Latest Odisha News

ବିଜେପିରେ ମିଶିବା ହିଁ ମୋର ଭୂଲ୍ ନିଷ୍ପତ୍ତି ଥିଲା: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଜେପିରେ ମିଶିବା ହିଁ ଭୂଲ୍ ନିଷ୍ପତ୍ତି ଥିଲା ବୋଲି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାପରେ ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି, ସେ ତାଙ୍କର ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଏକ ପଶ୍ନର ଉତ୍ତରରେ ସେ କହିଛନ୍ତି, ଏସମ୍ପର୍କରେ ଏପର୍ଯ୍ୟନ୍ତ ସେ କୌଣସି ନିଷ୍ପତ୍ତି ନେଇନାହାନ୍ତି । “ ଦିଲ୍ଲୀପ ୨ ସପ୍ତାହ ପରେ ତାଙ୍କର ବିଦେଶ ଗସ୍ତ ସମାପ୍ତ କରି ଫେରିବା ପରେ ଆମେ ଆମର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଯାହାକିଛି ନିଷ୍ପତ୍ତି ଗ୍ରହଣ କରିବୁ । ଦିଲ୍ଲୀପଙ୍କ ସହିତ ଏକ ବୈଠକ ପରେ ଆଗାମୀ ନିର୍ବାଚନରେ ଲଢବି କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବି ।” ଗଣମାଧ୍ୟମ ଆଗରେ ଏହା କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।

ବିଜେଡ଼ିରେ ମିଶିବା ସମ୍ଭାବନା ପରି ଏକ ପ୍ରଶ୍ନର ଉତ୍ତରରେ ବିଜୟ କହିଛନ୍ତି, ଏବେ ଓଡ଼ିଶା ରାଜନୈତିକ ଦୃଶ୍ୟପଟ୍ଟ ଏକ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି । ଦିଲ୍ଲୀପଙ୍କ ସହିତ ବୈଠକ ପରେ ଏନେଇ ସେ ଯାହାକିଛି ନିଷ୍ପତ୍ତି ନେବେ ।

ସେ ଏକଥାକୁ ସ୍ୱୀକାର କରି କହିଛନ୍ତି, ବିଜେପିରେ ମିଶିବା ତାଙ୍କର ଏକ ଭୂଲ୍ ନିଷ୍ପତ୍ତି ଥିଲା । ବିଜେପି ଓଡ଼ିଶା ଲାଗି କୌଣସି ଚିନ୍ତା ପ୍ରକଟ କରୁନାହିଁ ।

ବିଜେପିର ‘ମିଶନ ୧୨୦ ପ୍ଲସ’ ରଣନୀତି ପ୍ରସଙ୍ଗରେ ବିଜୟ ମହାପାତ୍ର କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନ ଲାଗି ତ୍ରୁଟିପୂର୍ଣ୍ଣ ରଣନୀତି ପ୍ରସ୍ତତ କରି ବିଜେପି ନେତୃତ୍ୱ ଭୂଲ୍ କରିଛନ୍ତି । “ ଏହି ମିଶନ ଘୋଷଣା କରିବା ପୂର୍ବରୁ ଦଳୀୟ କର୍ମୀଙ୍କ ସହିତ ଆଲୋଚନା କରିବା ଆବଶ୍ୟକ ରହିଥିଲା,” ବୋଲି ସେ କହିଛନ୍ତି ।

ମହାନଦୀ ପ୍ରସଙ୍ଗରେ ସେ କ୍ଷୋଭ ପ୍ରକାଶ କରି ବିଜୟ ମହାପାତ୍ର କହିଛନ୍ତି, ନା ବିଜେପି କିମ୍ବା ଓଡ଼ିଶା ସରକାର ଏହିପରି ଏକ ମହତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱ ଦେଉନାହାନ୍ତି ।

Leave A Reply

Your email address will not be published.