Latest Odisha News

ହାତରୁ ଖସିଗଲା କି ଇଭି କାରଖାନା? ଓଡିଶା ସମ୍ବାଦ ଏକ୍ସକ୍ଲୁସିଭ୍

ଭୁବନେଶ୍ବର: ଓଡିଶା ହାତରୁ ଖସିଗଲା କି ଇଭି କାରଖାନା? ବିଜେଡି ସରକାର ବେଳେ କଟକ ନରାଜରେ ବିଶ୍ବର ସର୍ବବୃହତ ଇଲେକ୍ଟ୍ରିକ୍ ଯାନ କାରଖାନା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଥିଲା। ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନା କରିବା ନେଇ ସେତେବେଳର ରାଜ୍ୟ ସରକାର ଓ ଜେଏସଡବ୍ଲୁ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ୪୦ ହଜାର କୋଟିର ପୁ୍ଞ୍ଜିନିବେଶ ହୋଇଥାନ୍ତା। ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ କାରଖାନାର ବର୍ତ୍ତମାନର ସ୍ଥିତି କଣ ? ଭବିଷ୍ୟତ କଣ ? ତାହା ଅନ୍ଧାରରେ ରହିଛି । ଏହା ମଧ୍ୟରେ ଜେଏସଡବ୍ଲୁ ଗ୍ରୁପ ମହାରାଷ୍ଟ୍ରରେ ଇଭି ଓ ବ୍ୟାଟେରୀ ପ୍ଲାଣ୍ଟ ନେଇ ୫୨ହଜାର ୨ଶହ କୋଟି ଟଙ୍କା ନିବେଶ କରିବ ବୋଲି ସୂଚନା ମିଳୁଛି । ତେବେ ପ୍ରଶ୍ନ ଉଠୁଛି, ଓଡିଶାରୁ ମହାରାଷ୍ଟ୍ର ସ୍ଥାନାନ୍ତର ହୋଇଗଲା କି ଇଭି କାରଖାନା? ସନ୍ଦେହ ସତ ହେଲେ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ବଡ ମୂଲ୍ୟ ଦେବାକୁ ଯାଉଛି ଓଡିଶା।

ବିଜେଡି ଦେଖାଇଥିଲା ‘ଇଭି କାରଖାନା’ ସ୍ବପ୍ନ

ନବୀନ ଓଡିଶାର ସ୍ବପ୍ନ ଦେଖାଇଥିଲେ ବିଜେଡି ସରକାର । ମେକ୍ ଇନ ଓଡିଶା ଦ୍ବାରା ରାଜ୍ୟକୁ ବଡ଼ ବଡ଼ ପ୍ରକଳ୍ପ ଆଣୁଥିବା ବିଜେଡି ସରକାର କଟକରେ ସର୍ବବୃହତ ଇଭି କାରଖାନା ପାଇଁ ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ ଦେଇଥିଲେ। କଟକରେ ଇଭି କାରଖାନା ଓ ପାରାଦୀପରେ ବିଦ୍ୟୁତ ଯାନ ବ୍ୟାଟେରୀ ସହ ଅନ୍ୟ ଉପକରଣ ନିର୍ମାଣ ପାଇଁ କାରଖାନା ନିର୍ମାଣ କରିବାକୁ ଜେଏସଡବ୍ଲୁ ସହ ବିଜେଡି ସରକାର ଏମଓୟୁ ବି ସ୍ବାକ୍ଷର କରିଥିଲେ । ରାଜ୍ୟ ଶିଳ୍ପ ମାନଚିତ୍ରରେ ବଡ ମାଇଲଷ୍ଟୋନ୍ ହୋଇଥାନ୍ତା ଇଭି କାରଖାନା । ହେଲେ ନିର୍ବାଚନ ପରେ ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ଇଭି କାରଖାନାର ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି ।

କାହିଁକି ବଢିଲା ପ୍ରକଳ୍ପ ହାତରୁ ଖସିବା ଭୟ?

