ରାୟଗଡ଼ା : କାଶୀପୁର ବ୍ଲକର ବିଭିନ୍ନ ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପୁଛି ଝାଡ଼ାବାନ୍ତି। ଏଥିରେ ଆକ୍ରାନ୍ତ ହୋଇ ଗତକାଲି ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଛି । ଏତବ୍ୟତୀତ ୭୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍କଟାପନ୍ନ ଅବସ୍ଥାରେ ଥିବା ୫ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗତ ୮ ଦିନ ଧରି ସମସ୍ତେ ଆକ୍ରାନ୍ତ ହୋଇଥିଲେ। । ଏତଦବ୍ୟତୀତ କାଶୀପୁର, ଟିକିରି, ମାଣ୍ଡିବିସି, ଉଷାପଡା ଓ ନୂଆପଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଅନେକ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ହୋଇଛି।
ତେବେ ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ପ୍ରଥମ ଦିନରୁ ଗୁରୁତ୍ଵ ଦେଇନଥିଲା ବୋଲି ଅଭିଯୋଗ ହୋଇଛି। ଗ୍ରାମ୍ୟ ଜଳଯୋଗାଣ ବିଭାଗ ମଧ୍ୟ ବିଶୁଦ୍ଧ ଜଳଯୋଗାଣ ପାଇଁ ଫେଲ୍ ମାରିଛି। ଏଭଳିକି ଗତ ଗୁରୁବାର ପର୍ଯ୍ୟନ୍ତ କୌଣସି ସୂଚନା ନଥିଲା। ଫଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ ପହଞ୍ଚି ପାରିନଥିଲା। ଆଜି ଓ ଗତକାଲି ମେଡିକାଲ ଟିମ୍ ବିଭିନ୍ନ ଗାଁ ଯାଇ ଚିକିତ୍ସା ଆରମ୍ଭ କରିଛନ୍ତି। କୋରାପୁଟ ଏସଏଲଏନ ମେଡିକାଲ କଲେଜରୁ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ବିଭିନ୍ନ ଗାଁ ଯାଇ ଚିକିତ୍ସା ଆରମ୍ଭ କରିଛନ୍ତି।
ଜିଲ୍ଲା ସଦରମହକୁମା ଠାରୁ ତିନୋଟି ମେଡ଼ିକାଲ ଟିମ୍ ଯାଇଛନ୍ତି । ଏଥିସହ ଆଶା, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କର୍ମଚାରୀ ପହଞ୍ଚି ବିଭିନ୍ନ ଗାଁ ମାନଙ୍କରେ ନଳକୂପ ଓ ଜଳଉତ୍ସ ସଫେଇ ସହ ବିଶୋଧନ କରୁଛନ୍ତି।
ପ୍ରତିବର୍ଷ ଏହିଭଳି ଘଟୁଥିବା କାରଣରୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ତେବେ କାହିଁକି ବାରମ୍ବାର ଏହାର ପୁନରାବୃତ୍ତି ଘଟୁଛି ତାହା ଅନୁସନ୍ଧାନ ସହିତ ସ୍ଥାୟୀ ପ୍ରତିକାର ଜରୁରୀ।
Comments are closed.