Latest Odisha News

BREAKING NEWS

୨୪ ତାରିଖରେ ମୃତ୍ୟୁ, ୨୮ ତାରିଖରେ ଜାଣିଲେ ପରିବାର ଲୋକେ

ବ୍ରହ୍ମପୁର : ବାପା କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସାଧୀନ । କିନ୍ତୁ ଗତ ୨୪ତାରିଖରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନ ଥିବାରୁ ବ୍ୟସ୍ତ ବ୍ୟବ୍ରତ ହୋଇ ହେଲପ ଲାଇନ ନମ୍ବରକୁ କଲ କରୁଛି ପୁଅ । କେତେବେଳେ ଉତ୍ତର ଆସୁଛି ରୋଗୀ ଆଇସିୟୁରେ ଅଛନ୍ତି ତ କେତେବେଳେ କହୁଛନ୍ତି ୱାର୍ଡକୁ ଆସିଲେଣି ଆଉ ସେ ସୁସ୍ଥ ଅଛନ୍ତି । ତଥାପି ମନ ବୁଝୁନି ପୁଅ ବାରମ୍ବାର ଫୋନ କରୁଛି । ଶେଷରେ ଗତକାଲି ଜଣାପଡିଲା ତାଙ୍କ ବାପାଙ୍କର ୪ ଦିନ ତଳୁ ମୃତ୍ୟୁ ହୋଇସାରିଛି । ଯାହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ପରିବାର ଲୋକେ । ଏଭଳି ଘଟଣା ଘଟିଛି ବ୍ରହ୍ମପୁରରେ ।

ସ୍ଥାନୀୟ ଗଣପତି ନଗରର ବସନ୍ତ କୁମାର ସାହୁ କରୋନା ପଜିଟିଭ୍ ଟିହ୍ନଟ ପରେ ଶୀତଳାପଲ୍ଲୀ ଟାଟା କୋଭିଡ କେୟାରରେ ଚିକିତ୍ସିତ ହେଉଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ସେ ଫୋନ ଯୋଗେ ପରିବାର ଲୋକଙ୍କ ସହ କଥାବାର୍ତା ହେଉଥିଲେ । କିନ୍ତୁ ୨୪ ତାରିଖ ପରେ ଆଉ ସେ ଯୋଗାଯୋଗରେ ନ ଥିଲେ । ହେଲପ୍‌ଲାଇନ ନମ୍ବରକୁ କଲ କରିବାରୁ ଜଣାପଡିଲା ସେ ଆଇସିୟୁରେ ଅଛନ୍ତି । ତଥାପି ତାଙ୍କ ସହ ଟିକେ କଥା ହେବାକୁ ତାଙ୍କ ପୁଅ ହଲପ ଲାଇନ ନମ୍ବରରେ କଲ କରି କାକୁତିମିନତି ହେଉଥାଏ । ୨୮ ତାରିଖ ଅର୍ଥାତ ଗତକାଲି ତାଙ୍କୁ ଆଶ୍ୱାସନା ଦିଆଯାଇଥିଲା ଯେ ସେ ଭଲ ଅଛନ୍ତି ତାଙ୍କ ସହ ଭିଡିଓ କଲ କରାଇ ଦେବେ । କିନ୍ତୁ ଏହାର କିଛି ଘଣ୍ଟା ପରେ ହଠାତ୍ ଟାଟା କୋଭିଡ କେୟାରରୁ କଲ ଆସିଲା ଯେ ଗତ ୨୪ ତାରିଖରୁ ତାଙ୍କର ମୃତ୍ୟୁ ହୋଇଛି ।

ଏଠାରେ ପ୍ରଶ୍ନ ଉଠୁଛି ଯଦି ବସନ୍ତଙ୍କର ୨୪ ତାରିଖରୁ ଦେହାନ୍ତ ହେଲାଣି ଏ ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇ ନ ଥିଲା କାହିଁକି ? ପରିବାର ଲୋକେ ବ୍ୟସ୍ତ ବିବ୍ରତ ଓ ନାନା ଦୁଶ୍ଚିନ୍ତାରେ ରହୁଥିବା ବେଳେ ତାଙ୍କୁ ସେ ସୁସ୍ଥ ଅଛନ୍ତି ବୋଲି ମିଛ ଆଶ୍ୱାସନା ଦିଆଯାଉଥିଲା କାହିଁକି ? ତେବେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ପର୍କରେ କୋଭିଡ କେୟାର କର୍ତ୍ତୃପକ୍ଷ ସଠିକ୍ ଖବର ରଖୁନାହାନ୍ତି କି ? ଏହାକୁ ନେଇ ମୃତ ବସନ୍ତ ସାହୁଙ୍କ ପରିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଏ ନେଇ ଶୀତଳାପଲ୍ଲୀ ସ୍ଥିତ କୋଭିଡ କେୟାର କର୍ତ୍ତୃପକ୍ଷଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନାହିଁ ।

Leave A Reply

Your email address will not be published.