Latest Odisha News

BREAKING NEWS

ଧର୍ମଶାଳା…ହିମାଂଶୁ ବନାମ ପ୍ରଣବ

ଭୁବନେଶ୍ବର: ହିମାଂଶୁ ସାହୁ ବନାମ ପ୍ରଣବ ବଳବନ୍ତରାୟ । ବିଧାୟକ ବନାମ ପୂର୍ବତନ ବିଧାୟକ । ଦୁଇ ନେତାଙ୍କ ମଧ୍ୟରେ ତୁ ତୁ ମେ ମେ କୁ ନେଇ ଉଠୁଛି ପଡୁଛି ଧର୍ମଶାଳା ରାଜନୀତି। କେତେବେଳେ ସ୍ବର୍ଗତ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିକୁ ନେଇ ତ କେତେବେଳେ ଧର୍ମଶାଳାରେ ଆଇନ ଶୃଙ୍ଖଳାକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରଦାର ହେଉଛି । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବିଧାୟକ ହିମାଂଶୁ ସାହୁ ସୁରକ୍ଷା ମାଗିଛନ୍ତି ତ ଆଇନ ଶୃଙ୍ଖଳା ନେଇ ବିଧାୟକଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ।

କାହିଁକି ଢାଙ୍କିଲେ କଳ୍ପତରୁଙ୍କ ପ୍ରତିମୂର୍ତ୍ତି ?

ଯାଜପୁର ଜାରକାରେ ପୂର୍ବତନ ବିଧାୟକ ସ୍ବର୍ଗତ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଗେରୁଆ କପଡାରେ ଢାଙ୍କିବାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ। ବିଧାନସଭାରେ ପ୍ରସଙ୍ଗ ଉଠାଇଥିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ପୂର୍ବତନ ବିଧାୟକଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ନେଇ ବିଜେଡି ପ୍ରଶ୍ନ ଉଠାଇଥିବା ବେଳେ ପାଲଟା ଜବାବ ଦେଇଥିଲେ ହିମାଂଶୁ ସାହୁ । ଧର୍ମଶାଳାରେ ପରିବାର ରାଜନୀତିର ବିସ୍ତାର ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କଳ୍ପତରୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଯେବେ କି ଧର୍ମଶାଳା ବିକାଶରେ ଭୂମିକା ରହିଥିବା ସ୍ବର୍ଗତ ବାଙ୍କବିହାରୀ ଦାସ, କାଙ୍ଗାଳି ପଣ୍ଡାଙ୍କ ଭଳି ପୂର୍ବତନ ବିଧାୟକଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇନି ବୋଲି ହିମାଂଶୁ କହିଥିଲେ ।

ଜଙ୍ଗଲ ଜମିକୁ ନେଇ ମୁହାଁମୁହିଁ

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପରିବାର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରି ବ୍ୟକ୍ତିଗତ କାମରେ ଲଗାଇଥିବା ନେଇ ଅଭିଯୋଗ ହେବା ପରେ ମାପଚୁପ କରାଯାଇଥିଲା । ସ୍ବର୍ଗତ କଳ୍ପତରୁ ଦାସ ନୂଆଗାଁ ମୌଜାରେ ୫ଏକର ୪୧ଡିସିମିଲି ଜମି ଗୋକର୍ଣ୍ଣେଶ୍ବର ଚାରିଟେବୁଲ ଟ୍ରଷ୍ଟ ନାଁରେ କରାଇଥିବା ଅଭିଯୋଗ ହୋଇଥିଲା । ତେବେ ପ୍ରଣବ ବଳବନ୍ତରାୟ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ସଂପୃକ୍ତ ପ୍ଲଟ ନମ୍ବରରେ ତାଙ୍କର କୌଣସି ଜମି ନାହିଁ । ତାଙ୍କୁ ବଦନାମ କରିବାକୁ ଉଦ୍ୟମ ହେଉଥିବା ପ୍ରଣବ କହିଥିଲେ । ଓଲଟା ବିଧାୟକଙ୍କ କୁମାରୀଠାରେ ଥିବା ଅଫିସର ପଟ୍ଟା ଦେଖାଇବାକୁ କହିଥିଲେ ।

