Latest Odisha News

କଂଗ୍ରେସକୁ ଜାଣିଶୁଣି ବୁଡ଼ାଇଦେଲେ !

ଭୁବନେଶ୍ବର: ମଉକା ଥିଲା, ଚଉକା ମାରି ପାରିଲାନି କଂଗ୍ରେସ । ନିର୍ବାଚନରେ ହାତରୁ ଖସିଗଲା ବଡ ସୁଯୋଗ। ବିଜେଡି ହାତରୁ କ୍ଷମତା ଛଡାଇନେଲା ବିଜେପି, ହେଲେ ସେମିତି ଚାହିଁ ରହିଗଲା କଂଗ୍ରେସ । ବିଜେଡି ବିରୋଧୀ ଜନ ଅସନ୍ତୋଷର ଫାଇଦା ନେଇ ପାରିଲାନି ଦଳ। ନା ଦଳୀୟ ପ୍ରାର୍ଥୀଙ୍କ ପାଖରେ ପହଞ୍ଚି ପାରିଲା ଦଳୀୟ ଫଣ୍ଡ ନା ସାଂଗଠନିକସ୍ତରରେ ଟିମଓ୍ବାର୍କ ଦେଖିବାକୁ ମିଳିଲା । ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ନେତୃତ୍ବଙ୍କ ବିରୋଧରେ ଖୋଲାଖୋଲି କହିଲେଣି ଦଳର ନେତା। ପ୍ରଶ୍ନ ଉଠୁଛି, ରାଜ୍ୟ କଂଗ୍ରେସ ସଂଗଠନରେ ହେବ କି ଆମୂଳଚୂଳ ପରିବର୍ତ୍ତନ?

ହାତରୁ ଖସିଲା ମଉକା

ନିର୍ବାଚନରେ ୨୪ବର୍ଷ ଧରି ଶାସନରେ ରହିଥିବା ବିଜେଡି ବିରୋଧରେ ହାଓ୍ବା ଥିଲା। ଯାହାର ଫାଇଦା ନେଲା ବିଜେପି। ହେଲେ କଂଗ୍ରେସ ଯେମିତିକୁ ସେମିତି ରହିଲା। ଓଡିଆ ଅସ୍ମିତାକୁ ନିର୍ବାଚନୀ ପ୍ରସଙ୍ଗ କରି ବିଜେପିକୁ କ୍ଷମତାକୁ ଆସିଲା, ହେଲେ ସମାନ ପ୍ରସଙ୍ଗ ଅନେକ ପୂର୍ବରୁ ଉଠାଇଥିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ବିଜୟଙ୍କ ସ୍ବରକୁ କଂଗ୍ରେସ ପ୍ରସଙ୍ଗ କରିପାରିଲାନି। ଜନତାଙ୍କୁ କେଉଁ ପ୍ରସଙ୍ଗ ପ୍ରଭାବିତ କରୁଛି, ସେକଥା ଜାଣିପାରିଲେନି ଦଳର ଶୀର୍ଷ ନେତୃତ୍ବ । ଫଳରେ ସାରା ଦେଶରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆନ ମେଣ୍ଟ ଭଲ ପ୍ରଦର୍ଶନ କରିଥିଲେ ବି ଓଡିଶାରେ ତିନି ନମ୍ବର ଦଳ ହିଁ ରହିଲା ।

ବର୍ଷିଲେଣି ଅସନ୍ତୁଷ୍ଟ ବଦଳିବେ ନେତା !

ରାଜ୍ୟ ରାଜନୈତିକ ପାଣିପାଗରୁ ଫାଇଦା ନେଇପାରିଲାନି କଂଗ୍ରେସ । ଏହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଅଜୟ କୁମାରଙ୍କୁ ସିଧାସଳଖ ଟାର୍ଗେଟ୍ କଲେଣି ନେତା । ନିର୍ବାଚନ ପ୍ରଚାରରେ କେବଳ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖର୍ଗେଙ୍କ ସଭା ଛାଡିଦେଲେ ଉଭୟଙ୍କୁ ଆଉ କେଉଁଠି ଦେଖିବାକୁ ମିଳିନଥିଲା। ଏପରିକି ୮୦ ବିଧାନସଭା ପ୍ରାର୍ଥୀ ଓ ୧୪ ଲୋକସଭା ପ୍ରାର୍ଥୀଙ୍କୁ ଦଳୀୟ ଫଣ୍ଡ ମିଳିନଥିବା ଅଭିଯୋଗ ହୋଇଛି। ବହୁ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ୍ ପାଇଁ ଟଙ୍କା ମଗା ଯାଇଥିବା ବି କୁହାଯାଇଥିଲା। ଶିଶିର ଗମାଙ୍ଗ ହୁଅନ୍ତୁ କି ଚିତ୍ରକୋଣ୍ଡା ବିଧାନସଭା ଆସନରୁ ଆଶାୟୀ ଶରତ ଚନ୍ଦ୍ର ବୁରୁଦା, କଂଗ୍ରେସ ନେତୃତ୍ବଙ୍କ ବିରୋଧରେ ଆଣିଥିଲେ ସଂଗୀନ ଅଭିଯୋଗ ।

