ଚେନ୍ନାଇ: ଆଜି ଥିରୁପାରାକୁଣ୍ଡ୍ରମ ପାହାଡ଼ରେ ଜଳିବ କାର୍ତ୍ତିଗାଇ ଦୀପମ। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଦୀପ ପ୍ରଜ୍ୱଳନ ପ୍ରସ୍ତୁତି ଚୂଡ଼ାନ୍ତ। ‘ଦୀପଥୁନ୍’ରେ ଦୀପ ଜାଳିବାକୁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ। ଆଜି ତାମିଲନାଡ଼ୁର ମଦୁରାଇସ୍ଥିତ ଥିରୁପାରାକୁଣ୍ଡ୍ରମ ପାହାଡ଼ର ‘ଦୀପଥୂଣ’ (Deepathoon) ଠାରେ ପବିତ୍ର କାର୍ତ୍ତିଗାଇ ଦୀପମ ଜଳାଯିବ।
ପୂର୍ବରୁ ନଭେମ୍ବର ୨୪ ତାରିଖରେ ଦୀପଥୂଣରେ ଦୀପ ଜଳାଇବାକୁ କୋର୍ଟ ଅନୁମତି ଦେଇଥିଲେ ମଧ୍ୟ ତାହା ପାଳନ ହୋଇନଥିଲା। ଏନେଇ ଦାଖଲ ହୋଇଥିବା ଅଦାଲତ ଅବମାନନା ମାମଲାର ଶୁଣାଣି କରି ଶୁକ୍ରବାର (ନଭେମ୍ବର ୨୭) ସୁପ୍ରିମକୋର୍ଟ ଆଜି ଦୀପ ଜଳାଇବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ନିର୍ଦ୍ଦେଶକୁ ଅମାନ୍ୟ କରିଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ତାମିଲନାଡ଼ୁ ମୁଖ୍ୟ ଶାସନ ସଚିବ, ଡିଜିପି (DGP) ଏବଂ ମନ୍ଦିର ପ୍ରଶାସନର ଅଧିକାରୀମାନଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତି। ଏହାସହ ମନ୍ଦିରର ଟ୍ରଷ୍ଟି ବୋର୍ଡକୁ ନିଲମ୍ବିତ କରାଯାଇଛି।
ତେବେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଏବଂ ଭକ୍ତମାନଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନାରେ ସହାୟତା କରିବା ପାଇଁ ସମ୍ପୂର୍ଣ୍ଣ ପାହାଡ଼, ମନ୍ଦିର ଏବଂ ନିକଟସ୍ଥ ଦରଘା ଅଞ୍ଚଳର ସୁରକ୍ଷା ଦାୟିତ୍ୱ ସିଆରପିଏଫ୍ (CRPF) କୁ ହସ୍ତାନ୍ତର କରାଯାଇଛି। ପାରମ୍ପରିକ ଭାବେ ଥିରୁପାରାକୁଣ୍ଡ୍ରମ ପାହାଡ଼ର ତଳ ଭାଗରେ ଥିବା ଉଚ୍ଚିପିଲ୍ଲାଇୟାର ମନ୍ଦିର ନିକଟରେ କାର୍ତ୍ତିଗାଇ ଦୀପମ ଜଳାଯାଏ। ତେବେ ପାହାଡ଼ର ଉପର ଭାଗରେ ଥିବା ପ୍ରାଚୀନ ପଥର ସ୍ତମ୍ଭ ‘ଦୀପଥୂଣ’ରେ ଦୀପ ଜଳାଇବାକୁ ନେଇ ଦୀର୍ଘ ଦିନ ଧରି ଆଇନଗତ ବିବାଦ ଲାଗି ରହିଥିଲା।
