Latest Odisha News

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର କାର୍ତ୍ତିକ ବେଶ ସମୂହ

ଲୋପାମୁଦ୍ରା ପରିଡା 

ରାଧାଦାମୋଦର ବେଶ

ଆଶ୍ବିନ ଶୁକ୍ଲ ଏକାଦଶୀଠାରୁ ଯେ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ଯନ୍ତ ମହାପ୍ରଭୁଙ୍କର ଏହି ଅପୂର୍ବ ସୁନ୍ଦର ବେଶ ଲାଗି ହୋଇଥାନ୍ତି । ଏହାକୁ ଚୈତନ୍ଯ ମହାପ୍ରଭୁ ,ଗୌଡମାଧ୍ବ ବୈଷ୍ଣବ ଗୋଷ୍ଠୀ ପ୍ରବର୍ତ୍ତନ କରାଇଥିଲେ ବୋଲି କିମ୍ବଦନ୍ତୀ ରୁ ଜଣାଯାଏ । ନିତ୍ୟ ବୃନ୍ଦାବନ ପୁରୀରେ ଆମେ ସମସ୍ତେ ଗୋପୀ ଓ ଜଗନ୍ନାଥେ ହିଁ ଶ୍ଯାମ ସୁନ୍ଦର ଅଟନ୍ତି ।

ହରିହର ବେଶ

ରାଇଦାମୋଦର ବେଶ ସମୟ ଅବଧି ମଧ୍ୟରେ ପଡୁଥିବା ସମସ୍ତ ସୋମବାରରେ ବଡ ବାଡର ପ୍ରଭୁ ଶ୍ରୀ ବଳରାମ ଆମର ବଳିଆଠାକୁର ଅର୍ଦ୍ଧେକ କୃଷ୍ଣ ଓ ଅର୍ଦ୍ଧେକ ଶ୍ବେତ ବର୍ଣ୍ଣ ଧାରଣ କରି ଅଦ୍ଭୁତ ସୁନ୍ଦର ବେଶ ଲାଗି ହୋଇଥାନ୍ତି । ଜଗନ୍ନାଥଙ୍କର ଜଗମୋହନ କାନ୍ଥ ଉପରକୁ ପଟ୍ଟଚିତ୍ରରେ ଅଙ୍କିତ ହୋଇଛନ୍ତି ଏଇ ହରିହର ବେଶର ଛବି । ଫାଳେ ନାରାୟଣ ସୁଦର୍ଶନ ଧାରୀ ଓ ଫାଳେ ଶଙ୍କର୍ଷଣ ତ୍ରିଶୂଳ ଧାରୀଙ୍କର ଏହି ଛବି ଅଦିତ୍ବୀୟ । ଅନ୍ୟ କେଉଁଠି ଏ ଛବି ମୁଁ ଦେଖିନି । ପାଳନ କର୍ତ୍ତା ଓ ସଂହାର କର୍ତ୍ତା ଅଙ୍ଗାଙ୍ଗୀ ଭାବେ ଏକାଠି, ଅର୍ଥାତ୍ ଯିଏ ପାଳନ,ଦୟା,କରୁଣା,କ୍ଷମା କରିପାରେ ସେ ଧ୍ବଂସ କରିବାର କ୍ଷମତା ଓ ଶକ୍ତି ବି ରଖେ ।

ଲକ୍ଷ୍ମୀ ନାରାୟଣ ବେଶ ବା ଠିଆକିଆ ବେଶ

କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଏହି ବେଶ ଲାଗି ହୋଇଥାନ୍ତି ମହାପ୍ରଭୁ । ମହାପ୍ରଭୁଙ୍କର ବାମପଟେ ମହାଲକ୍ଷ୍ମୀ ଦର୍ଶନ ଦିଅନ୍ତି । ମୁଁ ମୋର ଦେଉଳ ଦର୍ଶନ ଲେଖାରେ କହିଥିଲି ଦେଉଳରେ ଥିବା ଲକ୍ଷ୍ମୀନାରାୟଣ ଯୁଗଳ ଦର୍ଶନ ବିଷୟରେ ……କେଉଁଠି କେଉଁଠି ଓ କିପରି ।

