Latest Odisha News

BREAKING NEWS

ଆସନ୍ତାକାଲିଠୁ ଭୁବନେଶ୍ୱରରୁ ଆବୁଧାବି ସିଧାସଳଖ ଉଡାଣ

ଭୁବନେଶ୍ୱର: ବିଲ୍ଡିଂ ମ୍ୟାନେଜମେଣ୍ଟ ଅଫ୍ ଏଭିଏସନ୍ ଆସେଟ୍ସ ଆଣ୍ଡ୍ ନେଟୱାର୍କ (B-MAAN) ଅଧୀନରେ ଭୁବନେଶ୍ୱର ଏବଂ ଆବୁଧାବି ମଧ୍ୟରେ ସିଧାସଳଖ ବିମାନ ସେବା ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି।

ଇଣ୍ଡିଗୋ ସପ୍ତାହରେ ତିନିଥର ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଏହି ସିଧାସଳଖ ବିମାନ ଚଳାଚଳ କରିବ। ଏହି ସେବା ଅନ୍ତର୍ଜାତୀୟ ସଂଯୋଗ ବୃଦ୍ଧି କରିବା ଏବଂ ପର୍ଯ୍ୟଟନ ସହ ବାଣିଜ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି।

ଇଣ୍ଡିଗୋର ୱେବସାଇଟ୍ ଅନୁଯାୟୀ, ନନ୍-ଷ୍ଟପ୍ ବିମାନ ଭୁବନେଶ୍ୱରରୁ ସକାଳ ୯.୩୫ରେ ଆଇଏସଟି ଛାଡିବ ଏବଂ ଅପରାହ୍ନ ୧୨.୩୫ରେ ଆବୁଧାବିରେ ଅବତରଣ କରିବ। ସେପଟେ ବିମାନ ସ୍ଥାନୀୟ ସମୟ ୨.୩୫ରେ ଆବୁଧାବିରୁ ବାହାରିବ। ସକାଳ ୮.୩୫ରେ ଆଇଏସଟିରେ ପହଞ୍ଚିବ। ତେବେ ଉଡ଼ାଣ ଅବଧି ପ୍ରାୟ ୪ ଘଣ୍ଟା ୩୦ ମିନିଟ୍ ହେବ।

ପ୍ରାରମ୍ଭିକ ଭାବେ ଭୁବନେଶ୍ୱରରୁ ଆବୁଧାବି ପର୍ଯ୍ୟନ୍ତ ଏକପାଖିଆ ଭଡ଼ା ୧୨,୬୮୫ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ରିଟର୍ନ ଟିକେଟ ୧୬,୧୩୨ ଟଙ୍କା ରହିଛି। ଚାହିଦା ଏବଂ ଉପଲବ୍ଧତା ଆଧାରରେ ଭଡ଼ା ଭିନ୍ନ ହୋଇପାରେ। ପ୍ରାରମ୍ଭିକ ଉଡ଼ାଣ ପାଇଁ ବୁକିଂର ଅଧିକ ଚାହିଦା ରହିଥିବା ଜଣାପଡ଼ିଛି।

ଏହା ସହିତ ଚାରୋଟି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ ସହିତ ଭୁବନେଶ୍ୱର ସଂଯୋଗ ହେବ। ସେଥିରେ ଆବୁଧାବି, ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକ ରହିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନ ୨୦ଟି ଭାରତୀୟ ସହରକୁ ବିମାନ ସେବା ପ୍ରଦାନ କରୁଛି। ଜାନୁଆରୀରେ ଇନ୍ଦୋର, ଡେରାଡୁନ, ଲକ୍ଷ୍ନୌ, ଜୟପୁର ଏବଂ କୋଚି ସହିତ ଭୁବନେଶ୍ଵର ସଂଯୋଗ ହୋଇଥିଲା।

 

Comments are closed.