ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାର ଲାଇନ୍ସ ଉପରେ ୨୨.୨ କୋଟି ଟଙ୍କାର ଜରିମାନା ଲଗାଇଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) । ଗତ ଡିସେମ୍ବର ମାସରେ ବହୁ ସଂଖ୍ୟକ ଉଡ଼ାଣ ବାତିଲ କରିବା ଯୋଗୁଁ ବିମାନ କମ୍ପାନୀ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବହୁ ସଂଖ୍ୟକ ଉଡ଼ାଣ ବାତିଲ କରିବା ଯୋଗୁଁ ଦେଶବ୍ୟାପୀ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।
ଘଣ୍ଟାଘଣ୍ଟା ଧରି ସେଠାରେ ଅଟକି ରହିଥିଲେ। ବିମାନଭଡ଼ା ମୂଲ୍ୟ ମଧ୍ୟ ମାତ୍ରାଧିକ ବୃଦ୍ଧି ପାଇଥିଲା । ଏଥିପାଇଁ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ବିମାନ ଭଡ଼ାର ସର୍ବୋଚ୍ଚ ସୀମା ଘୋଷଣା କରାଯାଇଥିଲା । ଜାରି ଏକ ବିବୃତ୍ତିରେ DGCA କହିଛି ଯେ, ଇଣ୍ଡିଗୋ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଏୟାରଲାଇନ୍ସର ପରିଚାଳନା ବିଫଳତାର ସମୀକ୍ଷା ପରେ କରାଯାଇଛି, ଯାହା ଯାତ୍ରୀ ମାନଙ୍କୁ ବ୍ୟାପକ ଅସୁବିଧାର ସମ୍ମୁଖୀନ କରିଥିଲା । ଦେଶର ସର୍ବବୃହତ ବିମାନ କମ୍ପାନୀ ଉପରେ ୬୮ ଦିନ ପାଇଁ ପ୍ରତିଦିନ ୩ ଲକ୍ଷ ଲେଖାଏ ଜରିମାନା ଲଗାଇଛି, ଏବଂ ଏହା ସହ ଇଣ୍ଡିଗୋ ଉପରେ ୧.୮୦ କୋଟି ଟଙ୍କାର ଜରିମାନା ମଧ୍ୟ କରିଛି । ଏହା କମ୍ପାନୀ ଉପରେ ଲାଗୁ ହୋଇଥିବା ମୋଟ ଜରିମାନା ୨୨.୨ କୋଟିକୁ ପହଞ୍ଚାଇଛି ।
୨୦୨୫ର ଶୀତକାଳୀନ ସୂଚୀ ଏବଂ ନୂତନ ଡ୍ୟୁଟି ସମୟ ସୀମା (FDTL) ନିୟମକୁ ଲାଗୁ କରିବା ପୂର୍ବରୁ କମ୍ପାନୀ ଏହାର ପ୍ରଭାବକୁ ସଠିକ୍ ଭାବେ ଆକଳନ କରିନଥିଲା । ଏହି ଅବହେଳା ଯୋଗୁଁ ପ୍ରାୟ ୧୦ ଦିନ ଧରି ହଜାର ହଜାର ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ଇଣ୍ଡିଗୋକୁ ଭବିଷ୍ୟତରେ ଏହିପରି ଭୁଲ ନକରିବା ପାଇଁ ୫୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରିବାକୁ କୁହାଯାଇଛି। ଏହା ବ୍ୟତୀତ ୬ଟି ନିୟମ ଉଲ୍ଲଂଘନ ପାଇଁ ପୃଥକ ଭାବେ ୧.୮ କୋଟି ଟଙ୍କାର ଅତିରିକ୍ତ ଜରିମାନା କରାଯାଇଛି ।