ବାଙ୍କଚୂଡା ବେଶ

ବାଙ୍କ ଚାହାଣୀ ,ବାଙ୍କ ମୁରଲୀ, ବାଙ୍କ ଅଧର, ବାଙ୍କ ପୟର, ଭଙ୍ଗୀ ତ୍ରୀଭଙ୍ଗୀ ।ସେଇ ସବୁ ବାଙ୍କ ଭିତରେ ହିଁ ସମେଟି ନେଇଥାନ୍ତି ସଳଖି ଯେ ନେଇପାରନ୍ତି ଚଉଦକୋଟି ମଣ୍ଡଳ ତାଙ୍କର ଏଇ ଅତି ମନୋହର ବାଙ୍କଚୂଡା ବେଶ ଟି ଏଇ କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ ଦିନ ଲାଗି ହୁଅନ୍ତି ।

ତ୍ରିବିକ୍ରମ ବେଶ ବା ଆଡକିଆ ବେଶ

ତିନି ଭୁବନର ପ୍ରଭୁ ଓ ସମଗ୍ର ବ୍ରହ୍ମାଣ୍ଡ ର ବିକ୍ରମ କୁ ଯେ ଧାରଣ କରନ୍ତି ସେ ତ୍ରିବିକ୍ରମ କେଶରୀ ବେଶ କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ର ଶୁଭ ତିଥି ରେ ଲାଗି ହୋଇଥାନ୍ତି ।

ଲକ୍ଷ୍ମୀ ନୃସିଂହ ବେଶ ବା ଡାଳିକିଆ ବେଶ

ଶ୍ରୀକ୍ଷେତ୍ରରେ ନୃସିଂହ ଉପାସନା ଲେଖା ଟିରେ ବଡଦେଉଳ ର ପ୍ରାୟ ସମସ୍ତ ନୃସିଂହ ନାରାୟଣଙ୍କ କଥା ଲେଖିଥିଲି ଆଗରୁ । କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ମହାପ୍ରଭୁଙ୍କର ଏହି କରୁଣାମୟ ବେଶ ଲାଗି ଦର୍ଶନର ସୌଭାଗ୍ଯ ପ୍ରାପ୍ତିହୁଏ ।

 

ରାଜରାଜେଶ୍ବର ବା ରାଜାବେଶ ବା ସୁନାବେଶ

ଏହି ବେଶ କାର୍ତ୍ତିକ ପୂଣ୍ୟ ମାସର ଶେଷ ଦିନ ମହାପ୍ରଭୁ ଲାଗି ହୁଅନ୍ତି । ରଥ ଉପରେ ହେଉଥିବା ସୁନାବେଶ ପରି ହିଁ ସମାନ ବେଶ ଠାକୁରେ ବର୍ଷକୁ ପାଞ୍ଚ ଥର ଦେଉଳ ଭିତର ରତ୍ନ ବେଦୀରେ ହୋଇଥାନ୍ତି,  ସେ ଭିତରୁ  ଏହି ପୂର୍ଣ୍ଣିମାର ସୁନାବେଶ ଅନ୍ଯତମ । ଯେ ସ୍ବଂୟ ଲକ୍ଷ୍ମୀ ପତି ସେ ସ୍ବର୍ଣ୍ଣ ଆଭୂଷଣ ହେଉ କି ପୁଷ୍ପ ଅଳଙ୍କାର ସବୁଥିରେ ରାଜାଧିରାଜ ହି ଦିଶନ୍ତି ।ତାଙ୍କୁ ଦେଖିଲେ ତାଙ୍କ ଚନ୍ଦ୍ର ସୂର୍ଯ୍ୟ ଆଖି ଦୁଇଟି ଛଡା ଆଉ କଣ ଦିଶେ ଯେ ।ମନ ସେ ଚକାନୟନ କୁ ଛାଡି ଆଉ ବା କୁଆଡେ ଯାଏ କି ।ସେଇ ତ ମାୟା ଲଗେଇଦିଏ ….. ଯେତେ ଦେଖୁଥିଲେ ନୂଆ ଲାଗୁଥାଏ ….. ଭୁଲି ହୁଏ କି ।

