Latest Odisha News

ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣା: ବିଜେପି ଉପରେ ବର୍ଷିଲା ଟିଏମସି, ‘ଭିନ୍ନ ଦିନ, ଭିନ୍ନ ପୀଡିତା-ସ୍ଥିତି ସମାନ’

ନୂଆଦିଲ୍ଲୀ/ଭୁବନେଶ୍ବର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ନିଜକୁ ନିଆଁ ଲଗାଇ ଦେବା ଘଟଣାରେ ଏବେ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ବିଜେପି ସରକାରଙ୍କ ଉପରେ କଠୋର ଆକ୍ରମଣ ଆରମ୍ଭ କରିଛି । ଏନେଇ ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଟିଏମସି ଲେଖିଛି, “ଭିନ୍ନ ଦିନ, ଭିନ୍ନ ପୀଡିତା – ବିଜେପି ନଜରରେ ସମାନ ସ୍ଥିତି ସେହି ଖରାପ” । ଓଡ଼ିଶାର ବାଲେଶ୍ୱରରେ, ଜଣେ ଛାତ୍ରୀଙ୍କ ଏଚ୍ଓଡି ଯୌନ ଅନୁଗ୍ରହ ଦାବି କରିବା ଏବଂ ତାଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଧମକ ଦେବା ପରେ ନିଜକୁ ନିଆଁ ଲଗାଇବାକୁ ବାଧ୍ୟ ହୋଇଥିଲେ। ସେ ୯୫% ପୋଡ଼ି ହୋଇଥିବା ବେଳେ ମରଣ ସହିତ ସଂଘର୍ଷ କରୁଛନ୍ତି। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଜଣେ ସହପାଠୀ ୭୦ % ପୋଡ଼ି ଯାଇଛନ୍ତି ବୋଲି କହି ଟାର୍ଗେଟ କରିଛି ଟିଏମସି । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବି କଡା ନିଶାନା ସାଧି ଟିଏମସି କହିଛି, ମୋହନ ମାଝୀଙ୍କ ନୀରବତା ଲଜ୍ଜାଜନକ, ଏବଂ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା କୌଣସି ନିନ୍ଦା ନକରାଯିବା କେବଳ ଆମେ ପୂର୍ବରୁ ଜାଣିଥିବା କଥାକୁ ପୁନଃନିର୍ମାଣ କରେ । ବିଜେପିର ‘ବେଟି ବଚାଓ, ବେଟି ପଢ଼ାଓ’ ଏକ ଫାର୍ସ ବୋଲି କହି ବର୍ଷିଛି ଟିଏମସି ।

