Latest Odisha News

BREAKING NEWS

ଜିତାଇବେ ହରାଇବେ ସ୍ବିଙ୍ଗ ଭୋଟର

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗଲକୁ ନେଇ ମୁହାଁମୁହିଁ ଆପ୍, ବିଜେପି ଓ କଂଗ୍ରେସ । ଦିଲ୍ଲୀ ଲଢେଇରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରନ୍ତି ସ୍ବିଙ୍ଗ ଭୋଟର । ଗତ ୧୦ବର୍ଷ ଧରି ଦିଲ୍ଲୀ ଭୋଟର ଲୋକସଭାରେ ବିଜେପିକୁ ଭୋଟ୍ ଦେଇଛନ୍ତି ତ ବିଧାନସଭା ପାଇଁ ଆମ ଆଦମୀ ପାର୍ଟିକୁ ବାଛିଛନ୍ତି । ଦିଲ୍ଲୀ ଭୋଟିଂର ଏହି ଟ୍ରେଣ୍ଡରୁ ଜଣାପଡୁଛି ସ୍ବିଙ୍ଗ ଭୋଟରଙ୍କ ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ । ଏଥର ମଧ୍ୟ ସ୍ବିଙ୍ଗ ଭୋଟରଙ୍କୁ ନିଜ ସପକ୍ଷରେ ରହିବା ଆପ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । କାରଣ ଏହି ଭୋଟର ହିଁ ଆପର ଭାଗ୍ୟ ବିଧାତା ପାଲଟି ପାରନ୍ତି । ସେପଟେ ବିଜେପି ଓ କଂଗ୍ରେସ ବି ଏହି ଭୋଟରଙ୍କୁ ନିଜ ଖାତାକୁ ନେବାକୁ ଉଦ୍ୟମ କରୁଛନ୍ତି । ତେବେ ପ୍ରଶ୍ନ ଉଠୁଛି, କାହାର ହେବେ ଦିଲ୍ଲୀର ସ୍ବିଙ୍ଗ ଭୋଟର?

ସ୍ବିଙ୍ଗ ଭୋଟର, ସଂଖ୍ୟା ଖେଳ

୨୦୧୩ ବିଧାନସଭା ନିର୍ବାଚନରେ ଆପକୁ ୩୦ପ୍ରତିଶତ, ବିଜେପିକୁ ୩୩ପ୍ରତିଶତ ଓ କଂଗ୍ରେସକୁ ୨୫ପ୍ରତିଶତ ଭୋଟ୍ ମିଳିଥିଲା। ୨୦୧୪ ଲୋକସଭା ନିର୍ବାଚନରେ ଆପର ଭୋଟ୍ ସେୟାର ୩ପ୍ରତିଶତ ତ ବିଜେପିର ୧୩ପ୍ରତିଶତ ବଢିଲା, କଂଗ୍ରେସର ୧୦ପ୍ରତିଶତ ଭୋଟ୍ ଖସିଲା । ୨୦୧୫ ବିଧାନସଭା ନିର୍ବାଚନରେ ଆପକୁ ୨୦୧୪ ତୁଳନାରେ ୨୧ପ୍ରତିଶତ ଭୋଟ୍ ଅଧିକ ଆସିଲା । ଏଥି ମଧ୍ୟରୁ ବିଜେପିରୁ ୧୪ପ୍ରତିଶତ ଓ କଂଗ୍ରେସରୁ ପ୍ରତିଶତ ଭୋଟ୍ ଆପକୁ ଯାଇଥିଲା । ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ଆପ୍ ୩୬ପ୍ରତିଶତ ଭୋଟ୍ ହରାଇଲା । ହେଲେ ୨୦୨୦ ବିଧାନସଭା ନିର୍ବାଚନରେ ଆପ ସେହି ଭୋଟ୍ ପୁଣି ହାସଲ କଲା । ୨୦୨୪ ଲୋକସଭା ନିର୍ବାଚନରେ ପୁଣି ୩୦ପ୍ରତିଶତ ଭୋଟ୍ କମ୍ ପାଇଛି ଆପ୍ । ତେବେ ୨୦୧୫ ଓ ୨୦୨୦ ଭଳି ସ୍ବିଙ୍ଗ ଭୋଟର ଆପ ସମର୍ଥନରେ ଭୋଟ୍ କଲେ ହିଁ ପୁଣି ଦିଲ୍ଲୀ ଦଖଲ କରିପାରିବ ଆପ୍ ।

କେଉଁମାନେ ସ୍ବିଙ୍ଗ ଭୋଟର?

