Latest Odisha News

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଭାଷାବିତ ଓ ସାହିତ୍ୟିକମାନଙ୍କ ସହ ଆଲୋଚନା

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଭାଷାବିତ ଓ ସାହିତ୍ୟିକମାନଙ୍କ ସହ ଆଲୋଚନା କରାଯାଇଛି

ଏହି ଆଲୋଚନାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ଐତିହ୍ୟ କ୍ୟାବିନେଟର ନିଷ୍ପତ୍ତି  ଅନୁଯାୟୀ ଏଭଳି ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସହ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ସମସ୍ତ ଭାଷାବିତ ମାନଙ୍କ ଉଦ୍ୟମ ପ୍ରସଂଶନୀୟ ବୋଲି ସେ ଉଲ୍ଲେଖ କରିଥିଲେ ।

ଉକ୍ତ ବୈଠକରେ ସାହିତ୍ୟିକ, ଭାଷାବିତ, ନୃତ୍ୟବିତ ଏବଂ ଭାଷାନୁରାଗୀ ମାନେ ଯୋଗ ଦେଇ ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ମତବ୍ୟକ୍ତ କରିଥିଲେ ।  ଏହି ସମ୍ମିଳନୀ ଅବସରରେ ସମସ୍ତ ଶିକ୍ଷାନୁଷ୍ଠାନରେ ଓଡ଼ିଆ ଅକ୍ଷରକୁ ନେଇ ଝୋଟି ପକାଇବା, ପ୍ରାଚୀନ ସାହିତ୍ୟକୁ ଲୋକାଭିମୁଖୀ କରିବା, ଯୁଗୋପଯୋଗୀ ଓଡ଼ିଆ ପାଠ୍ୟ ପୁସ୍ତକ ପ୍ରଚଳନ,ଶିଶୁ ଲେଖାକୁ ପ୍ରୋତ୍ସାହିତ କରିବା, ଅନ୍ୟଭାଷାର ଉପାଦେୟ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିବା ଉପରେ ସେମାନେ ମତାମତ ଦେଇଥିଲେ । ପାରସ୍ପରିକ ସହଯୋଗରେ ଓଡ଼ିଆ ଭାଷା ଆହୁରି ସମୃଦ୍ଧ ହୋଇପାରିବ ବୋଲି ସେମାନେ ଉଲ୍ଲେଖ କରିବା ସହ ଏଭଳି ସମ୍ମିଳନୀ ଆୟୋଜନ ପାଇଁ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ପରିଶେଷରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.