ଶନିବାର ଅପରାହ୍ନରେ ଫକୀର ମୋହନ କଲେଜରେ ଗଟିଥିବା ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଛି । ଜଣେ ଦ୍ୱିତୀୟ ବର୍ଷର ସମନ୍ୱିତ ବି.ଏଡ୍ ଛାତ୍ରୀ ଜଣକ ସହାୟକ ପ୍ରଫେସର ସମୀର କୁମାର ସାହୁ – ଯିଏ ତାଙ୍କ ଏଚ୍ଓଡି ମଧ୍ୟ ଥିଲେ – ଯାହାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ପକାଇବା ପାଇଁ ପ୍ରିନ୍ସିପାଲ ଦିଲୀପ କୁମାର ଘୋସଙ୍କୁ ଭେଟିଥିଲେ । ହେଲେ ପ୍ରିନ୍ସିପାଲଙ୍କ ରୁମରେ କ’ଣ ହେଲା କେଜାଣି, ଏହା ପରେ ସିଧା ଛାତ୍ରୀ ଜଣଙ୍କ ବାହାରକୁ ଆସିବାର କିଛି ସମୟ ପରେ, ସେ ନିଜ ଉପରେ କିରୋସିନ ଢାଳି କ୍ୟାମ୍ପସରେ ନିଜକୁ ନିଆଁ ଲଗାଇ ଦେଇଛନ୍ତି ।  ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଜଣେ ଛାତ୍ର ମଧ୍ୟ ୭୦ % ପୋଡି ଯାଇଥିବା ଅଭିଯୋଗ ହୋଇଛି । ଉଭୟଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ ଏମସ୍ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି । ପୀଡିତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନା ରହିଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲନ୍ଲୀ ଗସ୍ତରୁ ଫେରି ସିଧା ପୀଡିତାଙ୍କୁ ଭେଟିବାକୁ ଏମ୍ସରେ ପହଞ୍ଚିଥିଲେ । ସେଠାରେ ସେ ସ୍ଥିତି ପରଖିବା ପରେ ପରେ ପରିସ୍ଥିତି ସଙ୍କଟାପନ୍ନ ରହିଥିବା ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଛାତ୍ରୀଙ୍କ ଅବସ୍ଥା ଟିକ୍ ନାହିଁ । ଚିକିତ୍ସା ଚାଲିଛି । ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ନେଇ ଯୋଜନା ରହିଛି । ହେଲେ ଯେହେତୁ ଛାତ୍ରୀଙ୍କ ଅବସ୍ଥା ସ୍ଥିର ନାହିଁ, ତେଣୁ ତାଭ୍କୁ ଏୟାରଲିଫ୍ଟ କରାଯାଇପାରିବ ନାହିଁ । ସ୍ଥିତିରେ ଟିକେ ସୁଧାର ଆସିଲେ ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯିବ । ୧୨ ଜଣିଆ ଡାକ୍ତରୀ ଦଳ ତାଙ୍କ ଅବସ୍ଥା ଉପରେ ନଜର ରଖିଛନ୍ତି ।

ଅନ୍ୟପଟେ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଘଟଣାକୁ ଗମ୍ଭୀର ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । କହିଛନ୍ତି ଯେ ସରକାର ଏହାକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ପରିଚାଳନା କରୁଛନ୍ତି। ଅଭିଯୁକ୍ତ ଏଚଓଡି ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବିତ କରାଯାଇଛି ଏବଂ ଶିକ୍ଷକଙ୍କୁ ଗିରଫ କରାଯାଇଛି । ତଦନ୍ତ ପାଇଁ ଭୁବନେଶ୍ୱରରୁ ଏକ ଉଚ୍ଚସ୍ତରୀୟ କମିଟି ପଠାଯାଇଛି । ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ମନ୍ତ୍ରୀ ମନ୍ତବ୍ୟ ରଖିଛନ୍ତି ।

ଅନ୍ୟପକ୍ଷରେ ଏହି ଦୁଃଖଦ ଘଟଣା ଏବେ ବିରୋଧୀଙ୍କୁ ଖୋରାକ ଯୋଗାଇଛି । ବିରୋଧୀ ବିଜୁ ଜନତା ଦଳ ଏହି ମାମଲାକୁ ‘ବର୍ବର’ ବୋଲି କହିଛନ୍ତି ଏବଂ କ୍ୟାମ୍ପସରେ ଛାତ୍ରୀମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେବା ପାଇଁ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି । କେବଳ ଏହା ଦ୍ୱାରା ନୁହେଁ, ବରଂ ଗତ ମାସରେ ଓଡ଼ିଶା ଯାହା ହୋଇଛି ତାହା ଦ୍ୱାରା ଆମେ ଆଶ୍ଚର୍ଯ୍ୟ। ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା, ଏବେ ଏହି ଘଟଣା…..ଏହା ଆମେ ଜାଣୁ ଓଡ଼ିଶା ନୁହେଁ ବୋଲି ବିଜେଡି କହିଛି । ଏଥିସହିତ ଏହି ଘଟଣାରେ ବିରୋଧୀ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିବା ବେଳେ ଯୁବ କଂଗ୍ରେସ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରି କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଛାତ୍ରୀଙ୍କୁ ଉଚିତ୍ ନ୍ୟାୟ ଦାବି କରିଛି ।

Comments are closed.