ଢେଙ୍କାନାଳ: ଦେଶ ବିଦେଶରେ ଢେଙ୍କାନାଳ ଆମ୍ବର ଚାହିଦା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଆମ୍ରପଲ୍ଲୀ ଆମ୍ବ ଲଣ୍ଡନକୁ ରପ୍ତାନୀ ହୋଇଛି । ଢେଙ୍କାନାଳରୁ ସିଧା ଲଣ୍ଡନକୁ ପଠାଯାଇଛି ୧ ଟନ୍ ପ୍ରିମିୟମ୍ ଆମ୍ରପଲ୍ଲୀ ଆମ୍ବ। ଚଳିତ ବର୍ଷ ଓଡ଼ିଶାରୁ ପ୍ରଥମକରି ଢେଙ୍କାନାଳରୁ ଆମ୍ବ ବିଦେଶକୁ ପଠା ଯାଇଥିବା ବେଳେ ଆଗକୁ ଟନ୍ ଟନ୍ ଆମ୍ବ ଅନ୍ୟ ଦେଶକୁ ମଧ୍ୟ ରପ୍ତାନୀ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।
ଚଳିତ ବର୍ଷ ପ୍ରଥମ ପର୍ଯାୟରେ ଆମ୍ରପଲ୍ଲୀ ଆମ୍ବ ଲଣ୍ଡନ କୁ ରପ୍ତାନୀ ହୋଇଥିବା ବେଳେ ଆଗକୁ ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଦୁବାଇ ଭଳି ଅନ୍ୟ ଦେଶକୁ ମଧ୍ୟ ରପ୍ତାନୀ ପାଇଁ ଅର୍ଡର ମିଳିଥିବା ଜଣାପଡ଼ିଛି।ଯାହାକୁ ନେଇ ଚାଷୀ ବେଶ୍ ଖୁସି । ଏଥର ପ୍ରାୟ ୨୦୦ ମେଟ୍ରିକ ଟନ୍ ଆମ୍ବ ବିଦେଶ ପଠାଯିବା ସହ ରାଜ୍ୟର ବିଭିନ୍ନ ସ୍ଥାନକୁ ୨୦୦ ମେଟ୍ରିକ ଟନ୍ ପଠାଇବାକୁ ଉଦ୍ୟାନ ବିଭାଗ ଲକ୍ଷ୍ୟ ରଖିଛି।
ଅନୁକୂଳ ପାଣିପାଗ ଓ ଜଳବାୟୁ ଯୋଗୁଁ ଢେଙ୍କାନାଳରେ ଆମ୍ବ ଚାଷକୁ ବେଶ ସୁହାଇଥାଏ । ଏଣୁ ଏଠାରେ ବିଭିନ୍ନ ରକମର ଆମ୍ବ ଚାଷ ହୋଇଥାଏ। ତେବେ ବିଦେଶକୁ ରପ୍ତାନୀ ଦ୍ବାରା ଜିଲ୍ଲାର ଆମ୍ବ ଚାଷୀ ବେଶ୍ ଦୁଇ ପଇସା ଲାଭ ପାଉଛନ୍ତି । ଲୋକାଲ ମାର୍କେଟ୍ ରେ ଏହି ଆମ୍ରପଲ୍ଲୀ ଆମ୍ବକୁ ଚାଷୀ ୪୦ରୁ ୫୦ ଟଙ୍କାରେ ବିକ୍ରି କରୁଥିବା ବେଳେ ବିଦେଶ ମାର୍କେଟ କୁ ୭୦ରୁ ୮୦ ଟଙ୍କା ରେ ଦିଆଯାଉଛି ।
ପାହାଡ଼ିଆ ମାଟି ଓ ଉତ୍ତମ ଜଳବାୟୁ କାରଣରୁ ଢେଙ୍କାନାଳ ଆମ୍ବ ସୁସ୍ବାଦୁ ଓ ରସାଳ। ଢେଙ୍କାନାଳ ସଦରବ୍ଲକ ଓ ଓଡ଼ାପଡ଼ା ବ୍ଲକ୍ ର ଚାଷୀଙ୍କ ଠାରୁ ଆମ୍ବ ସବୁ ସଂଗ୍ରହ କରାଯାଇଥିଲା।ପରେ କିଛି ତାଲିମ ପ୍ରାପ୍ତ ମହିଳା ଓ ପୁରୁଷ ଙ୍କୁ ନେଇ ଆମ୍ବ ସବୁକୁ ଧୋଇ ପୋଛି ତାକୁ ସ୍ଵତନ୍ତ୍ର ଭାବେ ବକ୍ସ ପ୍ୟାକିଂ କରାଯାଇଥିଲା। ପରେ ଏହାକୁ ଲଣ୍ଡନ ପଠାଯାଇଥିଲା।
ସୂଚନାଥାଉକି, ଭାରତ ସରକାରଙ୍କ ଆପେଡା ଓ ରାଜ୍ୟ ସରକାରଙ୍କ ପାଲାଡିୟମ ଏକ୍ସପୋର୍ଟ ଟିମ୍ ଉଦ୍ୟାନ ଓ କୃଷି ବିଭାଗ ତଥା ସ୍ଥାନୀୟ ସପ୍ତଶଯ୍ୟା କୃଷି ଉତ୍ପାଦକ ସଂସ୍ଥାର ମିଳିତ ସହଯୋଗରେ ଏହି ରପ୍ତାନୀ କରାଯାଇଛି ।