Latest Odisha News

ଆଜି ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା, ସାତ ଦିନ ଧରି ହେବ ପାଳନ

ଝୁଲଣ ଯାତ୍ରା ଅବସରରେ କୁମାର ଭୀମସେନଙ୍କ ସ୍ୱତନ୍ତ୍ର ଉପସ୍ଥାପନା

ଶ୍ରୀମନ୍ଦିରରେ ପାଳିତ ତ୍ରୟୋଦଶ ଯାତ୍ରା, ଉପଯାତ୍ରା ତଥା ଉତ୍ସବାଦି ମଧ୍ୟରେ ଝୁଲଣ ଯାତ୍ରା ଏକ ପ୍ରମୁଖ ଯାତ୍ରା ଅଟେ । ଏହି ଯାତ୍ରା ସାତ ଦିନ ବ୍ୟାପୀ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ଓ ଆଶ୍ରମରେ ଅନୁଷ୍ଠିତ ହୋଇଥାଏ । ଗବେଷକଙ୍କ ମତରେ, ଗଜପତି ଶ୍ରୀ ଦିବ୍ୟସିଂହ ଦେବ (୨ୟ)ଙ୍କ ସମୟରେ ଝୁଲଣ ଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମେ ରାୟ ରାମାନନ୍ଦ ପ୍ରଭାବରେ ୧୫୫୯୦ – ୧୫୬୦ ମସିହାରେ ଶ୍ରୀ ଚୈତନ୍ୟ ଓ ଅନ୍ୟ ବୈଷ୍ଣବଙ୍କ ଆନୁକୂଲ୍ୟରେ ଶ୍ରୀମନ୍ଦିର ଭିତର ବେଢ଼ାସ୍ଥ ଦେବସଭା ମଣ୍ଡପଠାରେ ଝୁଲଣ ଯାତ୍ରା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଶ୍ରୀମନ୍ଦିର ବେହେରଣ ଦ୍ୱାର ସମ୍ମୁଖରେ ଥିବା ମୁକ୍ତି ମଣ୍ଡପରେ ଝୁଲଣ କୁଞ୍ଜ ସମେତ ବହୁ ସାଜସଜ୍ଜା ଓ ଆକର୍ଷଣୀୟ ଭାବେ ପାଳିତ ହୋଇଆସୁଛି ।

“ଆଷାଢେ ଗୁଣ୍ଡିଚା ଯାତ୍ରା, ଶ୍ରାବଣେ କୁଞ୍ଜମନ୍ଦିରମ୍ “

ମହାପ୍ରଭୁଙ୍କ ଝୁଲଣ ଯାତ

ଝୁଲଣର ପ୍ରଥମ ଦିନ ଅର୍ଥାତ ଶ୍ରାବଣ ଶୁକ୍ଳ ଦଶମୀ ଦିନ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଭିତର ଗମ୍ଭୀରରେ ପାଣି ପଡି ଧୁଆ ଯିବା ପରେ ଖୁଣ୍ଟିଆ ପୁଷ୍ପାଳକଙ୍କୁ ଡାକିଥାନ୍ତି । ଏହି ସମୟରେ ଗରାବଡୁ ସେବକଙ୍କଠାରୁ ହାତୁଆଣୀ ନେଇ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କ ମଇଲମ କରିଥାନ୍ତି । ପାଳିଆ ମେକାପ ତିନିଟି ରୂପା ଗିନାରେ ଘଟୁଆରୀ ସେବକ ଦେଇଥିବା ଚନ୍ଦନକୁ ନେଇ ପାଳିଆ ପୁଷ୍ପାଳକଙ୍କୁ ବଢ଼ାଇଥାନ୍ତି । ତିନି ବାଡ଼ରେ ସର୍ବାଙ୍ଗ ଚନ୍ଦନ ଲାଗି କଲାପରେ ଶ୍ରୀଜୀଉମାନଙ୍କ ବେଶ ବଢିଥାଏ ।

ଏହି ଦିନ ମହାଜନ ସେବକମାନେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦକ୍ଷିଣୀ ଘର ବିଜେ କରାନ୍ତି ଓ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ଆଣି ଶ୍ରୀମନ୍ଦିର ବେହେରଣ ଦ୍ୱାର ସମ୍ମୁଖରେ ଥିବା ମୁକ୍ତିମଣ୍ଡପରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ଝୁଲଣ ମଣ୍ଡପ ବିଜେ କରାନ୍ତି ।

