Latest Odisha News

BREAKING NEWS

ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେଲେ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି ।

ବିଜୟ ମହାପାତ୍ର ତାଙ୍କର ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ବରିଷ୍ଠ ନେତା ଦିଲ୍ଲୀପ ରାୟ ଓଡ଼ିଶା ବିଧାନସଭା ବାଚସ୍ପତି ପ୍ରଦୀପ ଅମାତଙ୍କୁ ଦିନ ୧୦ଟା ସମୟରେ ଭେଟି ବିଧାୟକ ପଦରୁ ଇସ୍ତଫା ଦେବା ଲାଗି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ଦିଲ୍ଲୀପ ରାୟ ବିଧାନସଭା ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିବା ପୂର୍ବରୁ ଗଣମାଧ୍ୟମକୁ ପୂର୍ବରୁ ଜଣାଇନଥିଲେ । ସେ ଟ୍ୱିଟର୍ ମାଧ୍ୟମରେ ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବା ଏବଂ ରାଉରକେଲାରୁ ଆଗାମୀ ବିଧାନସଭା ନିର୍ବାଚନରେ ଲଢିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ବାଚସ୍ପତି ପ୍ରଦୀପ ଅମାତ କହିଛନ୍ତି, ନିୟମ ତଥା ବିଧିବଦ୍ଧ ଭାବେ ସେ ଶ୍ରୀଯୁକ୍ତ ରାୟଙ୍କ ଇସ୍ତଫାପତ୍ର ଗ୍ରହଣ କରିଥିଲେ । “ମୁଁ ତାଙ୍କର ଇସ୍ତଫାପତ୍ର ଆଗାମୀ କାର୍ଯ୍ୟନୁଷ୍ଠାନ ଲାଗି ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟକୁ ପଠାଇଦେଇଛି ।” ଏହା କହିଛନ୍ତି ବାଚସ୍ପତି ପ୍ରଦୀପ ଅମାତ ।

ଇସ୍ତଫା ପ୍ରଦାନ ପରେ ଦିଲ୍ଲୀପ ରାୟ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ସେଠାରେ ସେ ସନ୍ଧ୍ୟାରେ ଆମେରିକା ଗସ୍ତରେ ଯାଉଛନ୍ତି ।

ଦିଲ୍ଲୀପ ରାୟ ବିଜେପି ଛାଡ଼ିବା ନେଇ ସେପରି କିଛି ସ୍ପଷ୍ଟ କାରଣ ଦର୍ଶାଇ ନ’ଥିଲେ ମଧ୍ୟ ସୂତ୍ରରୁ ଜଣାପଡ଼ିଛି ଯେ, ରାଉରକେଲା ବିଧାୟକ ତାଙ୍କର ୨ଟି ଦାବି ନେଇ ଏହି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି – ୨ୟ ବ୍ରାହ୍ମଣୀ ସେତୁ ଏବଂ ଇସ୍ପାତ ଜେନେରାଲ ହସ୍ପିଟାଲର ନବୀକରଣ କରି ଏକ ସୁପରସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରିବାର ଦାବି । ରାଜ୍ୟ ନେତୃତ୍ୱ ତଥା କେନ୍ଦ୍ର ସରକାରଙ୍କୁ ଏସମ୍ପର୍କରେ ବହୁବାର ଅନୁରୋଧ କରିଥିଲେ ମଧ୍ୟ ଦାବି ପୂରଣ ହେଲା ନାହିଁ ।

ଏସମ୍ପର୍କରେ ବିଜେପି ନେତୃବର୍ଗଙ୍କଠାରୁ ତୁରନ୍ତ କୌଣସି ପ୍ରତିକ୍ରିୟ ପ୍ରକାଶ ପାଇନାହିଁ ।

ତେବେ ଏସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ବୁଧବାର ଦିନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଥିଲେ, ଦଳରେ ରହିବା ନ’ରହିବା ନେଇ ନେତାଙ୍କ ଉପରେ ନିର୍ଭର କରେ ।

