Latest Odisha News

BREAKING NEWS

ପରାଜୟ ଧାରାରେ ବ୍ରେକ, କ୍ରିଜରେ ଧୋନୀଙ୍କ ଧୂଆଁଧାର ବ୍ୟାଟିଂ ପାଇଁ ହାରିଲା ଲକ୍ଷ୍ନୌ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସକେ) ଶେଷରେ ନିଜର ଲଗାତର ପରାଜୟରେ ବ୍ରେକ ମାରିଛି । ଲକ୍ଷ୍ମୌ ବିପକ୍ଷରେ ମ୍ୟାଚ ବିଜୟୀ ହୋଇ ଚଳିତ ଆଇପିଏଲ ସିଜନରେ ଦ୍ୱିତୀୟ ବିଜୟ ହାସଲ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ମ୍ୟାଚରେ ୧୬୭ ରନର ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ଚେନ୍ନାଇ ଶେଷ ଓଭରରେ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟରେ ଏମଏସ ଧୋନୀଙ୍କ ଦମଦାର ପ୍ରଦର୍ଶନ ରହିଛି। ଧୋନୀ ୧୧ଟି ବଲରୁ ଅପରାଜିତ ୨୬ ରନ କରିଥିଲେ, ଯେଉଁଥିରେ ୪ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା।

ଧୋନୀଙ୍କ ସହ ଶିବମ ଦୁବେ ୩୭ ବଲରୁ ଅପରାଜିତ ୪୩ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ତାଙ୍କ ବ୍ୟାଟରୁ ୩ଟି ଚୌକା ଓ ୨ଟି ଛକା ବାହାରିଥିଲା। ଓପନର ରଚିନ ରବୀନ୍ଦ୍ର ୩୭ ଓ ଶେଖ ରଶୀଦ ୨୭ ରନ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ୧୫ ଓଭରରେ ଧୋନୀ ବ୍ୟାଟିଂ ପାଇଁ ଆସିଥିଲେ । ଏହି ସମୟରେ ଚେନ୍ନାଇ ୧୧୧ ରନରେ ୫ଟି ୱିକେଟ ହରାଇ ସାରିଥିଲା।

ଶିବମ ଦୁବେ କ୍ରିଜରେ ରନ୍ ପାଇଁ ସଂଘର୍ଷ କରୁଥିବା ବେଳେ ଧୋନୀଙ୍କ ସହଯୋଗ ମିଳିଥିଲା । ଆଉ ଦଳ ଆଗକୁ ବଢ଼ି ଚାଲିଥିଲା । ସେ ଆବେଶ ଖାନଙ୍କ ପଞ୍ଚମ ଓ ଷଷ୍ଠ ବଲରେ ଲଗାତାର ଦୁଇଟି ଚୌକା ମାରି ନିଜର ଦମଦାର ପ୍ରଦର୍ଶନକୁ ଦେଖାଇଥିଲେ। ୧୭ତମ ଓଭରର ଶେଷ ବଲରେ ଧୋନୀଙ୍କ ଦମଦାର ଛକା ମ୍ୟାଚକୁ ଚେନ୍ନାଇ ଆଡ଼କୁ ମୋଡ଼ି ଦେଇଥିଲା। ୧୮ ଓଭରରେ ଆବେଶ ମାତ୍ର ୭ ରନ ଦେଇଥିଲେ, କିନ୍ତୁ ଧୋନୀ ଏଥିରେ ମଧ୍ୟ ଏକ ଚୌକା ଯୋଡ଼ିଥିଲେ। ୧୯ତମ ଓଭରରେ ଦୁବେ ଏକ ଚୌକା ଓ ଛକା ମାରିଥିବା ବେଳେ ଧୋନୀ ଆଉ ଏକ ଚୌକା ମାରିଥିଲେ। ଶେଷରେ ଦୁବେଙ୍କ ଚୌକା ଚେନ୍ନାଇକୁ ବିଜୟୀ କରାଇଥିଲା।

ଏହା ପୂର୍ବରୁ ଲକ୍ଷ୍ନୌ ୧୬୬ ରନର ସଂଗ୍ରହ କରିଥିଲା। ଓପନର ଏଡେନ ମାକ୍ରମ ମାତ୍ର ୬ ରନ କରିଥିବା ବେଳେ ନିକୋଲାସ ପୁରନ ୮ ରନରେ ପାଭିଲିୟନ ଫେରିଥିଲେ। ମିଚେଲ ମାର୍ଶ ୩୦ ଓ ଅଯୁଷ ବଡୋନୀ ୨୨ ରନ କରିଥିଲେ। କିନ୍ତୁ ଅଧିନାୟକ ରିଷଭ ପନ୍ତଙ୍କ ୬୩ ରନର ପାଳି ଦଳକୁ ଲଢ଼ୁଆ ସ୍କୋର ପର୍ଯ୍ୟନ୍ତ ପହଞ୍ଚାଇଥିଲା। ଧୋନୀଙ୍କୁ ବ୍ୟାଟିଂ ଓ ୱିକେଟ କିପିଂ ପାଇଁ ‘ପ୍ଲେୟାର ଅଫ ଦ ମ୍ୟାଚ’ ପୁରସ୍କାର ପ୍ରଦାନ କରାଯାଇଛି।

Comments are closed.