Latest Odisha News

BREAKING NEWS

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବାଣ ମାରିଲେ ଧର୍ମେନ୍ଦ୍ର

ଝାରସୁଗୁଡା: ପଞ୍ଚାୟତ, ପୌର ନିର୍ବାଚନରେ ସକ୍ରିୟ ନଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମହାନଦୀ କଥା ଉଠାଇ ରାଜ୍ୟ ସରକାର ତଥା ଶାସକ ଦଳକୁ ବାଣ ମାରିଛନ୍ତି । ଯେଉଁ ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ସତ୍ୟାଗ୍ରହ ପାଖରୁ ଆରମ୍ଭ କରି କଳସ ଯାତ୍ରା କରିଥିଲା ସେହି ଦଳ ଏବେ ଦେଖାଦେଇଥିବା ସ୍ଥିତି ପାଇଁ ଚୁପ କାହିଁକି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

ସେପଟେ ଛତିଶଗଡରେ ଏବେ କଂଗ୍ରେସ ସରକାର ରହିଛି । ସେଠାରେ ସରକାର ବଦଳିବା ପରେ ଓଡିଶା କଂଗ୍ରେସ କହିଥିଲା ଛତିଶଗଡ ସରକାର ସହ କଥା ହୋଇ ମହାନଦୀ ସମସ୍ୟାର ଆଲୋଚନା ହେବ । ଏବେ ସେହି କଥାକୁ ଉଠାଇ କେନ୍ଦ୍ରମନ୍ତ୍ରୀ ପଚାରିଛନ୍ତି ଛତିଶଗଡରେ କଂଗ୍ରେସ ସରକାର ରହିଥିବା ବେଳେ ରାଜ୍ୟ କଂଗ୍ରେସ ଏ ପ୍ରସଙ୍ଗରେ ନିରବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।

ତେବେ ଧର୍ମେନ୍ଦ୍ର ପ୍ରଧାନ ଉପନିର୍ବାଚନରେ ଏପରି ପ୍ରଶ୍ନ ଉଠାଇ ବିଜେପି ଦୋଷ ଛଡାଇବାକୁ ଉଦ୍ୟମ କରିଛି ବୋଲି କୁହାଯାଉଛି । କାରଣ ରାଧାରାଣୀଙ୍କ ପ୍ରଚାର ପାଇଁ ଯେଉଁ 40 ଜଣିଆ ତାଲିକା ରହିଛି ସେଥିରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନାମ ରହିଛି । ତେଣୁ ଧର୍ମେନ୍ଦ୍ର ବିରୋଧୀଙ୍କ ବିଜେଡି ଏବଂ କଂଗ୍ରେସ କୋର୍ଟକୁ ବଲ ଫିଙ୍ଗି ରମଣ ସିଂହଙ୍କ ପ୍ରଚାର ପାଇଁ ପାଗ ଅନୁକୂଳ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ଛତିଶଗଡ କଂଗ୍ରେସର ପ୍ରମୁଖ ନେତା ପ୍ରଚାର କରିପାରନ୍ତି ବୋଲି ସୂଚନା ରହିଛି।

ତେବେ କେନ୍ଦ୍ରମନ୍ତ୍ରୀ ମହାନଦୀ ପ୍ରସଙ୍ଗର ବିଜେଡିକୁ ଟାର୍ଗେଟ କରିବା ପରେ ଜବାବ ରଖିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି, ଛତିଶଗଡର ତତକାଳୀନ ରମଣ ସିଂ ସରକାରଙ୍କ ମନମାନି ଓ କେନ୍ଦ୍ରରେ ବିଜେପି ସରକାରଙ୍କ ଅବହେଳା ଯୋଗୁଁ ମହାନଦୀକୁ ନେଇ ଓଡିଶାର ସ୍ୱାର୍ଥହାନୀ ହେଉଛି । ଯାହାକୁ ନେଇ ଓଡିଶା ନ୍ୟାୟିକ ଲଢେଇ କରୁଛି ।

ଉଲ୍ଲେଖଯୋଗ୍ୟ, ଅଣ ମୌସୁମୀ ସମୟରେ ଓଡ଼ିଶାର ଶୁଖାସୋଡାରେ ପାଣି ନାହିଁ ଶୁଖିଲି ମରୁଭୂମି ଭଳି ଦେଖାଯାଉଛି । ଅନ୍ଯପଟେ ଛତିଶଗଡ ପଟେ ଉଛୁଳା ପାଣି ରହିଛି । ତେଣୁ ଆଗାମୀ ଦିନରେ ମହାନଦୀ ଉପରେ ନିର୍ଭର କରୁଥିବା କଳ କାରଖାନା, ଚାଷୀ ଆଦି ଅଭାବର ସାମ୍ନା କରିପାରନ୍ତି । ତେବେ ଏପରି ଅବସ୍ଥା ନେଇ ରାଜ୍ୟ ସରକାର ନିରବ ରହିଥିବା ବେଳେ ଏହି ମାମଲା ଟ୍ରିବ୍ୟୁନାଲରେ ବିଚାରଧୀନ ରହିଛି।

Leave A Reply

Your email address will not be published.