Latest Odisha News

BREAKING NEWS

ଦଳଙ୍କୁ ଟିକେଟ୍ ଟେନସନ୍ !

ଭୁବନେଶ୍ୱର: ଭୋଟ୍ ପୂର୍ବରୁ ଦଳଙ୍କୁ ଟିକେଟ୍ ଟେନସନ୍ । ପ୍ରାର୍ଥୀ ହେବାକୁ ପ୍ରବଳ ପ୍ରତିଯୋଗିତା, ଶକ୍ତି ପ୍ରଦର୍ଶନ । ରାଲି, ସଭାରେ ଲବି ଜୋରଦାର । ଟିକେଟ୍ ଘୋଷଣା ସହ ବଢୁଛି ବିଦ୍ରୋହ । ଅସନ୍ତୋଷ, ବିକ୍ଷୋଭ ସହ ଦଳବଦଳ । କାହାକୁ ଭରସା କରିବେ ଭୋଟର ? ଭୋଟ୍ ଉପରେ ପଡିବ କି ପ୍ରଭାବ ?
ବିଜେଡିକୁ ଭୁବନେଶ୍ୱର ମଧ୍ୟ ମୁଣ୍ଡବିନ୍ଧା !
କାହାକୁ ମିଳିବ ଭୁବନେଶ୍ୱର ମଧ୍ୟ ଟିକେଟ୍ ? ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଅନନ୍ତ ଜେନା ଓ ଅମରେଶ ଜେନାଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି । କର୍ପୋରେଟର ଥିବା ସମୟରୁ ଉଭୟଙ୍କ ମଧ୍ୟରେ ଥିବା ବିବାଦ ଏବେ ତେଜିବାରେ ଲାଗିଛି । ବନ୍ଧୁମିଳନ ଆଳରେ ଶକ୍ତି ପ୍ରଦର୍ଶନ କରିବା ସହ ଅନନ୍ତଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି ଅମରେଶ । ଅନନ୍ତ ମଧ୍ୟ ଜବାବୀ ଶକ୍ତିପ୍ରଦର୍ଶନ କରିିଛନ୍ତି । ଶହ ଶହ ସମର୍ଥକଙ୍କ ସହ ନବୀନ ନିବାସରେ ପହଞ୍ଚିଛନ୍ତି । ଦୁଇ ନେତାଙ୍କ ବିବାଦ ମଧ୍ୟରେ ଫସିଛି ବିଜେଡିର ଭୁବନେଶ୍ୱର ମଧ୍ୟ ରଣନୀତି ।
ରାଜଧାନୀରେ “ଧର୍ମଶାଳା” ଯୁଦ୍ଧ
ଟିକେଟକୁ ନେଇ ଧର୍ମଶାଳା ବିଜେପିରେ ବିସ୍ଫୋରଣ । ବିଜେପି ଟିକେଟ୍ ଆଶାୟୀ ହିମାଂଶୁ ସାହୁଙ୍କ ସମର୍ଥକମାନେ ପ୍ରବଳ ଗଣ୍ଡଗୋଳ କରିଛନ୍ତି । ସ୍ମୃତିରେଖା ପହିଙ୍କୁ ଟିକେଟ୍ ମିଳିବା ପରେ ହିମାଂଶୁଙ୍କ ସମର୍ଥକମାନେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପ୍ରତିବାଦ କରିଥିଲେ । ଟିକେଟ୍ ବଦଳାଇ ହିମାଂଶୁଙ୍କୁ ପ୍ରାର୍ଥୀ ନକଲେ ଚରମ ନିଷ୍ପତ୍ତି ନେବାକୁ ସେମାନେ ଚେତାବନୀ ଦେଇଛନ୍ତି ।
ଅପରାଜିତାଙ୍କ ମନ୍ତବ୍ୟ ଜଗଦେବ ଝଡ
