Latest Odisha News

BREAKING NEWS

ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ନୃତ୍ୟରେ ବିଭୋର ହେଲେ ଦର୍ଶକ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ମିଳିତ ଉଦ୍ୟମରେ ଆୟୋଜିତ ୧୫ତମ ଧଉଳି କଳିଙ୍ଗ ମହୋତ୍ସବର ଆଜିଥିଲା ଦ୍ୱିତୀୟ ସନ୍ଧ୍ୟା । ଐତିହାସିକ ଧଉଳି ପାହାଡ଼ର ପାଦଦେଶ ବାଦ୍ୟଯନ୍ତ୍ର, ଓଡ଼ିଶୀ ଓ ସମରକଳା ନୃତ୍ୟ ସଙ୍ଗୀତରେ ଥିଲା ଚଳଚଞ୍ଚଳ ।

ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଯନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ ଯାହାକୁ ପ୍ରସ୍ତୁତ କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ସାଥୀ । ତାଙ୍କର ପ୍ରସ୍ତୁତିରେ ଥିଲା ଓଡ଼ିଶାର ଖ୍ୟାତନାମା ସଙ୍ଗୀତକାର ତଥା ଗାୟକ ଗୁରୁ ରାମହରି ଦାସଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କିଛି ସ୍ୱନାମଧନ୍ୟ ସଙ୍ଗୀତର ସମାରୋହ ମହୋଦଧୀ । ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଯନ୍ତ୍ର ସଙ୍ଗୀତକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ସୃଜନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ । ପ୍ରଥମେ ଓଡ଼ିଶୀ ନୃତ୍ୟ ଆଧାରରେ ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ କିରୁବାଣୀ ମାଧୁରିମା । ରାଗ କିରୁବାଣୀ ଉପରେ ଆଧାରିତ ଥିଲା ତାଙ୍କର ଏହି ପରିବେଷଣ । ପରେ ପରେ ପ୍ରସ୍ତୁତ ହୋଇଥିଲା ଅର୍ଦ୍ଧନାରିସ୍ୱର । ମହାଦେବଙ୍କର ଅର୍ଦ୍ଧନାରିସ୍ୱର ଉପାକ୍ଷାନକୁ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଉପସ୍ଥାପିତ କରିଥିଲେ । ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ । ନୃତ୍ୟ ରଚନା କରିଥିଲେ ଶ୍ରୀ ନିତ୍ୟାନନ୍ଦ ମିଶ୍ର ଏବଂ ନୃତ୍ୟାଭିନୟକୁ ସଂଯୋଜନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର । ନିଖୁଣ ଏବଂ ଛନ୍ଦମୟ ସଂରଚନାରେ ସୁନ୍ଦର ଓ ଚମକ୍ରାର ପରିବେଷଣ ଅତ୍ୟନ୍ତ ଚିତାକର୍ଷକ ଓ ଭାବୋଦ୍ଦୀପକ ଥିଲା ।

କାର୍ଯ୍ୟକ୍ରମ ଶେଷରେ ମଣିପୁର ଇମ୍ଫାଲରୁ ଆସିଥିବା ରାଜେନ ମଙ୍ଗଙ୍ଗ ଓ ସାଥୀମାନଙ୍କ ଦ୍ୱାରା ସମରକଳା ନୃତ୍ୟ ଥାଙ୍ଗ-ଥା ପରିବେଷଣ ଯାହା ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ ଓ ବିସ୍ମୟ କରିଥିଲା ।

ସନ୍ଧ୍ୟାର ଅତିଥିମାନେ ଥିଲେ ପୂର୍ବତନ ପ୍ରଶାସକ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ; ପର୍ଯ‎୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଉତ୍ପଳ କୁମାର ପତି; ସମାଜସେବୀ ଶାସ୍ୱତୀ ବଳ ତଥା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଜା ତାରିଣୀ ମିଶ୍ର ଓ ଡ଼. ଶ୍ରୀନିବାସ ଘଟୁଆରୀ ।

Leave A Reply

Your email address will not be published.