ଚଳିତ ବର୍ଷ ଫେବ୍ରୁଆରୀରେ ତତ୍କାଳୀନ ବିଜେଡି ସରକାର ସହ ଏମଓୟୁ କରିଥିଲା ଜେଏସଡବ୍ଲୁ । ଜୁନରେ ନୂଆ ସରକାର କ୍ଷମତାକୁ ଆସିଲେ । କାମ ଆରମ୍ଭ ହେବା ପୂର୍ବରୁ ହିଁ ପ୍ରକଳ୍ପ ଭବିଷ୍ୟତରେ ଲାଗିଲା ପ୍ରଶ୍ନ ଚିହ୍ନ । ତେବେ ଓଡିଶାରେ ଇଭି ଓ ବ୍ୟାଟେରୀ କାରଖାନା କରିବାକୁ ଯୋଜନା କରିଥିବା ଜେଏସଡବ୍ଲୁ କେନ୍ଦ୍ର ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ସମାନ କାରଖାନା କରିବାକୁ ଯାଉଛି । ମହାରାଷ୍ଟ୍ରରେ ୫୨ହଜାର ୨ଶହ କୋଟି ନିବେଶ କରିବାକୁ ଯାଉଛି ଜେଏସଡବ୍ଲୁ ଗ୍ରୁପ୍ । ଏହାପରେ ଓଡିଶାରେ ହେବାକୁ ଯାଉଥିବା ଇଭି କାରଖାନା ମହାରାଷ୍ଟ୍ର ସ୍ଥାନାନ୍ତର ହୋଇଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ପ୍ରକଳ୍ପ ନେଇ ରାଜ୍ୟ ବିଜେପି ସରକାରଙ୍କ ନିରବତା ଓ ମହାରାଷ୍ଟ୍ରରେ ଜେଏସଡବ୍ଲୁ ସମାନ କାରଖାନା ପ୍ରତିଷ୍ଠା କରିବା କେଉଁଠି ନା କେଉଁଠି ଓଡିଶା ହାତରୁ ବଡ ସୁଯୋଗ ହାତଛଡା ହୋଇଥିବା ନେଇ ସଂକେତ ଦେଉଛି ।

୪ ହଜାରରୁ ଅଧିକ ନିଯୁକ୍ତି ହାତଛଡ଼ା !

ଜେଏସଡବ୍ଲୁ ବୈଦ୍ୟୁତିକ ଯାନ ଓ ବ୍ୟାଟେରୀ ନିର୍ମାଣ କାରଖାନା ହୋଇଥିଲେ ରାଜ୍ୟରେ ବୈଷୟିକ କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ ହୋଇଥାନ୍ତା । ୪ହଜାରରୁ ଅଧିକ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସହ ୧୧ ହଜାରରୁ ଅଧିକ ରୋଜଗାର ସୁଯୋଗ ମିଳିଥାନ୍ତା । ଯଦି କୌଣସି ମତେ ପ୍ରକଳ୍ପ ହାତଛଡା ହୁଏ, ନିଯୁକ୍ତି ସୁଯୋଗ ବି ହରାଇବେ ରାଜ୍ୟବାସୀ। ଶିଳ୍ପାୟନ ଓ ନିଯୁକ୍ତି ପାଇଁ ମେକ ଇନ୍ ଓଡିଶାକୁ ମୁଖଶାଳା କରିଥିଲେ ପୂର୍ବତନ ବିଜେଡି ସରକାର । ହେଲେ ଏଭଳି ବଡ଼ ପ୍ରକଳ୍ପର ସ୍ଥିତି ନେଇ ଏବେବି ଅନ୍ଧାରରେ ରହିଛନ୍ତି ବିଜେପି ସରକାର । ନିଜେ ନୂଆ ଶିଳ୍ପ ଡାକିବା ଦୂରେ ଥାଉ ବିଜେଡି ସରକାର ବେଳେ ଆସିଥିବା ବଡ ପ୍ରକଳ୍ପ ନେଇ ବି ପକ୍ଷ ସ୍ପଷ୍ଟ କରୁନାହାନ୍ତି। ଶିଳ୍ପ ହେଲେ ହିଁ ନିଯୁକ୍ତି ବଢିବ, ଆଉ ନିଯୁକ୍ତି ବଢିଲେ ଉଜ୍ଜ୍ବଳ ହେବ ରାଜ୍ୟ ଅର୍ଥନୀତି । ତେଣୁ ବିଜେପି ସରକାର ଶିଳ୍ପାୟନ ନେଇ ଅଧିକ ଉତ୍ସାହ ଦେଖାଇବା ଜରୁରୀ।

Comments are closed.