ପ୍ରଶାନ୍ତ ଜଗଦେବ ଖୋର୍ଦ୍ଧାରୁ ପ୍ରାର୍ଥୀ ହେବା ନେଇ ଅପରାଜିତାଙ୍କ ମନ୍ତବ୍ୟ ପାଇଁ ଝଡ । ଖୋର୍ଦ୍ଧା ବିଜେପି ନେତା କାଳୁ ଖଣ୍ଡାୟତ ରାୟଙ୍କ ସମର୍ଥକ ଦଳର ରାଜ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନେକ ସମୟ ଧରି ଚାଲିଥିଲା ହଙ୍ଗାମା । ତେବେ ନାଟକୀୟ ଢଙ୍ଗରେ ସାମନାକୁ ଆସି ଉତ୍ତେଜନାକୁ ଶାନ୍ତ କରିଥିଲେ ପ୍ରଶାନ୍ତ ଜଗଦେବ । କାଳୁ ଖଣ୍ଡାୟତଙ୍କୁ ସେ ସମର୍ଥନ କରିବେ କହିବା ପରେ ଶାନ୍ତ ପଡିଥିଲା ବିରୋଧ ।
ଅସନ୍ତୋଷ ଝାଡିଲେ ଶିଶିର
ଟିକେଟ୍ ନମିଳିବା ପରେ ଦଳ ଉପରେ ଅସନ୍ତୋଷ ଝାଡିଛନ୍ତି କଂଗ୍ରେସ ନେତା ଶିଶିର ଗମାଙ୍ଗ । କଂଗ୍ରେସରେ ଡିଲ୍ ଚାଲିଥିବା ସେ ସିଧାସଳଖ ଅଭିଯୋଗ କରିଛନ୍ତି । ଦଳକୁ ହରାଇବା ପାଇଁ ଜାଣିଶୁଣି ଭିତିରିଆ ଷଡଯନ୍ତ୍ର ଚାଲିଛି । ପରିବାରରୁ କାହାକୁ ବି ଟିକେଟ ନମିଳିବା ପରେ କଂଗ୍ରେସ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଶିଶିର ।
ବିଜେପି ଛାଡି ବିଜେଡି ଗଲେ ଭୃଗୁ
ଟିକେଟ୍ ନମିଳିବାରୁ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର । ଗତଥର ବ୍ରହ୍ମପୁର ଲୋକସଭାରୁ ପ୍ରାର୍ଥୀ ହୋଇଥିଲେ ଭୃଗୁ । ଏଥର ଦଳ ବ୍ରହ୍ମପୁର ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି । ଏହାକୁ ନେଇ ଭୃଗୁ ଅସନ୍ତୁଷ୍ଟ ଥିବା କୁହାଯାଉଛି । ଦଳରେ ଆବଶ୍ୟକତା ନଥିବା କହି ବିଜେପି ଛାଡିଥିଲେ ଭୃଗୁ । ପରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ମିଶୁ ମିଶୁ ବ୍ରହ୍ମପୁର ଲୋକସଭାରୁ ତାଙ୍କୁ ଟିକେଟ୍ ଦେଇଛି ବିଜେଡିା
କେଉଁଠି ଟିକେଟ୍ ଘୋଷଣା ପରେ ବିଦ୍ରୋହ ତ କେଉଁଠି ଟିକେଟ୍ ପାଇବା ପାଇଁ କସରତ । ନିର୍ବାଚନ ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ଚିନ୍ତାର କାରଣ ହେଲେଣି ଅସନ୍ତୁଷ୍ଟ । ଦଳବଦଳ ପରେ ଆମଦାନୀ ନେତାଙ୍କୁ ଟିକେଟ୍ ଦେଲେ, ମୂଳ ନେତା ଖୋଲାଖୋଲି ଅସନ୍ତୁଷ୍ଟ ହେଉଛନ୍ତି । ଦଳ ଛାଡି ଅନ୍ୟ ଦଳରେ ବି ସୁଯୋଗ ଖୋଜୁଛନ୍ତି । ସେଥିପାଇଁ ଏଯାଏଁ କୌଣସି ଦଳ ପୂର୍ଣ୍ଣ ତାଲିକା ଘୋଷଣା କରିପାରିନଥିବା ଚର୍ଚ୍ଚା ହେଉଛି ।

ଭୁବନେଶ୍ୱରରୁ ପ୍ରିୟଦର୍ଶିନୀ ମହାପାତ୍ରଙ୍କ ରିପୋର୍ଟ, ଓଡିଶା ସମ୍ବାଦ

Leave A Reply

Your email address will not be published.