ଭୁବନେଶ୍ବର: ପୁରୀ ଜିଲ୍ଲା କଣାସରେ ଝାଡାବାନ୍ତିରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଗତ ୧୦ଦିନ ଧରି ବିଭିନ୍ନ ପଞ୍ଚାୟତର ପ୍ରାୟ ୨୫୦ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏବେବି ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ହେଲେ ସରକାର ଲୋକଙ୍କ ସହ ନଥିବା ବିଜେଡି ଅଭିଯୋଗ କରିଛି । ଗଙ୍ଗୁଆ ନଦୀରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍ ଭାବେ ନହେବାରୁ ଏଭଳି ଅଭାବନୀୟ ସ୍ଥିତି ଉପୁଜିଛି । କେବଳ ଲୋକଙ୍କ ସ୍ବାସ୍ଥ୍ୟ ସଂକଟ ନୁହେଁ ମଇଳା ପାଣି ଦୟା ନଦୀ ଦେଇ ଚିଲିକାକୁ ଯାଉଥିବାରୁ ଏଠାକାର ଜୈବ ବିବିଧତା ପ୍ରଭାବିତ ହେବାର ଆଶଙ୍କା ବି ରହିଛି । ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଅଣଦେଖା କଣାସରେ ପୁଣି ପୁନରାବୃତ୍ତି ହେଉଥିବା ଅଭିଯୋଗ ହେଉଛି । ସେପଟେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ କଣାସ ଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
କଣାସ ଝାଡାବାନ୍ତି ପଛରେ ଗଙ୍ଗୁଆ ପ୍ରଦୂଷଣ !
ଗଙ୍ଗୁଆ ନଦୀର ମଇଳା ପାଣି ଦୟା ଦେଇ ବଡଗୋଟ ବାଟେ ଚିଲିକାକୁ ଯାଉଛି । ପ୍ରଭାବିତ ହେଉଛି ଦୟା, ରାଜୁଆ, ମକରା, ରତ୍ନଚିରା, ଲୁଣା ଓ ଭାର୍ଗବୀ ନଦୀ ପାଣି । ଦୂଷିତ ପାଣି ବ୍ୟବହାର ଯୋଗୁଁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୨୫୦ ଲୋକ । କିଛି ଲୋକ ସଂକଟାପନ୍ନ ଅବସ୍ଥାରେ ଜୀବନ ସହ ସଂଘର୍ଷ କରୁଛନ୍ତି । କଣାସ ବ୍ଲକର ଗଡ଼ିଶାଗଦା, ଗୋପୀନାଥପୁର, ଚୁପୁଲିଙ୍ଗି, ଦୋକନ୍ଦା, ଜାମୁଳଗଦା, ପାଣ୍ଡିଆକେରା ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହା ବଡ ବିପର୍ଯ୍ୟୟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ବିଫଳ ହୋଇଥିବା ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି ।
ପ୍ରଦୂଷିତ ହେଉଛି ଚିଲିକା !
କେବଳ ସ୍ବାସ୍ଥ୍ୟ ସଂକଟ ନୁହେଁ, ଚିଲିକା ବି ପ୍ରଦୂଷିତ ହେବାର ଆଶଙ୍କା ରହିଛି । ଦୟା ନଦୀ ପାଣି ବିଷ ପାଲଟିଥିବା ବେଳେ, ମାଛ ମରି ଭାସୁଛନ୍ତି। ଜଳସଂପଦ ବିଭାଗ, ନଗର ଉନ୍ନୟନ ଓ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ସଞ୍ଜୟ ଦାସବର୍ମା କହିଛନ୍ତି । ଏନେଇ ସ୍ଥାୟୀ ଆକ୍ସନ୍ ପ୍ଲାନ ପ୍ରସ୍ତୁତ ହେଉ । ଦୂଷିତ ପାଣିର ପ୍ରଭାବ ଚିଲିକା ଉପରେ କେମିତି ପ୍ରଭାବ ପଡିବ? କଣ କ୍ଷତି ହେବାକୁ ଯାଉଛି? ସେନେଇ ବଡ଼ଗୋଠରୁ ପାଣି ନମୁନା ନେଇ ଅନୁଧ୍ୟାନ କରିବାକୁ ଜଙ୍ଗଲ ପରିବେଶ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଦାସବର୍ମା କହିଛନ୍ତି ।
ଲୋକଙ୍କ ସହ ନାହାନ୍ତି ସରକାର !
ନିଜକୁ ଲୋକଙ୍କ ସରକାର କହୁଥିବା ବିଜେପି ସରକାର ୭ମାସ ପରେ ବି ଲୋକଙ୍କ ସହ ନଥିବା ପିପିଲିର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରୁଦ୍ର ମହାରଥୀ କହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହେ କୋଟି ଟଙ୍କାର ପ୍ରକଳ୍ପ କରିଥିଲେ ବି ଏବେ ତାର କାମ ଠପ୍ ହୋଇରହିଛି । ପ୍ରଦୂଷିତ ପାଣି ଯୋଗୁଁ ପିପିଲିର ଲୋକେ କର୍କଟ ରୋଗରେ ପୀଡିତ ହେଉଛନ୍ତି । ନବୀନ ସରକାର ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଅନୁମୋଦନ କରିଥିଲେ । ବିଜେପି ସରକାର କେବେ ସୁଦ୍ଧା ଏହି ପ୍ଲାଣ୍ଟ କରିବେ ବୋଲି ରୁଦ୍ର ମହାରଥୀ ପ୍ରଶ୍ନ କରିଛନ୍ତି ।
କଣାସ ଝାଡାବାନ୍ତି ଘଟଣାକୁ ନେଇ ବିରୋଧୀ ବିଜେଡି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ସଜାଗ ରହିଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । କଣାସକୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ପଠାଯାଇଛି । ପର୍ଯ୍ୟାପ୍ତ ଔଷଧ ମହଜୁଦ ରହିଛି, ଚିକିତ୍ସା ସେବା ଠିକ୍ ଭାବେ ଚାଲିଛି । ପ୍ରଭାବିତ ଅଞ୍ଚଳରେ ଯେପରି ଝାଡାବାନ୍ତି ଆଉ ଅଧିକ ନବ୍ୟାପେ ସେନେଇ ପଦକ୍ଷେପ ନେଉଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ତେବେ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ବେଳେ ରାଜ୍ୟ ସରକାରଙ୍କ ମନୋବୃତ୍ତିର ପୁନରାବୃତ୍ତି କଣାସରେ ଦେଖିବାକୁ ମିଳୁଛି । ୧୦ଦିନ ଧରି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବା ନେତା ଗାଁକୁ ଯାଇନାହାନ୍ତି। ଜିଲ୍ଲାପାଳ ୯ଦିନ ପରେ ଗାଁକୁ ଗସ୍ତ କରିଛନ୍ତି । ଏଥିରୁ ଲୋକଙ୍କ ଜୀବନ ନେଇ ପ୍ରଶାସନିକ ଉଦାସୀନତା ସ୍ପଷ୍ଟ ବାରି ହେଉଛି ।
Comments are closed.