ସୁରକ୍ଷା ମାଗିଥିଲେ ହିମାଂଶୁ

ଜଙ୍ଗଲ ଜମିକୁ ନେଇ ଉଭୟ ନେତା ମୁହାଁମୁହିଁ ହେବା ପରେ ହିମାଂଶୁ ସାହୁଙ୍କ କୁମାରୀସ୍ଥିତ କାର୍ଯ୍ୟାଳୟରେ ଗୁଳିମାଡ ଅଭିଯୋଗ ହୋଇଥିଲା । ଗୁଳିକାଣ୍ଡ ଘଟଣାରେ ୨ଜଣଙ୍କ ନାଁରେ ମାମଲା ହୋଇଥିଲା । ସେମାନେ ପୂର୍ବତନ ବିଧାୟକଙ୍କ ସହଯୋଗୀ ବୋଲି ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରୁ ୨ଟି ଖୋକା ଜବତ କରିଥିଲା। ସେପଟେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡିଥିଲେ ଧର୍ମଶାଳା ବିଧାୟକ।

ଅଶାନ୍ତ ଧର୍ମଶାଳା ପଛରେ କିଏ?

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ହିମାଂଶୁ ସାହୁ ସୁରକ୍ଷା ମାଗିଛନ୍ତି ତ ଆଇନ ଶୃଙ୍ଖଳା ନେଇ ବିଧାୟକଙ୍କୁ ଆଙ୍ଗୁଳି ଦେଖାଇଛନ୍ତି ପ୍ରଣବ ବଳବନ୍ତରାୟ। ବ୍ଲକ କାର୍ଯ୍ୟାଳୟରେ ବିଜେଡି ଓ ବିଜେପି ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଧର୍ମଶାଳା ବିଡିଓଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ପ୍ରଣବ । ଧର୍ମଶାଳାରେ ବିକାଶମୂଳକ କାମ ଠପ୍ ହୋଇ ରହିଛି । ପୂର୍ବ କାମର ବିଲ୍ ପୈଠ କରାଯାଉନି । ବିଡିଓଙ୍କୁ ଭେଟିବାକୁ ଯାଇଥିବା ପଞ୍ଚାୟତ ପ୍ରତିନିଧିଙ୍କୁ ମାରଧର କରାଯାଉଥିବା ପ୍ରଣବ ଅଭିଯୋଗ କରିଛନ୍ତି । ସେପଟେ ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଛି । ସରକାରୀ ଅନୁଦାନ ହରିଲୁଟ ନେଇ ତଦନ୍ତ ଚାଲିଥିବା ହିମାଂଶୁ କହିଛନ୍ତି ।

ନିର୍ବାଚନ ଜିତିବା ପରଠୁ ହିଁ ହିମାଂଶୁ ସାହୁ ଆଟାକିଂ ମୋଡରେ ରହିଛନ୍ତି । ଧର୍ମଶାଳା ଭବନ, ବଲ୍ଲେ ବଲ୍ଲେ ଢାବା ହେଉ କି ଖଣି ଉପରେ ରେଡ୍, ଗତ ଦୁଇ ମାସ ମଧ୍ୟରେ ଧର୍ମଶାଳା ରାଜନୀତିରେ ସେ ବେଶ୍ ଆକ୍ଟିଭ୍ ରହିଛନ୍ତି । ସେପଟେ ଏଠାରେ ଦୁଇ ଦୁଇ ଥର ବିଧାୟକ ରହିଥିବା ପ୍ରଣବ ବଳବନ୍ତରାୟ ଗଡ ସମ୍ଭାଳିବାକୁ ଜୋରଦାର ଉଦ୍ୟମ କରୁଛନ୍ତି ।

Comments are closed.