରା ଆରମ୍ଭ ହୋଇଥିଲା। ତାଙ୍କ ପିତାଙ୍କର ଏକ ଡଙ୍ଗା ଥିଲା ଯାହା ରାମେଶ୍ୱରମ ଏବଂ ଧନୁଷକୋଡି ମଧ୍ୟରେ ହିନ୍ଦୁ ତୀର୍ଥଯାତ୍ରୀମାନଙ୍କୁ ନେବାଆଣିବା କରୁଥିଲେ। ଏଗୁଡ଼ିକ ଏପରି ସ୍ଥାନ ଯାହାର ଗଭୀର ଆଧ୍ୟାତ୍ମିକ ଏବଂ ଐତିହାସିକ ଗୁରୁତ୍ୱ ରହିଛି। ଏହି ପ୍ରତୀକାତ୍ମକ ସ୍ଥାନଗୁଡ଼ିକୁ ପରଦାରେ ଜୀବନ୍ତ ଦେଖିବା ପ୍ରକୃତରେ ଉତ୍ସାହଜନକ ହେବ।”
ସେ ଆହୁରି କୁହନ୍ତି ଯେ ଅବଦୁଲ କଲାମଙ୍କ ଜୀବନୀ ଉପରେ ଫିଲ୍ମ ତିଆରି କରିବା ଏକ ସମ୍ମାନଜନକ କାର୍ଯ୍ୟ। ଏହି ଫିଲ୍ମଟି ଅଭିଷେକ ଅଗ୍ରୱାଲଙ୍କ ଦ୍ୱାରା ପ୍ରଯୋଜିତ ହେବ। ଯିଏକି ‘ଦି କାଶ୍ମୀର ଫାଇଲ୍ସ’ ଭଳି ଫିଲ୍ମ ନିର୍ମାଣ କରିଛନ୍ତି। ଏଥିରେ ତାଙ୍କୁ ଟି-ସିରିଜର ଭୂଷଣ କୁମାର ସହାୟତା କରିବେ। ଫିଲ୍ମର କାହାଣୀ ଏବଂ ଚିତ୍ରନାଟ୍ୟ ସାଇଭିନ୍ କ୍ୱାଦ୍ରାସ ଲେଖିବେ।
ସାଇଭିନ୍ ‘ନୀରଜା’, ‘ପରମାଣୁ’ ଏବଂ ‘ମୈଦାନ’ ଭଳି ଫିଲ୍ମ ପାଇଁ କାମ କରିଛନ୍ତି।
ତେବେ ରାମେଶ୍ୱରମରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ତାଙ୍କର ଯାତ୍ରାକୁ ବଡ଼ ପରଦାରେ ପ୍ରଦର୍ଶିତ କରାଯିବ। ଯେଉଁଥିରେ ଦେଖିବାକୁ ମିଳିବ କିପରି ଏକ ଗରିବ ପରିବାରର ପୁଅ ଦେଶର ଶ୍ରେଷ୍ଠ ବୈଜ୍ଞାନିକ ଏବଂ ତା’ପରେ ରାଷ୍ଟ୍ରପତି ହୁଏ। ଏହା ଦେଶ ପାଇଁ କିଛି କରିବାକୁ ଚାହୁଁଥିବା ଯୁବ ବର୍ଗଙ୍କ ପାଇଁ ଏକ ଉଦାହରଣ ହେବ। ଏହି ଫିଲ୍ମରେ କିଏ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ତାହା ଉପରୁ ପରଦା ହଟିଛି, ଜାତୀୟ ପୁରସ୍କାର ବିଜେତା ଧନୁଷ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି।
ଧନୁଷ ଏପରି ଜଣେ ଅଭିନେତା ଯିଏ ପ୍ରତ୍ୟେକ ଚରିତ୍ରରେ ଜୀବନ ଭରି ଦିଅନ୍ତି। ଏବେ ପ୍ରଶଂସକମାନେ ଫିଲ୍ମର ରିଲିଜ ଡେଟକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
Comments are closed.