ଏହିଠାରେ ୩ଦିଅଁଙ୍କ ବେଶ ମହାଜନ ସେବାୟତ କରିଥାନ୍ତି । ଏହାପରେ ଝୁଲଣ ମଣ୍ଡପରେ ବିରାଜିତ ସମସ୍ତ ଚଳନ୍ତି ପ୍ରତିମାଙ୍କ ଭୋଗ ହୋଇଥାଏ । ଛାମୁ ଦିହୁଡ଼ି ସହ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ରତ୍ନସିଂହାସନ ବିଜେ କରିଥାନ୍ତି ସେଠାରେ ପୁଷ୍ପାଳକ ସେବକମାନେ ତିନି ବାଡ଼ରେ କର୍ପୁର ଲାଗି କରିବା ପରେ ସିଂହାସନରୁ ଓହ୍ଲାଇ ତିନି ବାଡ଼ରେ ସାନ୍ଧ୍ୟ ଆଳତି କରିଥାନ୍ତି । ଏହାପରେ ପୂଜାପଣ୍ଡା ସେବକ ହାତୁଆଣି ନେଇ ମହାପ୍ରଭୁଙ୍କ ଦକ୍ଷିଣ ଭୁଜରୁ ଆଜ୍ଞାମାଳ ନେଇ ଶ୍ରୀମଦନମୋହନଙ୍କୁ ଓ ଉତ୍ତର ଭୁଜର ଦୁଇ ଆଜ୍ଞାମାଳ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଲାଗି କରିଥାନ୍ତି ।

ତତ୍ପରେ ଛାମୁ ଦିହୁଡ଼ି ସହ ମହାଜନ ସେବକମାନେ ତିନି ଚଳନ୍ତି ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ଜଗମୋହନ, ବଟ ଦ୍ୱାର ଦେଇ ଝୁଲଣ ମଣ୍ଡପ ଦୋଳି ଉପରେ ବିଜେ କରାନ୍ତି । ଏଠାରେ ବିଡ଼ିଆ ମଣୋହି ହୋଇଥାଏ । ଝୁଲଣ ଯାତ୍ରା ସମୟରେ ଶ୍ରୀମନ୍ଦିର ସ୍ଵତ୍ଵଲିପି ମୁତାବକ ଝୁଲଣ ଭୋଗ ହୋଇଥାଏ । ସାନ ଅମାଲୁ, ଖିରି ବଡ ଓଳି ସର, ଖଇ, କଦଳୀ ଓ କୋରା ଭୋଗ ହୋଇଥାଏ । ଭିତରେ ସଧ୍ୟା ଧୂପ ବଢ଼ିବା ପରେ ଝୁଲଣ ମଣ୍ଡପରେ ସୁଦୁ ସୁଆର ପାଣି ପକାଇବା ପରେ ଆସ୍ଥାନ ପ୍ରତିହାରୀ ଟେରା ବାନ୍ଧି ଶୀତଳ ଭୋଗ ପୂଜା ଠା’ କରିଥାନ୍ତି ।

ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରିଥାନ୍ତି । ଭୋଗ ଶେଷ ହେବା ପରେ ମୁଦିରସ୍ତ ବନ୍ଦାପନା ନୀତି ବଢ଼ାଇଥାନ୍ତି । ରତ୍ନସିଂହାସନରେ ଶ୍ରୀଜୀଉଙ୍କ ଚନ୍ଦନ ଲାଗି ନୀତି ସରିବା ପରେ ଝୁଲଣ କୁଞ୍ଜରେ ମହାଜନମାନେ ମଇଲମ କରି ଶ୍ରୀମଦନମୋହନଙ୍କୁ ଦକ୍ଷିଣୀ ଘର ଓ ଶ୍ରୀଦେବୀ, ଭୂଦେବୀଙ୍କୁ ରତ୍ନସିଂହାସନ ବିଜେ କରାଇଥାନ୍ତି ।

ମହାପ୍ରଭୁଙ୍କର ଝୁଲଣ ଯାତ ଅବସରରେ ଝୁଲଣ ସଂଗୀତ – “ଝୁଲନ୍ତି ରଙ୍ଗେ ରାଇ ସଙ୍ଗେ ଶ୍ୟାମ ସୁନ୍ଦର” ଏହିପରି ଭାବେ ୭ ଦିନ ବ୍ୟାପି ଝୁଲଣ ଯାତ୍ରା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ ।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.