ନାଗାର୍ଜୁନ ବେଶ

ପ୍ରତିବର୍ଷ କାର୍ତ୍ତିକ ରେ ମହାପୁରୁ ଏଇ ସାତଟି ବେଶ ଲାଗି ହୋଇଥାନ୍ତି ।ମାତ୍ର ଯେଉଁ ବର୍ଷ କାର୍ତ୍ତିକ ପଞ୍ଚୁକ ପାଞ୍ଚ ଦିନ ଯାଗାରେ ଛଅ ଦିନ ପଡେ…. ସେହି ଷଷ୍ଠ ଦିନ….. ସେ ଦିନଟି ମହାପ୍ରଭୁଙ୍କର ଏକ ଅତି ଅଲୌକିକ ଓ ଅଦ୍ବିତୀୟ ସୁନ୍ଦର ବେଶ ହୁଏ ଯାହାର ନାମ  “ନାଗାର୍ଜୁନ ବେଶ” ।

“ନାଗା “ଏକ ସମ୍ପ୍ରଦାୟ । ଯେଉଁମାନେ ବହୁତ ବୀର, ସାହାସୀ, ଯୋଦ୍ଧା ।ଯେଉଁମାନେ ଅସ୍ତ୍ର ଶସ୍ତ୍ର, ଶାରରିକ ବଳରେ ପ୍ରବଳ ପ୍ରତାପୀ ।ଯୋଉମାନଙ୍କ କାନ୍ଧରେ ସମଗ୍ର ରକ୍ଷାର ଭାର ଦାୟିତ୍ୱ ରହିଥାଏ ।  ମହା ବିପତ୍ତିକୁ ଯେ ଅକ୍ଲେଶରେ ଫୁ କରି ଉଡେଇ ଦେଇ ପାରନ୍ତି ।ସେମାନେ ଜଗନ୍ନାଥଙ୍କୁ ନିଜର ଇଷ୍ଟ ମାନନ୍ତି । ନାଗା ମଠ ମଧ୍ୟ ପୁରୀରେ ରହିଛି । ମନ୍ଦିର ସେବା ସହ ସେମାନଙ୍କର ସମ୍ପୃକ୍ତି ରହିଛି ।

ଆଶ୍ବିନ ମାସରେ ଦଶହରା ସମୟରେ ଆମ ପୁରୀ ରେ ବଡ ବଡ ନାଗା ମୂର୍ତ୍ତି ଗଢାହୁଅନ୍ତି ଓ ପ୍ରତିଯୋଗିତା କରିଥାନ୍ତି ।ଶ୍ରୀରାମନବମୀ ସମୟ ରେ ସାହିଯାତ ରେ ମଧ୍ୟ ନାଗା ବେଶ ପରିପାଟିରେ ଜେଗାର ବୀର ପୁରୀ ଯୁଆନମାନେ ଯୋଗ ଦିଅନ୍ତି । ସାହିଯାତ ଏକ ସୁନ୍ଦର ପରମ୍ପରା । ପୌରଣିକ ପୃଷ୍ଠଭୂମିକୁ ପରିପୃଷ୍ଠ କରୁଥିବା ଯାତ ।

ନାଗାର୍ଜୁନ ବେଶର ପ୍ରବର୍ତ୍ତନ ସ୍ବୟଂ ଭଗବାନ ପରଶୁରାମ ଦ୍ବାରା ହୋଇଥିଲା ବୋଲି ବିଶ୍ବାସ ରହିଛି । ଏହା ଏକ ଅମୂଲ୍ୟ ବେଶ କାରଣ ଏହା ସବୁ ସମୟରେ ହୁଏନାହିଁ ।

