ଭୁବନେଶ୍ୱର: ରାଜ୍ୟରେ ଜଣଙ୍କ ପରେ ଜଣେ କୋଟିପତି ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଯାହାକୁ ନେଇ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରରେ ସଭା କରିବା ସହ ପ୍ରଶ୍ନ କରିଛନ୍ତି ଗତ ୬ ମାସରେ ୧୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ତଳିଆ ସରକାରୀ କର୍ମଚାରୀଙ୍କ ଠାରୁ ଜବତ ହେବା କ’ଣ ମୁଖ୍ୟମନ୍ତ୍ରୀଙ୍କ ‘ଷ୍ଟପ୍ ପିସି’ର ଉଦାହରଣ । ଆଉ ଧର୍ମେନ୍ଦ୍ରଙ୍କ ଏହି ପ୍ରଶ୍ନ ବିଜେଡି ଦେହରେ ନିଆଁ ହୋଇ ଲାଗିଛି । ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଉତ୍ତର ରଖି କାଉଣ୍ଟର କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।
ଆଜି ତାଳଚେର ଦେଉଳବେଡ଼ା ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗ ଦେଇ ଧର୍ମେନ୍ଦ୍ର କହିଥିଲେ, ୨୦୨୩ ଜାନୁଆରୀରୁ ଜୁନ ମାସ ଛଅ ମାସ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ବିଡିଓଙ୍କ ଭଳି ତଳିଆ ଶ୍ରେଣୀର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଠାରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି ।
ଗତକାଲି ଜନଜାତି ଅଧ୍ୟୁଷିତ ଅଞ୍ଚଳ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳଙ୍କ ପାଖରୁ ନଗଦ ୩ କୋଟି ଟଙ୍କା ଜବତ ହୋଇଛି । ଏହା କଣ ମୁଖ୍ୟମନ୍ତ୍ରୀଙ୍କ ଷ୍ଟପ୍ ପିସିର ଉଦାହରଣ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର କହିଛନ୍ତି- ରାଜ୍ୟରେ ଗରିବ, ଜନଜାତି, ପଛୁଆ ଲୋକଙ୍କର ଖଟିଖିଆ ପଇସା ବାଟମାରଣା ହେଉଛି । ରାଜ୍ୟ ସରକାରରେ ଦାୟିତ୍ୱରେ ଥିବା ଲୋକମାନେ ଏହି କାମରେ ଲାଗିଛନ୍ତି । ଓଡ଼ିଶାରେ ଜଣେ ବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଓ ଓଡ଼ିଶା ଲୋକଙ୍କ ପଇସାରେ ନିଜର ପ୍ରଚାର ପ୍ରସାର କରୁଛନ୍ତି । ଗତକାଲି କୋଟି କୋଟି ଟଙ୍କା ଜବତ ହୋଇଥିବା ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲପାଳଙ୍କର ସେ ହେଉଛନ୍ତି ପୃଷ୍ଠପୋଷକ ।
ରାଜ୍ୟରେ ହେଉଥିବା ଦୁର୍ନୀତି ତୃତୀୟ ମହଲାର ପ୍ରତ୍ୟକ୍ଷ ପୃଷ୍ଠ ପୋଷକତାରେ ହେଉଛି । ମୋଦି ଦେଉଥିବା କୋଟି କୋଟି ଟଙ୍କା ଗରିବ ଲୋକଙ୍କ ପାଖରେ ନ ପହଞ୍ଚୁ, ତାହାର ଷଡ଼ଯନ୍ତ୍ର ହେଉଛି । ମୁଖ୍ୟମନ୍ତ୍ରୀ ପୂର୍ବରୁ କହିଥିଲେ ‘ଷ୍ଟପ ପିସି’ । କୁଆଡେ ଗଲା ସେହି ‘ଷ୍ଟପ ପିସି’ର ଫମ୍ପା ଆଓ୍ୱାଜ ? ବଡ଼ ଅଧିକାରୀ ଓ ତୃତୀୟ ମହଲାର ଅଧିକାରୀ ଧରା ପଡୁନାହାନ୍ତି କାହିଁକି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ ରାଜ୍ୟ ସରକାରଙ୍କ ମୋଦି ବିରୋଧୀ ମନବୃତ୍ତି ଏବଂ ଉଦାସୀନତା କାରଣରୁ ଗରିବ କଲ୍ୟାଣକାରୀ ଯୋଜନାର ସଠିକ୍ କ୍ରିୟାନ୍ୱୟନ ହୋଇ ପାରୁନାହିଁ । ବିଗତ ବର୍ଷରେ ମୋଦି ସରକାର ପ୍ରଚୁର ଅର୍ଥ ଦେବା ପରେ ପରେ ରାଜ୍ୟ ସରକାରଙ୍କ ପାଇଁ ତାଳଚେର ଅବହେଳା ହୋଇଅଛି । ଅନୁଗୁଳ ଓ ତାଳଚେର ଭଳି ଶିଳ୍ପାଞ୍ଚଳରୁ ଓଡ଼ିଶା ସରକାର ଯେତେ ରାଜସ୍ୱ ନେଉଛନ୍ତି, ସେତିକି ମାତ୍ରାରେ ଦାୟିତ୍ୱ ନେଉନାହାନ୍ତି ।
