ଭୁବନେଶ୍ବର : ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୮ଟି ବସ୍ ଗଡ଼ିବ। ଏଥିରେ ମହିଳାଙ୍କୁ ୫୦% ରିହାତି ମିଳିବା ନେଇ OSRTC ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଆସନ୍ତା ୧୩ ତାରିଖରୁ ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହେଉଥିବାରୁ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଓଡିଶାରୁ ୮ଟି ବସ ଗଡ଼ିବ। ଆବଶ୍ୟକ ହେଲେ ଅଧିକ ବସ ଚାଲିବା ବ୍ୟବସ୍ଥା କରାଯିବ। ଏହି ଯାତ୍ରା ପାଇଁ ପ୍ରତି ଯାତ୍ରୀଙ୍କୁ ୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଟିକେଟ ଦେୟ ଦେବାକୁ ପଡିବ। ଏଥିରେ ମହିଳାଙ୍କ ପାଇଁ ୫୦% ରିହାତି ବ୍ୟବସ୍ଥା ରହିଛି। ସେହିପାରି ରହିବା, ଖାଇବାର ମଧ୍ୟ ବ୍ୟବସ୍ଥା କରିବ OSRTC। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଏହି ବସ୍ ଗୁଡ଼ିକ ଅଯୋଧ୍ୟା ଯିବ ବୋଲି OSRTC ଅତିରିକ୍ତ ସଚିବ ଶ୍ରୀ ସେଠୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଆସନ୍ତା ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏଥିରେ ଦେଶ ବିଦେଶର କୋଟିକୋଟି ଶ୍ରଦ୍ଧାଳୁ, ସାଧୁସନ୍ଥ ଓ ସନ୍ନ୍ୟାସୀମାନେ ଯୋଗଦେଲେଣି। ବିଶେଷ କରି ନାଗା ସାଧୁମାନେ ପ୍ରୟାଗରାଜ ଆସିବା ଆରମ୍ଭ କଲେଣି। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୨ ବର୍ଷରେ ଥରେ ଏହି ମହାକୁମ୍ଭ ମେଳା ପଡ଼ୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି।
ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଗଡିବ ସ୍ଵତନ୍ତ୍ର ବସ୍।ସିଧା ଓଡ଼ିଶାରୁ ଅଯୋଧ୍ୟା ସଂଯୋଗ କରିବ। ଏବେ ଓଡ଼ିଶାବାସୀ ସିଧା ଓଡ଼ିଶାର ପ୍ରମୁଖ ସହରରୁ ବସି ଅଯୋଧ୍ୟାର କୁମ୍ଭମେଳାରେ ଓହ୍ଲାଇବେ। ଏଥିପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ସଂଯୋଗ କରୁଥିବା ସ୍ବତନ୍ତ୍ର ବସ ସେବାର ଶୁଭାରମ୍ଭ କରିବେ ଓଡ଼ିଶା ସରକାର । ଯାହା ଆସନ୍ତା ଜାନୁଆରୀ ୧୩ରୁ ଆରମ୍ଭ ହୋଇ ୨୬ ଫେବୃଆରୀ ଯାଏ ଏହି ସେବା ଚାଲୁ ରହିବ। ତେବେ ଏହି ବସ୍ ସେବାଗୁଡ଼ିକ ଆସନ୍ତା ୧୩ ତାରିଖରୁ ୪ଟି ମୁଖ୍ୟ ମାର୍ଗ ଦେଇ ଯାତାୟାତ କରିବା। ପୁରୀରୁ ଅଯୋଧ୍ୟା, ସମ୍ବଲପୁରରୁ ଅଯୋଧ୍ୟା, ଭବାନୀପାଟଣାରୁ ଅଯୋଧ୍ୟା ଏବଂ ବ୍ରହ୍ମପୁରରୁ ଅଯୋଧ୍ୟା ଦେଇ ଚଳାଚଳ କରିବ ଏହି ସ୍ବତନ୍ତ୍ର ବସ୍। ପ୍ରତ୍ୟେକ ମାର୍ଗ ପାଇଁ ଗୋଟିଏ ଲେଖାଏଁ ବସ୍ ଚାଲିବା ।
ତେବେ ଯାତ୍ରୀଙ୍କ ସୁବିଧା ଦେଖି ଏହି ସ୍ୱତନ୍ତ୍ର ବସରେ ସ୍ଵତନ୍ତ୍ର ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥିତ କରାଯାଇଛି। ଏହି ସ୍ଵତନ୍ତ୍ର ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା, ଲାଇଭ୍ ଯାନ ଟ୍ରାକିଂ, ପ୍ୟାନିକ ବଟନ, ଏବଂ ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା ରହିଛି । ଏଥିସହିତ ଯାତ୍ରୀଙ୍କ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା ମଧ୍ୟ ରହିବ ।
ଏଥିପାଇଁ ଇଚ୍ଛୁକ ଥିବା ଯାତ୍ରୀମାନେ ଓଏସଆରସିଟି ୱେବସାଇଟ କିମ୍ବା ମୋବାଇଲ ଆପ ଦ୍ଵାରା ନିଜର ବୁକିଙ୍ଗ କରିପାରିବେ। ଆଉ ନିଜର ବସ ବିଷୟରେ ସମସ୍ତ ତଥ୍ୟ ଜଣାଇବା ପାଇଁ ରାଜ୍ୟସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଟୋଲଫ୍ରୀ ନମ୍ୱର 1800-345-1122 କିମ୍ବା ହ୍ୱାଟସଆପ୍ ନମ୍ୱର୍ 78490052205ରେ ଯୋଗାଯୋଗ କରିପାରିବେ।