ମୁଁ ବୋଧେ ଅଷ୍ଟମରେ ପଢୁଥିଲି, ଏହି ବେଶ ହୋଇଥିଲେ ମହାପ୍ରଭୁ । ମୋ। ବାପା ଆମକୁ ( ବୋଉ ,ଆଉ ଆମ ଭାଇଭଉଣୀ ଦିହେଁ) ଆମ ସିଂହ ଦ୍ବାର ପଟ ବଣିଆ ପଟି ରେ ଆମ ବାବୁଲି ମାମୁଁ ଙ୍କ ଗହଣା ଦୋକାନ ଶ୍ରୀକ୍ଷେତ୍ର ଜୁଏଲାରୀ ରେ ବସେଇ କହିଲେ ମୁଁ ଦେଖି ଆସେ କ’ଣ ଅବସ୍ଥା, ତୁମେ ମାନେ ଯିବ । ସେ ବର୍ଷ ଗହଳି ମାନେ ମଣିଷ ଢେଉ ଲହଡି ଦେଉଳରେ, ରଥଠୁ ବି ବେଶୀ ଭିଡ ।ନଈପାଣି ଉଜାଣି ପରି ଲୋକ ବଢୁଥାନ୍ତି ବେଳୁ ବେଳ ।ଥାଳି ମାରିଦେଲେ ଚାଲିଯିବ ,କଳା ଚଦର, ଶୋରିଷ ପକେଇବାକୁ ଥାନ ନାହିଁ । ସେ ଗହଳିରେ ବାପା କ୍ଷଣକେ ଅଦୃଶ୍ୟ ହେଇଗଲେ, ଘଡିଏ ଗଲାଣି …. କେତେ ଚିହ୍ନା ଅଚିହ୍ନା, ଗପ ସପ ସରିଲାଣି । ବୋଉ ଆମକୁ କହିଲା ତମେ ଦିହେଁ ଦୋକାନର ଭିତରପଟକୁ ଯ । ବାବୁଲି ମାମୁଁ ଆମକୁ ସେପଟକୁ ନେଇଗଲେ । ତାଙ୍କ ଦୋକାନରେ ମତେ ଭଲ ଲାଗେ ….. କେତେ ପ୍ରକାର ଗହଣାର ଡିଜାଇନ୍ ଶିଖିବାକୁ, ଦେଖିବାକୁ। ଭିତର ଦୋକାନରେ ସେ ସବୁ ଗହଣାର ହାତ ମେସିନ ସରଞ୍ଜାମ ଥାଏ । ସେ ଫୁଙ୍କି ଫୁଙ୍କି ନଳରେ କଣ ସବୁ କାମ ହୁଏ । ମତେ ମଜା ଲାଗେ ।ମାମୁଁ ଆମକୁ ଫ୍ରୁଟି ଆଣିଦିଅନ୍ତି । ପିଉ ପିଉ କାମ ଦେଖୁ ।

ବୋଉ ଆମକୁ ଥାଅ କହିଦେଇ ଗହଳିରେ ହଜିଗଲା । ଆମେ ଦାଣ୍ଡ କୁ ଚାହିଁ ଥାଉ । ବାପା ବୋଉ ଦିହେଁ ଦେଉଳରେ । ଭେଟ ହେବାର ପ୍ରଶ୍ନ ନାହିଁ ।ବାପା ଆଗ ଆସିଲେ ,ଆମେ କହିଲୁ ବୋଉ ଦେଉଳରେ । ବାପା କହିଲେ ଏତେ ଭିଡ ଯେ ଚାଲିବାକୁ ପଡୁନି । ଆପେ ଆପେ ପହଞ୍ଚି ଯିବ ଆଉ ଛାଁ ଛାଁ ବାହାରେ ….. ମୁଣ୍ଡ ଟେକି ଦିଅଁଙ୍କୁ ଖାଲି ଅନେଇ ଥିବ ଯଦି ଥିବ ନହେଲେ ଆଉ ନାହିଁ । ବୋଉ କାଇଁ ଏକା ଗଲା ,ବ୍ଯସ୍ତ ହେଲେ ।