କୌଣସି ବିଜେପି ନେତାଙ୍କ ନାମ ନ’ନେଇ ନଭେମ୍ବର ୨୭ ତାରିଖ ଦିନ ଦିଲ୍ଲୀପ ରାୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ, ସେମାନେ ରାଉରକେଲାର ବିକାଶ ଚାହୁଁ ନାହାନ୍ତି । “ ଏସବୁ ବହୁତ ହୋଇଗଲାଣି, ରାଉରକେଲାର କିଛି ଉନ୍ନତି ହେଇ ଏମାନେ ଚାହୁଁନାହାନ୍ତି । ଗତଥର ନିର୍ବାଚନରେ ରାଉରକେଲା ଓ ସୁନ୍ଦରଗଡ଼ରେ ବିଜେପି ଯେଉଁ ଭୋଟ୍ ହାସଲ କରିପାରିଥିଲା ତାହା ଏଥର ଯେମିତି ନ’ହେବ ତାହା ମଧ୍ୟ ଜଣେ ପାୱାରଫୁଲ ନେତା ଚାହୁଁଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ, ଏଥିରେ ମୁଁ କାଳେ ସବୁ କ୍ରେଡ଼ିଟ୍ ନେଇଯିବି ସେହି ଡ଼ର ତାଙ୍କର ରହୁଛି । ମୁଁ ଶେଷଥର ଲାଗି ଚେଷ୍ଟା କରିବି । ଯଦି କିଛି ନ’ହୁଏ ତେବେ ତିନି ଚାରି ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବି । ମୁଁ ହଟିଗଲେ ରାଉରକେଲାର ଯଦି ଉନ୍ନତି ହୋଇପାରିବ ତେବେ ଭଲ କଥା,” ବୋଲି କହିଥିଲେ ବିଜେପିର ବରିଷ୍ଠ ନେତା ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ।

ସେ ଆହୁରି ମଧ୍ୟ ଅଭିଯୋଗ କରି କହିଥିଲେ, ରାଉରକେଲାରେ ୨ୟ ବ୍ରାହ୍ମଣୀ ସେତୁ ଏବଂ ଇସ୍ପାତ ଜେନେରାଲ ହସ୍ପିଟାଲର ଉନ୍ନୟନ ନିମେନ୍ତେ ପୂର୍ବରୁ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ, ସେ ରାଜ୍ୟର ଦଳୀୟ ନେତୃତ୍ୱ ତଥା କେନ୍ଦ୍ର ନେତୃତ୍ୱଙ୍କୁ ଏସମ୍ପର୍କରେ ବାରମ୍ଭାର ଅବଗତ କରି ଅନୁରୋଧ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଥିଲାଗି କୌଣସି କାର୍ଯ୍ୟ।।ନୁଷ୍ଠାନ ଗ୍ରହଣ କରାଗଲା ନାହିଁ । “ ଯଦି ସେମାନଙ୍କର ରାଉରକେଲାର ବିକାଶ ଲାଗି ପ୍ରକୃତରେ ଇଚ୍ଛା ରହିଛି ତେବେ ମୋର କିଛି ହେଲେ କହିବାର ନାହିଁ, ପରିଶେଷରେ ଏହି ପ୍ରସଙ୍ଗରେ ମୁଁ କାହା ସହିତ ଝଗଡ଼ା କରିବାକୁ ଚାହେଁ ନାହିଁ,” ବୋଲି କହିଥିଲେ ଦିଲ୍ଲୀପ ରାୟ ।

ସେ ବିଜେପିର ଜଣେ ବିଧାୟକ ହୋଇଥିବା ସତ୍ତେ୍ୱ ତାଙ୍କୁ ଦଳୀୟ ସଭାସମିତି ବା ଦଳର କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଦୀର୍ଘ ଦିନ ଧରି କ୍ୱଚିତ ଦେଖିବାକୁ ମିଳୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କର ତିକ୍ତ ସମ୍ପର୍କ ଅବଶ୍ୟ କାହାକୁ ଅଛପା ନୁହେଁ ।

Leave A Reply

Your email address will not be published.