ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ୍ (କନିଷ୍ଠ ବର୍ଗ) ଏବଂ ଓଆରଏସ୍ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବକେୟା ଥିବା ତଦନ୍ତ ରିପୋର୍ଟଗୁଡିକ ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଏ ସଂକ୍ରାନ୍ତରେ ସମସ୍ତ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, କନ୍ଧମାଳର ଜିଲ୍ଲା ପରିଷଦମାନଙ୍କର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଆରଡିସି, କଟକ ଏବଂ ଆରଡିସି, ସମ୍ବଲପୁରଙ୍କ ସଚିବଙ୍କୁ ଚିଠି ଲେଖିଛନ୍ତି l
ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶାନୁସାରେ ତଦନ୍ତକାରୀ ଅଧିକାରୀ ନିଯୁକ୍ତି ତାରିଖରୁ ୯୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବକେୟା ଥିବା ମାମଲା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାରେ ଅନାବଶ୍ୟକ ବିଳମ୍ବ ହେଉଛି ଏହି ପରିପ୍ରେକ୍ଷୀରେ ସମସ୍ତ ବକେୟା ମାମଲାକୁ ପ୍ରାଥମିକତା ଆଧାରରେ ତଦନ୍ତ କରାଯାଇ ଏକ ମାସ ମଧ୍ୟରେ ଅର୍ଥାତ୍ ୩୧ ମାର୍ଚ୍ଚ ୨୦୨୬ ପୂର୍ବରୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ରାଜସ୍ୱ ସଚିବ ଡ. ପାଢୀ ନିର୍ଦ୍ଦେଶ ଦେଇଛନ୍ତି l
ଆବଶ୍ୟକସ୍ଥଳେ ତଦନ୍ତକାରୀ ଅଧିକାରୀଙ୍କ ଦ୍ୱାରା ଅବହେଳା କିମ୍ବା ଖିଲାପ ହେଲେ ଏ ସମ୍ପର୍କିତ ମାମଲା ସରକାରଙ୍କ ଦୃଷ୍ଟିଗୋଚରକୁ ଆଣି ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଏଥିସହିତ ସମସ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଏହି ମାମଲାଗୁଡିକର ନିୟମିତ ସମୀକ୍ଷା କରି ସରକାରୀ ନିର୍ଦ୍ଦେଶ ପାଳନ ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି ।