Latest Odisha News

BREAKING NEWS

ଏବେ ପୁଟିନଙ୍କଠାରୁ ଦୂରେଇ ଯାଉଛନ୍ତି କି ଟ୍ରମ୍ପ?

ନୂଆଦିଲ୍ଲୀ: ଦ୍ବିତୀୟ କାର୍ଯ୍ୟକାଳରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଖୋଲା ପ୍ରଶଂସା କରୁଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। କୋଲଡ ଓ୍ବାର ପରେ ପ୍ରଥମ ଆମେରିକା ନେତା ଭାବେ ଋଷକୁ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ନରମ ଥିଲା । ହେଲେ ଏବେ ଟ୍ରମ୍ପଙ୍କ ସ୍ବର ବଦଳିବା ଭଳି ଦେଖିବାକୁ ମିଳୁଛି । ନିକଟରେ ଏକ ସାକ୍ଷାତକାରରେ ସେ ପୁଟିନକୁ ନେଇ ଅସନ୍ତୋଷ ଦେଖାଇଛନ୍ତି । ଯଦିଓ ଟ୍ରମ୍ପ ମାପିଚୁପି ବୟାନ ଦେଇଛନ୍ତି, ତେବେ ସ୍ପଷ୍ଟ ହୋଇଛି, ଉଭୟଙ୍କ ସଂପର୍କରେ ଅଲ୍ ଇଜ ନଟ୍ ଓ୍ବେଲ୍ । ତେବେ ଏହା ପଛର କାରଣ କ’ଣ? ୟୁକ୍ରେନ୍ ଯୁଦ୍ଧ ରୋକିବାରେ ବିଫଳତା ଯୋଗୁଁ ବଦଳିଛି କି ଟ୍ରମ୍ପଙ୍କ ସ୍ବର?

ବଦଳୁଛି ଟ୍ରମ୍ପଙ୍କ ସ୍ବର

ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ଋଷ-ୟୁକ୍ରେନ୍ ଯୁଦ୍ଧର ଅନ୍ତ ଚାହୁଁଥିବା କହିଥିଲେ ଟ୍ରମ୍ପ । ମାର୍ଚ୍ଚରେ ଟ୍ରମ୍ପଙ୍କ ମାସେ ପାଇଁ ଯୁଦ୍ଧ ବିରତି ପ୍ରସ୍ତାବକୁ ପୁଟିନ ମନା କରିଦେଇଥିବା ବେଳେ ୟୁକ୍ରେନ୍ ଏଥିରେ ରାଜି ହୋଇଥିଲା । ଇସ୍ତାନାବୁଲରେ କୁଟନୈତିକ ଆଲୋଚନା ବିଫଳ ହେବା ଓ ୟୁକ୍ରେନ୍ ଉପରେ ଆକ୍ରମଣ ବୃଦ୍ଧିକୁ ନେଇ ଟ୍ରମ୍ପଙ୍କ ଅସନ୍ତୋଷ ବଢିଥିଲା । ମେ ମାସରେ ଆକ୍ରାମକ ଢଙ୍ଗରେ ପ୍ରତିକ୍ରିୟା ଦେଇଥିଲେ ଟ୍ରମ୍ପ । ପୁଟିନଙ୍କୁ ସଂପୂର୍ଣ୍ଣ ଭାବେ କ୍ରେଜି କହିବା ସହ ତାଙ୍କ ଉଚ୍ଚ ଆକାଂକ୍ଷା ଋଷକୁ ଶେଷ କରିଦେବ ବୋଲି ଟ୍ରମ୍ପ କହିଥିଲେ । ସେହିପରି ଜୁଲାଇ ଆରମ୍ଭରେ ପୁଟିନଙ୍କ ଉପରେ ଖୁସି ନଥିବା କହିଛନ୍ତି । ଖାଲି ସେତିକି ନୁହେଁ ୟୁକ୍ରେନକୁ ହତିଆର ପଠାଇବାକୁ ମଂଜୁରୀ ଦେଇଥିଲେ ଟ୍ରମ୍ପ । ନିକଟରେ ପୁଟିନଙ୍କ ମିଛ ପାଇଁ ଟ୍ରମ୍ପ ଅସନ୍ତୁଷ୍ଟ ରହିଥିବା କହିବା ସହ ଋଷ ଉପରେ କଟକଣା ଲଗାଇବା ନେଇ ସଂକେତ ଦେଇଛନ୍ତି । ଲଗାତର ଟ୍ରମ୍ପ ନିଜ ସ୍ବର ବଦଳାଉଥିବା ବେଳେ ଆଗକୁ କିଛି ବି ହୋଇପାରେ ।

ପୁଟିନଙ୍କୁ ସମର୍ଥନ କରୁଥିଲେ ଟ୍ରମ୍ପ

ପୁଟିନଙ୍କୁ ଜଣେ ମଜବୁତ ନେତା ମନେ କରୁଥିଲେ ଟ୍ରମ୍ପ । ଟ୍ରମ୍ପଙ୍କ ପରି ପୁଟିନ ଋଷ ପ୍ରଥମ ଭଳି ନାରା ଲଗାନ୍ତି । ଆମେରିକା ଓ ଋଷ ମିଶି ଆତଙ୍କବାଦ ତଥା ଚରମପନ୍ଥୀ ଶକ୍ତିଙ୍କୁ ଦୁର୍ବଳ କରିପାରିବେ ବୋଲି ଟ୍ରମ୍ପ କହୁଥିଲେ । ପ୍ରଥମ କାର୍ଯ୍ୟକାଳରେ ସେ ଏନେଇ ଅନେକ ବୟାନ ବି ଦେଇଥିଲେ । ଋଷ ସହ ସଂପର୍କ ସୁଧାରିବା ଚୀନ୍ ବିରୋଧରେ ସନ୍ତୁଳନ ବନାଇ ରଖିବା ବି କାରଣ ହୋଇପାରେ । ଋଷ ଓ ଚୀନ୍ ବୈଚାରିକ ଭାବେ ଘନିଷ୍ଟ ଥିବା ବେଳେ ଆମେରିକା ପାଇଁ ଚୀନ ବିପଦ ପାଲଟିବାରେ ଲାଗିଛି । ଏଭଳି ସ୍ଥିତିରେ ମସ୍କୋ ଓ ବେଜିଂ ଯୋଡିକୁ ଦୁର୍ବଳ କରିବା ଟ୍ରମ୍ପଙ୍କ ରଣନୀତି ହୋଇପାରେ ବୋଲି କୁହାଯାଉଛି।

କାହିଁକି ଦୂରଉଛନ୍ତି ଟ୍ରମ୍ପ?

ଋଷ ଓ ୟୁକ୍ରେନ୍ ମଧ୍ୟରେ ଲମ୍ବା ସମୟ ଧରି ଯୁଦ୍ଧ ଲାଗି ରହିଥିବା ବେଳେ ୟୁରୋପୀୟ ଦେଶର ସହଯୋଗୀ ଭାବେ ଆମେରିକା କିଭକୁ ସହାୟତା କରିଥିଲା । ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ଯୁଦ୍ଧ ରୋକିବାକୁ ନେଇ ନିଶ୍ଚିତ ଥିଲେ । ୬ମାସ ଧରି ଉଦ୍ୟମ ପରେ ବି କିଛି ଲାଭ ହେଲାନି । ଋଷ ଏବେବି ଯୁଦ୍ଧ ଚଳାଇଥିବା ବେଳେ ବିଶ୍ବରେ ଟ୍ରମ୍ପଙ୍କ ଛବି ମଳିନ ହୋଇଛି । ସେହିପରି ଯୁଦ୍ଧ ଅପରାଧ ଅଭିଯୋଗରେ ଘେରି ହୋଇଥିବା ପୁଟିନଙ୍କଠାରୁ ଦୂରତା ରଖିବାକୁ ଚାହୁଁଛନ୍ତି ଟ୍ରମ୍ପ । ରିପବ୍ଲିକାନ ପାର୍ଟି ଭିତରେ ମଧ୍ୟ ଟ୍ରମ୍ପଙ୍କ ଋଷ ନୀତିକୁ ଖୋଲା ସମର୍ଥନ ମିଳିନଥିଲା । କାରଣ ଦଳରେ ଅନେକ ନେତା ଋଷ ବିରୋଧୀ । ସେମାନେ ଋଷ ନେଇ ଟ୍ରମ୍ପଙ୍କ ସ୍ପଷ୍ଟ ଆଭିମୁଖ୍ୟ ଚାହୁଁଛନ୍ତି । ତେଣୁ ଜଣେ ବିଦେଶୀ ନେତାଙ୍କ ସପକ୍ଷରେ ବୟାନ ଦେଇ ନିଜ ଦଳର ନେତାଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁବେନି ଟ୍ରମ୍ପ ।

ନିକଟରେ ଟ୍ରମ୍ପ ପୁଟିନଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ଋଷ ନେତୃତ୍ବ ନିଜ ଆଭିମୁଖ୍ୟ ସ୍ପଷ୍ଟ ଭାବେ ରଖିଥିଲେ । ଆମେରିକାର ଶାନ୍ତି ବାର୍ତ୍ତା ଉପରେ ଭରସା ରଖିବାରେ ସମସ୍ୟା ରହିଛି । କାରଣ ଟ୍ରମ୍ପଙ୍କ ସ୍ବର ହଠାତ୍ ବଦଳିଯାଏ । ତେଣୁ ଟ୍ରମ୍ପ ଓ ପୁଟିନଙ୍କ କେମେଷ୍ଟ୍ରୀରେ ଏବେ ରଣନୈତିକ ମତଭେଦ ଭଳି ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି । ଋଷ ଓ ୟୁକ୍ରେନ୍ ଯୁଦ୍ଧରେ ଆମେରିକା ସିଧାସଳଖ ଏଣ୍ଟ୍ରି ନେବାର ସମ୍ଭାବନା କମ୍ । ତେବେ ଋଷକୁ ଏକଘରିକିଆ କରିବାକୁ ଉଦ୍ୟମ କରିପାରେ ଆମେରିକା।

Comments are closed.