କିମ୍ବଦନ୍ତୀ ଫୁଟବଲ ଖେଳାଳି ମାରାଡୋନାଙ୍କ ମୃତ୍ୟୁକୁ ନେଇ ଉଠୁଛି ପ୍ରଶ୍ନ, ଚିକିତ୍ସାରେ ଅବହେଳାକୁ ନେଇ ସମ୍ପୃକ୍ତ ଡାକ୍ତରଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ କରିଛି ପୋଲିସ
ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ପ୍ରଖ୍ୟାତ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ଡାକ୍ତର ଲିଓପୋଲଡୋ ଲୁକଙ୍କ କ୍ଲିନିକ ଏବଂ ଘରେ ପୋଲିସ ଚଢାଉ କରିଛି। ଆର୍ଜେଣ୍ଟିନା ଗଣମାଧ୍ୟମ ଏହା ନିଶ୍ଚିତ କରିଛନ୍ତି। ମାରାଡୋନାଙ୍କ ଚିକିତ୍ସା ସମୟରେ କୌଣସି ଅବହେଳା ହୋଇଛି କି ନାହିଁ ତାହା ପୋଲିସ ଅନୁସନ୍ଧାନ କରୁଛି ବୋଲି କୁହାଯାଉଛି।
ମାରାଡୋନାଙ୍କ ପରିବାର ଏବଂ ଓକିଲଙ୍କ କହିବା ଅନୁଯାୟୀ ମାରାଡୋନାଙ୍କ ଚିକିତ୍ସା ସମୟରେ ଡାକ୍ତର ଅବହେଳା କରିଥିଲେ। ଏହି କାରଣରୁ ସେ ପ୍ରାଣ ହରାଇଲେ। ମାରାଡୋନାଙ୍କ ଝିଅ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଡାକ୍ତରମାନେ ଉପଯୁକ୍ତ ଔଷଧ ଦେଇନାହାଁନ୍ତି, ସେଥିପାଇଁ ସେ ପ୍ରାଣ ହରାଇଛନ୍ତି।
ନଭେମ୍ବର ୨୫ରେ ଆର୍ଜେଣ୍ଟିନାର ରାଜଧାନୀ ବୁଏନୋସ୍ ଆଇରେସରେ ତାଙ୍କ ଘରେ ୬୦ ବର୍ଷ ମାରାଡୋନା ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ମାରାଡୋନାଙ୍କ ଓକିଲ ମାଟିୟସ୍ ମୋର୍ଲା ତାଙ୍କ ମୃତ୍ୟୁକୁ ସାର୍ବଜନୀନ କରିଥିଲେ। ଏହାପୂର୍ବରୁ ନଭେମ୍ବର ଆରମ୍ଭରେ, ମହାନ ଫୁଟବଲର୍ ମାରାଡୋନା ମସ୍ତିଷ୍କର ସଫଳ ଅପରେସନ୍ ହେବାର ଆଠ ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ। ଏହା ବ୍ୟତୀତ ମଦ୍ୟପାନରୁ ମୁକ୍ତି ପାଇବା ପାଇଁ ତାଙ୍କୁ ମଧ୍ୟ ଚିକିତ୍ସା କରାଯାଉଥିଲା।
ମାରାଡୋନାଙ୍କ ଓକିଲ ମାଟିୟସ୍ ମୋର୍ଲା ଏହି ଘଟଣାର ବିସ୍ତୃତ ତଦନ୍ତ ଦାବି କରିଛନ୍ତି। ମୋର୍ଲା କହିଛନ୍ତି ଯେ ମାରାଡୋନାଙ୍କ ଘରେ ଆମ୍ବୁଲାନ୍ସ ପହଞ୍ଚିବାକୁ ୩୦ ମିନିଟରୁ ଅଧିକ ସମୟ ଲାଗିଥିଲା। ଚିକିତ୍ସା ବିଳମ୍ବ ହେବା ନେଇ ସେ ସିଧାସଳଖ ଅଭିଯୋଗ କରିଛନ୍ତି।
Comments are closed.