Latest Odisha News

BREAKING NEWS

ରମାଦେବୀ ବିଶ୍ୱବିଦ୍ୟାଳୟରେ ‘ପଠନର ଆନନ୍ଦ ଏବଂ ଶକ୍ତି’ ଉପରେ ଆଲୋଚନା

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ‘ପଠନର ଆନନ୍ଦ ଏବଂ ଶକ୍ତି’ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ଲେଖକ ତଥା ସମାଲୋଚକ ଚନ୍ଦ୍ରହାସ ଚୌଧୁରୀ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ ‘ପଠନ’ ମନୁଷ୍ଯ ଜୀବନର ଏକ ଆବଶ୍ୟକତା ବୋଲି ଦର୍ଶାଇଥିଲେ ।

ସେ ନିଜ ବିଶ୍ୱବିଦ୍ୟାଳୟର ଦିନକୁ ମନେ ପକାଇ କହିଥିଲେ, କିପରି ଦୃଢ ଇଚ୍ଛା ଏବଂ ଅଧ୍ୟବସାୟ ବଳରେ ରୋଷେୟାରୁ ଜଣେ ଲେଖକ ହୋଇ ପାରିବ ।

ସୁସମାଜ ଗଠନରେ ପଠନର ଅନନ୍ୟ ଆବଶ୍ଯକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଆଗାମୀ ଦଶ ବର୍ଷ ଭିତରେ ପ୍ରତ୍ୟେକ ଛାତ୍ରୀଙ୍କୁ ୪୦ଟି ପୁସ୍ତକ ପଢ଼ିବାକୁ ଉପଦେଶ ଦେଇଥିଲେ । ନିଜ ଜେଜେମାଙ୍କର ରାମାୟଣ ପଢିବାକୁ ମନେ ପକାଇ ସେ କହିଥିଲେ, ବର୍ତ୍ତମାନ ନାରୀମାନେ ପୁସ୍ତକ ପଢ଼ିବାର ଢେର ସୁଯୋଗ ପାଉଛନ୍ତି । ତେଣୁ, ସୋସିଆଲ ମିଡିଆ ଆଦିରେ ଅଧିକ ସମୟ ବ୍ୟୟ ନକରି ପଠନକୁ ଏକ ଅଭ୍ୟାସ ଭଳି ଆପଣେଇବା ଦରକାର ।

ପଠନ ସମ୍ବନ୍ଧୀୟ ଛାତ୍ରୀମାନଙ୍କର ଅନେକ ପ୍ରଶ୍ନର ଉତ୍ତରମଧ୍ୟ ସେ ରଖିଥିଲେ । ଆଲୋଚନା ଚକ୍ରଟି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଇଂରାଜୀ ବିଭାଗର ମୁଖ୍ଯ ସହଯୋଗୀ ପ୍ରଫେସର ମନୀଷା ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପିଜି କାଉନସିଲର ମୁଖ୍ୟ ପ୍ରଫେସର ଚଣ୍ଡୀ ଚରଣ ରଥ, ଉତ୍କଳ ବିଶ୍ୱବଦ୍ୟାଳୟର ପୂର୍ବତନ ଇଂରାଜୀ ବିଭାଗର ମୁଖ୍ୟ ତଥା ଅନୁବାଦ ପ୍ରଫେସର ହିମାଂଶୁ ମହାପାତ୍ର ଯୋଗ ଦେଇଥିଲେ । ପ୍ରଫେସର ମଧୁସ୍ମିତା ପତି ଅତିଥି ଅଭିଭାଷଣ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଇତିଶ୍ରୀ ଷଡ଼ଙ୍ଗୀ ।

Leave A Reply

Your email address will not be published.