ମୁଁ ଭାବିଲି, ଏଁ ବୋଉ ତ ପୁରୀ ଝିଅ ତାର କଣ ଡର । ସିଏ ସବୁଥର ଦେଉଳ ଗଲାବେଳେ କହିଥାଏ ଯିଏ ହଜିବ ସିଏ ଘରକୁ ଯିବଭାରି । ଖୋଜି କରିବନି । ଦର୍ଶନରେ ମନ ଦବ ।

ବୋଉ ବି ଫେରିଲା, କହିଲା ଗହଳି କମୁ ପିଲେ ଯିବେ । ସଂଜକୁ ଆସିବା ନ ହେଲେ । ଚେପା ହେଇଯିବେ ୟା ଭିତରେ । ତା କଥା ଶୁଣି ଭାବିଲି ହେଇଛି ଗହଳି ସତରେ । ମୁଁ ମୁହଁ ହାଣ୍ଡି କଲି .ଯଦି ବେଶ ଓଲ୍ହାରି ହେଇଯିବେ ମୁଁ କେମିତି ଦେଖିବି, ପୁଣି କେବେ ପଞ୍ଚୁକ ଛ ଦିନ ହବ ମୁଁ ଥିବି ? ବାପା କହିଲେ, ଆ । ଉଡିଗଲୁ ବାପାଙ୍କର ମୋର । ସେ ଗହଳିରେ ଆତ୍ମା ପରମାତ୍ମା ଏକାକାର ।ନିଶ୍ବାସ ପଶୁଛି କି ଭାସୁଛି ସେଇ ଚକାଆଖିକୁ ଜଣା । ସେଥିରେ ପୁଣି ମୋର କୋଉ ହାଇଟ୍ ପାଉଛି ଟିପ ରେ ଠିଆ ହେଲେ ବି । ବାପା ମତେ ଜଗମୋହନ ଭିତର ଯାଏ ଦି ହାତର ମଝିରେ କର୍ଡନ କରି ରଖି ନଉ ନଉ ଗୋଟେଠି ଟେକି ଦେଇ କହିଲେ ଅନା ଦିଅଁଙ୍କୁ ,ବାସ୍ ଦଲକାଏରେ ଅନେଇ ଦେଇ ପ୍ରଭୁଙ୍କ ଆଖି ଦୁଇଟି ଦେଖି ବାହାରେ । ମଙ୍ଗଳାଙ୍କ ବେଢା ରେ ବାପା ପଚାରିଲେ ଦେଖିଲୁ? ମୁଁ କହିଲି ହଁ, ଆଉ ଭାବିଲି ସେଇ ଚକାଆଖି ତ । ବେଶ କାଇଁ ଯେ ।କହିଲି ବାପା ଆଉ ଥରେ ଯିବା ମୁଁ ଖାଲି ଦିଅଁଙ୍କୁ ଦେଖିଲି, ବେଶଟା ଜାଣି ପାରିଲିନି । ସେତେ ବେଳକୁ ବାଇଶି ପାହାଚ ଗୁମୁଟରେ ହେଲୁଣି । ବାପା କହିଲେ ସେଇ ହେଲା, କାଳିଆକୁ ଦେଖିଲୁ ତ ।

ଏ ବେଶକୁ ନେଇ ଏକ ପୌରଣିକ କିମ୍ବଦନ୍ତୀ ହେଲା,ସବ୍ଯସାଚୀ ଓ ନାଗାବଳୀଙ୍କର ପୁତ୍ର ନାଗାର୍ଜୁନ ଅସୁରନିଧନକାରୀ ମହାବୀର ଥିଲେ ଏବଂ ଏହି ନାଗା ବେଶ ଓ ବିଦ୍ଯା ସେ ଶ୍ରୀଗୋବିନ୍ଦ ଙ୍କର କୃପା ଛତ୍ରରେ ପାଇପାରିଥିଲେ ।

 

Comments are closed.