Latest Odisha News

BREAKING NEWS

Dharmashala Incident: ଧର୍ମଶାଳା ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ରାଜନୀତିକରଣ କରିବା ଆବଶ୍ୟକ ନାହିଁ, ପୋଲିସ କାର୍ଯ୍ୟାନୁଷ୍ଠାନ ନେବ

ଭୁବନେଶ୍ୱର: ଯାଜପୁର ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗା ରୁଜା ଓ ସମର୍ଥକଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି ବନାମ ବିଜେଡି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟାହତ ଅଭିଯୋଗକୁ ଏଡ଼ାଇଲେ ଆଇନ ମନ୍ତ୍ରୀ । ସେ କହିଛନ୍ତି ଯେ, ଧର୍ମଶାଳା ଘଟଣାକୁ ରାଜନୀତିକରଣ କରିବା ଆବଶ୍ୟକ ନାହିଁ। ପୋଲିସ ଚାପଗ୍ରସ୍ତ ନହୋଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିଜର ରାଜନୈତିକ ଅସ୍ତିତ୍ୱ ରକ୍ଷା କରିବା ପାଇଁ ଯେ କେହିବି ଆନ୍ଦୋଳନ କରିପାରନ୍ତି। ଧର୍ମଶାଳାର ପୂର୍ବତନ ବିଧାୟକ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି, ସେ ବାବଦରେ ପୋଲିସ ଯଥୋଚିତ କାମ କରିବ। ରାଜ୍ୟରେ ଯେଉଁଠି ଆଇନ ଶୃଙ୍ଖଳା ବ୍ୟାହତ ହେଉଛି, ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଦୋଷୀଙ୍କୁ ଗିରଫ କରାଯାଉଛି।

ଅନ୍ୟପଟେ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଦୋଷୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି। ନିଜ ପୋଷ୍ଟରେ ବିରୋଧୀ ଦଳ ନେତା ଲେଖିଛନ୍ତି ଯେ, ଦିନ ଦ୍ବିପହରରେ ଏହି ଘଟଣା ଘଟିଥିଲେ ବି ପୋଲିସ ପ୍ରଶାସନ ତଥା ସରକାର ନିରବଦ୍ରଷ୍ଟା ସାଜିବା ଏବଂ ଏପର୍ଯ୍ୟନ୍ତ କାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ରାଜ୍ୟରେ ଅରାଜକତା ଓ ଗୁଣ୍ଡାରାଜକୁ ପ୍ରସୟ ଦେଇ ବିଜେପି ସରକାର କ’ଣ ଦର୍ଶାଇବାକୁ ଚାହୁଁଛନ୍ତି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଏହା ସହ ଶାନ୍ତିପ୍ରିୟ ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ । ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ନବୀନ ପଟ୍ଟନାୟକ ।

Leave A Reply

Your email address will not be published.