Latest Odisha News

ପ୍ରେମିକଙ୍କ ଆତ୍ମହତ୍ୟାର କିଛି ସମୟ ପରେ ପ୍ରେମିକାଙ୍କ ଆତ୍ମହତ୍ୟା

ବ୍ରହ୍ମପୁର: ଗଂଜାମ ଜିଲା ଜରଡା ଥାନା ଇଲାକାରେ ମଙ୍ଗଳବାର ସକାଳୁ ଏକ ପ୍ରେମୀ ଯୁଗଳ ଭିନ୍ନଭିନ୍ନ ସ୍ଥାନରେ ଆତ୍ମହତ୍ୟା କରିଛନ୍ତି । ପ୍ରଥମେ ପ୍ରେମିକ ଆତ୍ମହତ୍ୟା କରିଥିଲେ।

ଏହାର କିଛି ସମୟ ପରେ ପ୍ରେମିକା ଆତ୍ମହତ୍ୟା କରିଛନ୍ତି । ଘଟଣାଟି ଜରଡା ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂର ତଥା ସାମନ୍ତରାପୁର ଗ୍ରାମରେ ଘଟିଛି ।

ମିଳିଥିବା ସୂଚନା ପ୍ରକାରେ ଏହି ଗ୍ରାମର ଜଗବନ୍ଧୁ ବେହେରାଙ୍କ ପୁଅ ସୋନୁ ବେହେରା (୨୦) ଓ ଡମ୍ବୁରୁ ପ୍ରଧାନଙ୍କ ଝିଅ ସୁନିତା ପ୍ରଧାନ(୧୮)ଙ୍କ ମଧ୍ୟରେ କିଛି ବର୍ଷ ହେଲା ପ୍ରେମ ସଂପର୍କ ରହିଥିଲା ।

ଉଭୟ ଭିନ୍ନଭିନ୍ନ ଜାତିର ହୋଇଥିବା ଯୋଗୁ ପରିବାର ବର୍ଗ ଏହି ପ୍ରେମ ସଂପର୍କକୁ ସ୍ବୀକୃତି ଦେଇନଥିଲେ । ସୋମବାର ରାତିରେ ସୁନିତାଙ୍କ ବାପା ସୋନୁଙ୍କୁ ଗାଳି ଗୁଲଜ କରିଥିଲେ । ଏହାକୁ ନେଇ ସୋନୁ ଗଭୀର ମାନସିକ ଆଘାତ ପାଇଥିଲେ । ନିଜ ଘର ବାଡିରେ ଥିବା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ।

ଏକଥା ଜଣାପଡ଼ିବା ପରେ ସୁନିତା ସେଠାରେ ପହଞ୍ଚିଥିଲେ । ସୋନୁଙ୍କ ଝୁଲନ୍ତା ଶବ ଦେଖି ମର୍ମାହତ ହୋଇପଡ଼ିଥିଲେ । ତାଙ୍କ ଶବକୁ ଧରି ସୁନିତା ବହୁତ ସମୟ କାନ୍ଦିଥିଲେ । ସେଠାରୁ ସୁନିତା ହଠାତ୍‌ ଚାଲିଯାଇ ଏକ କୂଅରେ ଡେଇଁପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଦେଇଥିଲେ । ତଥାପି ସୁନିତା ମାନସିକ ଆଘାତକୁ ସହି ପାରିନଥିଲେ ।

ଗାଁ ନିକଟରେ ଥିବା ଆମ୍ବ ତୋଟାକୁ ଯାଇ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଥିଲା । ଜରଡ଼ା ଥାନା ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶବକୁ ଜବତ କରିଛି । ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଉଭୟ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.