Latest Odisha News

BREAKING NEWS

ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କଥା କହି ରାଜ୍ୟ ସରକାର ତଥା ଶାସକ ଦଳ ବିରୋଧରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାର ଓ ଶାସକ ଦଳର ନେତାଙ୍କୁ ଓଡ଼ିଶାର ଅପରାଧ ଓ ଅନ୍ୟାନ୍ୟ ସମସ୍ୟା ନେଇ ଆମ ଦଳ ପକ୍ଷରୁ ପ୍ରଶ୍ନ ପଚାରିଲେ ରାଜନୀତି କରାଯାଉଥିବା ଉତ୍ତର ଆସୁଛି । ଗଣତନ୍ତ୍ରରେ ପ୍ରଶ୍ନ କରିବା ପାଇଁ ଓଡ଼ିଆ ଲୋକମାନେ ଆମକୁ ଦାୟିତ୍ୱ ଦେଇଛନ୍ତି ଏବଂ ଏହାକୁ ଆମେ ଜାରି ରଖିବୁ ବୋଲି ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡିଶାରେ ଆଇନ ଶୃଙ୍ଖଳା ଓ ଅପରାଧ ବୃଦ୍ଧି ପାଇଛି। ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ଥିବା ବେଳେ ବିଧାୟକଙ୍କ ବିରୋଧରେ ମଧ୍ୟ ମାମଲା ରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏତେ କଥା ଜାଣିନଥାଇପାରନ୍ତି ବୋଲି ଭୁବନେଶ୍ୱରରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶାସନ କରୁଥିବା ଲୋକମାନେ ଇଷ୍ଟ ଇଣ୍ଡିଆ ଭଳି କଥା କହୁଛନ୍ତି । ଓଡ଼ିଶାର ସରକାରଙ୍କ ଶାସନର ଚାବି ଅସମାମ୍ବିଧାନିକ ଲୋକଙ୍କ ପାଖରେ ଅଛି । ଝାରସୁଗୁଡାରେ ମନ୍ତ୍ରୀ ନବ ଦାସଙ୍କ ଠାରୁ ନାବାଳକ ସମର୍ଥଙ୍କ ହତ୍ୟା ହେଉଥିବା ବେଳେ ପ୍ରଶ୍ନ ପଚାରିଲେ ଓଡ଼ିଶାକୁ ଅପମାନ କରିବା କଥା କୁହାଯାଉଛି ।

ବିଜେଡିକୁ ଟାର୍ଗେଟ୍ କରି ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ନବ ଦାସଙ୍କ ହତ୍ୟା ପରେ ଆଉ ଜଣେ ଛୋଟ ଛୁଆକୁ ହତ୍ୟା କରାଯାଇଛି। ଏହା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୂଚାଉଛି। ଆମେ ଯେତେବେଳେ ବି ଏହି ପ୍ରସଙ୍ଗ ଉଠାଇଥାଉ, ସେମାନେ (ବିଜେଡି) ଏହାକୁ ରାଜନୀତିକରଣ ବୋଲି ଉତ୍ତର ଦେଉଛନ୍ତି ଏବଂ ରାଜ୍ୟକୁ ଲଜ୍ଜିତ କରୁଥିବା ମଧ୍ୟ ଆମ ବିରୋଧରେ ଅଭିଯୋଗ କରୁଛନ୍ତି।

ଯେତେବେଳେ ଆମେ ଓଡ଼ିଶାର ଆଇନ ଶୃଙ୍ଖଳା ବିଷୟରେ ଆଲୋଚନା କରୁ, ସେମାନେ ତୁରନ୍ତ ଉତ୍ତର ପ୍ରଦେଶ ବିଷୟରେ ଉଲ୍ଲେଖ କରୁଛନ୍ତି। କିନ୍ତୁ ଆପଣ ଦୀର୍ଘ ୨୩ ବର୍ଷ ଧରି ଓଡିଶାରେ ଶାସନ କରୁଛନ୍ତି। ଅପରପକ୍ଷରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ୬ ବର୍ଷ ଶାସନ କରିଛନ୍ତି। କିନ୍ତୁ ଏହି ଛଅ ବର୍ଷ ମଧ୍ୟରେ ଯୋଗୀ ସରକାରଙ୍କ ଭୟ ମାଫିଆଙ୍କୁ ନିଦ ହଜାଇ ଦେଇଛି। କିନ୍ତୁ ଏଠାରେ ଓଡ଼ିଶାରେ ମନ୍ତ୍ରୀଙ୍କ ବିରୋଧରେ ମାମଲା ପଡ଼ିରହିଛି ବୋଲି କେନ୍ଦ୍ରଶିକ୍ଷାମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କର ଚାରିଜଣ ଅପରାଧୀ ଆପଣଙ୍କ ବାମ ପଟେ ଓ ପାଞ୍ଚଜଣ ଅପରାଧୀ ଆପଣଙ୍କ ଡାହାଣ ପଟେ ପଇଁତରା ମାରୁଛନ୍ତି। ଅନେକ କଥା ଆପଣ ଜାଣିନଥିବେ। କିମ୍ବା ଆପଣ ସେମାନଙ୍କୁ ବୁଝାଇବା ଭଳି ପରିସ୍ଥିତିରେ ନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବାବଦରେ ବିଧାନସଭାରେ ବିତର୍କ କରନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି। ସେହିପରି ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ପରେ ହଜାର ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ନେଇ ବିଜେଡିକୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ।

ଓଡ଼ିଶା ଆପଣଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଆମେ ପ୍ରତ୍ୟେକ ଘରକୁ ଯାଇ ଆପଣଙ୍କ ବିଫଳତା ବିଷୟରେ ଲୋକଙ୍କୁ ଜଣାଇବୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Leave A Reply

Your email address will not be published.