ପ୍ରାୟ ୫୦୦ କୋଟି ମୂଲ୍ୟର ତାଳଚେର ନେହରୁ ଶତାବ୍ଦୀ ମେଡିକାଲ କଲେଜ ଅଚଳାବସ୍ଥା ହୋଇ ପଡିରହିଛି । ଏହାର ସମ୍ମୁଖରେ ଏମଏସିଏଲ ପକ୍ଷରୁ ଅନ୍ୟ ପ୍ରାୟ ୫୦୦ କୋଟି ମୂଲ୍ୟର ନୂତନ ମେଡିକାଲ କଲେଜ ଭବନ ନିର୍ମାଣ କରାଯାଇଥିବା ବେଳେ ଏହାକୁ ଚଲାଇବା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଅତିରିକ୍ତ ୫୦୦ କୋଟିର ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ଯେଉଁ ଦାବି ଥିଲା, ତାକୁ ଏମସିଏଲ ଦ୍ୱାରା ପୂରଣ କରାଯାଇଛି ।
ଏଭଳି ବିଭିନ୍ନ ପ୍ରସଙ୍ଗରେ ଧର୍ମେନ୍ଦ୍ର, ବିଜେଡିକୁ ସମାଲୋଚନା କରିଥିବା ବେଳେ କାଉଣ୍ଟର କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି, ଓଡ଼ିଶା ସରକାରଙ୍କ ଭିଜିଲାନ୍ସ ବିଭାଗ ଗତକାଲି ଜଣେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଉପରେ ରେଡ୍ କରିଥିଲେ । ଯାହାକୁ ନେଇ ଧର୍ମେନ୍ଦ୍ର ରଖିଥିବା ମନ୍ତବ୍ୟକୁ ନେଇ ଓଡ଼ିଶାବାସୀ ହସୁଛନ୍ତି ବୋଲି କହିଛନ୍ତି ସସ୍ମିତ ।
ସସ୍ମିତ ଆହୁରି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଲ ଭାବେ ଜାଣିଛନ୍ତି ଓଡ଼ିଶା ସରକାରଙ୍କ ଜିରୋ ଟଲେରାନ୍ସ ପଲିସି କଣ ? ତା ପରେ ଏଭଳି ବକ୍ତବ୍ୟ ଦେବା ନିନ୍ଦନୀୟ । ବିଗତ ୩ ବର୍ଷ ମଧ୍ୟରେ ଏଭଳି ଦୁର୍ନୀତିଗ୍ରସ୍ତ ୧୮୦ ଜଣ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଯୁକ୍ତି ବାଢ଼ିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ।
ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ମାର୍ଚ୍ଚ ୨୦୨୩ କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଜଣେ ବିଜେପି ବିଧାୟକଙ୍କ ଘରୁ ୮ କୋଟି ମିଳିଥିଲା । ସେତେବେଳେ ଧର୍ମେନ୍ଦ୍ର କାହିଁକି ଚୁପ୍ ରହିଲେ ବୋଲି ପ୍ରଶ୍ନ କରିଛି ବିଜେଡି । ତାଳଚେର ଏମସିଏଲରେ ଦୁର୍ନୀତି କାହା ଛତ୍ରଛାୟା ତଳେ ହେଉଛି ? ବିଜେଡିରୁ ବାହାର କରି ଦିଆଯାଇଥିବା ନେତା ଏବେ ଓଡ଼ିଶା ବିଜେପି ନେତାଙ୍କ ସହ ବୁଲୁଛନ୍ତି ।
ଯଦି ସ୍ୱଚ୍ଛତା ପ୍ରତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରତିବଦ୍ଧତା ରହିଛି, ତାହେଲେ ଅନ୍ୟ ବିଜେପି ଶାସିତ ରାଜ୍ୟକୁ କୁହନ୍ତୁ ଓଡ଼ିଶା ମଡେଲକୁ ଆପଣାଇବେ । ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ସବୁଠୁ ଅଧିକ ସ୍ୱଚ୍ଛତା ରହିଥିବା କହିଛି ବିଜେଡି ।
Comments are closed.