କଂଗ୍ରେସ ଟିକେଟ୍ ଅନେକ କେଁ

କଂଗ୍ରେସ ନେତୃତ୍ବ ବିଜେଡି ଇଙ୍ଗିତରେ ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବା ବି ଅଭିଯୋଗ ହୋଇଛି। ଯାହା ଫଳରେ ରାଜ୍ୟର ଅନେକ ସିଟରେ କଂଗ୍ରେସ ଭଲ ଫାଇଟ୍ ଦେଇପାରିଲାନି। ନିଜେ ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡାରେ ମାତ୍ର ୧୫ହଜାର ଭୋଟ୍ ପାଇ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି । ଯେବେ କି ପ୍ରଥମେ କଂଗ୍ରେସ ଟିକେଟ୍ ଆଶାୟୀ ଓ ପରେ ସ୍ବାଧୀନ ଲଢିଥିବା ଘାସିରାମ ମାଝୀ ୫୦ହଜାରରୁ ଅଧିକ ଭୋଟ୍ ପାଇ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଜୋରଦାର ଫାଇଟ୍ ଦେଇଥିଲେ। ଟିକେଟ୍ ଦେବାରେ ବିଳମ୍ବ ଓ ବାରମ୍ବାର ପ୍ରାର୍ଥୀ ବଦଳାଇ ଜନତାଙ୍କୁ ଭୁଲ୍ ସନ୍ଦେଶ ଦେଇଥିଲା ଦଳ ।

ବଦଳିବେ କି ନେତା ?

ରାଜ୍ୟରେ କଂଗ୍ରେସ ନିରାଶ ହେବା ପରେ ଆଙ୍ଗୁଳି ପିସିସି ସଭାପତିଙ୍କ ଆଡକୁ ଉଠୁଛି । ଜାଣିଶୁଣି କଂଗ୍ରେସର ନିର୍ବାଚନ ପ୍ରସ୍ତୁତିରେ ଢିଲା ମାରିଥିଲେ କି? କାହିଁକି ନିର୍ବାଚନ ପୂର୍ବରୁ ଦଳୀୟ କନ୍ଦଳ ତୁଟାଇଲେନି ଶୀର୍ଷ ନେତୃତ୍ବ ? କାହିଁକି ରାଜ୍ୟ ରାଜନୈତିକ ସ୍ଥିତିରୁ ଫାଇଦା ନେଇପାରିଲେନି ? କାହିଁକି ନିର୍ବାଚନୀ ପ୍ରସଙ୍ଗ ସ୍ଥିର କରି ସେଥିରେ ଫୋକସ୍ କଲେନି ? ଦେଶରେ କଂଗ୍ରେସର ନ୍ୟାୟ ପତ୍ର କମାଲ କରିଥିବା ବେଳେ, କାହିଁକି ଓଡିଶାରେ ଘୋଷଣାପତ୍ରର ପ୍ରତିଶ୍ରୁତିକୁ ଗୁରୁତ୍ବ ଦେଲାନି ଦଳ ? ବିଜେଡି ଇଙ୍ଗିତରେ ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ଅଭିଯୋଗ କେତେ ସତ? ହେଭିଓ୍ବେଟ୍ ନେତା ଦଳ ଛାଡିବା ବେଳେ କାହିଁକି ବୁଝାଇଲେନି କଂଗ୍ରେସ ନେତୃତ୍ବ?

ଗତଥର ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଂଗ୍ରେସ ଏଥର କିଛିଟା ସଂଖ୍ୟା ବଢାଇଛି । ବିଜେଡି ଗୋଟିଏ ବି ଲୋକସଭା ସିଟ୍ ଜିତିନଥିବା ବେଳେ କୋରାପୁଟ ହାତରେ ରଖିଛି କଂଗ୍ରେସ । ଏହାସହ ୧୪ ବିଧାନସଭା ସିଟ୍ ବି ଜିତିଛି । ତେବେ ଯେତିକି ସିଟରେ ଦଳ ଜିତିଛି, ନିଜ ଦମରେ ଜିତିଛନ୍ତି କଂଗ୍ରେସ ନେତା । ରାଜ୍ୟରେ ବଡ ସୁଯୋଗ ହରାଇଥିବା କଂଗ୍ରେସରେ ପୋଷ୍ଟମର୍ଟମ୍ ଜରୁରୀ । ବିଜେପି ଓଡିଶାରୁ ୨୦ସାଂସଦ ନେଇଥିବା ବେଳେ କାହିଁକି କଂଗ୍ରେସ ଫେଲ୍ ମାରିଲା, ସେନେଇ ତର୍ଜମା ହେବା ଆବଶ୍ୟକ । ହୁଏତ ଓଡିଶାରେ କଂଗ୍ରେସ ଭଲ କରିଥିଲେ କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ପାଇଁ ସମ୍ଭାବନା ସୃଷ୍ଟି ହୋଇଥାନ୍ତା। କୁହାଯାଉଛି, ରାଜ୍ୟ କଂଗ୍ରେସରେ ଆମୂଳଚୂଳ ସାଂଗଠନିକ ପରିବର୍ତ୍ତନ ନହେଲେ ଆହୁରି ଖସିଯିବ ହାତର ଗ୍ରାଫ୍ ।

Comments are closed.