Latest Odisha News

ନିରବଚ୍ଛିନ୍ନ ସେବା ନାହିଁ, ଶକ୍ତି ବିଭାଗ କହୁଛି ‘ପିପିପି ମୋଡରେ ବିଦ୍ୟୁତ୍ ବିତରଣରେ ଓଡ଼ିଶା ସଫଳ’

ଭୁବନେଶ୍ୱର: ଡହ ଡହ ଖରା, ଘନ ଘନ ବିଦ୍ୟୁତ୍ କାଟ୍ । ତାତିଠୁ ବଳି ଯାଉଛି ବିଦ୍ୟୁତ୍ ଯନ୍ତ୍ରଣା । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଭୁବନେଶ୍ୱରରୁ ବରଗଡ଼, ମାଲକାନଗିରିରୁ ମୟୂରଭଞ୍ଜ ଜଳୁଛି । ତାତି ସହ ଅସହ୍ୟ ଗୁଳୁଗୁଳିରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ୍ ସ୍ଥିତକୁ ଆହୁରି ସଙ୍ଗୀନ କରିଛି ।

ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଅଘୋଷିତ ବିଦ୍ୟୁତ୍ କାଟ ହେଉଛି । କେଉଁଠି ବିଦ୍ୟୁତ୍ ଟ୍ରିପ୍ କରୁଛି ତ ଆଉ କେଉଁଠି ପୋଡ଼ି ଯାଉଛି ଯନ୍ତ୍ରାଂଶ । ଆଉ ବିଦ୍ୟୁତ୍ ବିତରଣକାରୀ ସଂସ୍ଥାକୁ ଫୋନ୍ କଲେ ଉତ୍ତର ମିଳୁଛି, ସେପଟୁ କଟିଛି… ଅପେକ୍ଷା କରନ୍ତୁ ଆସିଯିବ ।

ବାରମ୍ବାର ରାଜ୍ୟରେ ବିଦ୍ୟୁତ୍ କାଟ ହେଉଥିବା ବେଳେ କମ୍ପାନୀ ପାଇଁ ଓକିଲାତି କରୁଥିବା ଶକ୍ତିମନ୍ତ୍ରୀ ପ୍ରତାପ ଦେବ ମାନିଥିଲେ, ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ଦୁର୍ବଳ ରହିଛି । ସରକାରଙ୍କ ପାଖରେ ୪୯ ପ୍ରତିଶତ ଅଂଶଧନ ରହିଥିବା ବେଳେ ଗ୍ରୀଡକୋ ଘରୋଇ କମ୍ପାନୀକୁ ବିଦ୍ୟୁତ୍ ବଣ୍ଟନ କରୁଛି ।

ଏପରିକି ଓଡ଼ିଶା ରାଜ୍ୟ ଇଲେକ୍ଟ୍ରିସିଟି ବୋର୍ଡ ଓ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଗଠନ କରି ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିଥିବା ସରକାର କହୁଛନ୍ତି । ଏଥିସହ ପିପିପି ମୋଡରେ ବିଦ୍ୟୁତ୍ ବିତରଣ ସ୍ୱତନ୍ତ୍ର ଓ ସଫଳ ହୋଇଥିବା ଦାବି କରିଛି ଖୋଦ୍ ଶକ୍ତି ବିଭାଗ ।

ଯେଉଁଠି ଲୋକେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାରେ ଅସନ୍ତୁଷ୍ଟ । ଖୋଦ୍ ରାଜଧାନୀରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ ରହୁନି । ସେଠାରେ ଶକ୍ତି ବିଭାଗ ନିଜ ପିଠି ନିଜେ ଥାପୁଡ଼ାଇ ସାବାସୀ ନେବାକୁ ଚେଷ୍ଟା କରୁଛି । ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଘନ ଘନ ବିଦ୍ୟୁତ୍ କାଟ ହେଉଥିବା ବେଳେ ଘଣ୍ଟାଏରେ ୧୦ରୁ ଅଧିକ ଟ୍ୱିଟ୍ କରି ବାହା ବାହା ସାଉଣ୍ଟିବାକୁ ଚେଷ୍ଟା କରୁଥିବା ଶକ୍ତି ବିଭାଗ ବିଦ୍ୟୁତ୍ ବିତରଣ କମ୍ପାନୀର ସେବା ବିଷୟରେ ଗୋଟିଏ ପଦ ବି ଉଲ୍ଲେଖ କରିନି ।

ବିଦ୍ୟୁତ୍ କାଟକୁ ନେଇ ସବୁଠୁ ଅସନ୍ତୋଷ ଲାଗି ରହିଛି । ଖୋଦ୍ ମୁଖ୍ୟ ଶାସନ ସଚିବ ମଧ୍ୟ କିଛିଦନ ତଳେ ଏହାକୁ ନେଇ ଟ୍ୱିଟ୍ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଭଳି ସ୍ଥିତିରେ ପିପିପି ମୋଡରେ ବିଦ୍ୟୁତ୍ ବିତରଣ କିଭଳି ସଫଳ ହେଲା ବୋଲି ସମସ୍ତେ ଶକ୍ତି ବିଭାଗକୁ ପ୍ରଶ୍ନ କରୁଛନ୍ତି ।

Leave A Reply

Your email address will not be published.