ଦିଲ୍ଲୀର ୩୦ପ୍ରତିଶତରୁ ଅଧିକ ଉଚ୍ଚଜାତିର ଭୋଟର ସ୍ବିଙ୍ଗ ଭୋଟର । ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ୭୫ପ୍ରତିଶତ ଉଚ୍ଚଜାତିର ସମର୍ଥନ ମିଳିଥିଲା ଯେବେକି ଏହା ୨୦୨୦ ବିଧାନସଭାରେ ୫୪ପ୍ରତିଶତକୁ ଖସିଯାଇଥିଲା । କଂଗ୍ରେସକୁ ୨୦୧୯ରେ ୧୨ପ୍ରତିଶତ ଉଚ୍ଚ ଜାତିର ଭୋଟରଙ୍କ ସମର୍ଥନ ମିଳିଥିଲା, ତେବେ ଏହା ୨୦୨୦ରେ ୩ପ୍ରତିଶତକୁ ଖସିଥିଲା । ଆପକୁ ୨୦୧୯ରେ ୧୩ପ୍ରତିଶତ ସମର୍ଥନ ମିଳିଥିବା ବେଳେ ୨୦୨୦ରେ ୪୧ପ୍ରତିଶତକୁ ବଢିଥିଲା । ସିଏସଡିଏସ୍ ସର୍ଭେ ଅନୁସାରେ ୨୦୨୪ ଲୋକସଭା ନିର୍ବାଚନରେ ଆପର ୨୯ପ୍ରତିଶତ ଉଚ୍ଚଜାତିର ଭୋଟ୍ ବିଜେପିକୁ ୧୮ପ୍ରତିଶତ ଓ କଂଗ୍ରେସକୁ ୧୨ପ୍ରତିଶତ ଚାଲିଯାଇଛି ।

ଗେମଚେଞ୍ଜର ହେବେ ଓବିସି, ଦଳିତ, ସଂଖ୍ୟାଲଘୁ !

ଦିଲ୍ଲୀରେ ୨୫ରୁ ୩୦ପ୍ରତିଶତ ଓବିସି ଭୋଟର ସ୍ବିଙ୍ଗ ଭୋଟର । ସେମାନେ ଲୋକସଭାରେ ବିଜେପି ତ ବିଧାନସଭାରେ ଆପକୁ ବାଛିଛନ୍ତି । ତେବେ ୨୦୨୪ ଲୋକସଭା ନିର୍ବାଚନରେ ଆପର ୨୯ପ୍ରତିଶତ ଓବିସି ଭୋଟର ମଧ୍ୟରୁ ବିଜେପିକୁ ୮ପ୍ରତିଶତ ଓ କଂଗ୍ରେସକୁ ୧୭ପ୍ରତିଶତ ଚାଲି ଯାଇଥିଲେ । ସେହିପରି ଦିଲ୍ଲୀରେ ୪୫ରୁ ୫୦ପ୍ରତିଶତ ଦଳିତ ଓ ୫୫ରୁ ୬୦ପ୍ରତିଶତ ସଂଖ୍ୟାଲଘୁ ସ୍ବିଙ୍ଗ ଭୋଟର ରହିଛନ୍ତି । ଲୋକସଭା ଓ ବିଧାନସଭାରେ ଭୋଟିଂ ପାଟର୍ଣ୍ଣ ବଦଳାଉଥିବା ଦିଲ୍ଲୀର ସ୍ବିଙ୍ଗ ଭୋଟରଙ୍କ ହାତରେ ହିଁ ବିଜୟର ଚାବିକାଠି ରହିଛି ।

ଦିଲ୍ଲୀ ଜିତିବାକୁ ହେଲେ ୭ମାସ ତଳେ ଲୋକସଭା ନିର୍ବାଚନରେ ବିଜେପି ଓ କଂଗ୍ରେସକୁ ସମର୍ଥନ ଦେଇଥିବା ସ୍ବିଙ୍ଗ ଭୋଟରଙ୍କୁ ଆପକୁ ନିଜ ସମର୍ଥନରେ ଆଣିବାକୁ ପଡିବ । ଦିଲ୍ଲୀରେ ଆପର ବେସ୍ ଭୋଟ ସେୟାର ୨୦ରୁ ୨୫ପ୍ରତିଶତ ରହିଥିବା ବେଳେ ନିର୍ବାଚନ ଜିତିବାକୁ ୩୦ପ୍ରତିଶତ ଅତିରିକ୍ତ ଭୋଟର ଆବଶ୍ୟକତା ରହିଛି । ଦିଲ୍ଲୀରେ ସବୁ ଜାତି, ସମୁଦାୟ, ଧର୍ମ ଓ ବର୍ଗର ସ୍ବିଙ୍ଗ ଭୋଟର ରହିଛନ୍ତି । ତେବେ ଯାହାକୁ ସ୍ବିଙ୍ଗ ଭୋଟରଙ୍କ ଆଶୀର୍ବାଦ ମିଳିବ, ସେ ହିଁ ଦିଲ୍ଲୀରେ କ୍ଷମତା ଦଖଲ କରିବ ।

Comments are closed.