Latest Odisha News

BREAKING NEWS

ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା ରାଶି, ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ

ଲାଙ୍ଗିର ଜିଲ୍ଲା ଝରଣୀ ଗାଁର ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା ଓ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏହି ମାମଲାରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଗକୁ ଆସିଛି। ଦିବଂଗତ ମମିତା ମେହରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ମିଳିବ । ସୂଚନା ଅନୁସାରେ, ପରିବାରର ରୋଜଗାରିଆ ଝିଅକୁ ହତ୍ୟା କରାଯାଇଥିବାରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରଶାସନ ନିକଟରେ ଆବେଦନ କରିଥିଲେ ମମିତା ମେହେରଙ୍କ ଭାଇ ବଣ୍ଟି ମେହେର। ଏହି କ୍ରମରେ ଗତ ୧୩ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଅନୁଷ୍ଠିତ ପୀଡ଼ିତ ଯୋଜନା ସହାୟତା କମିଟି ବୈଠକରେ ମମିତାଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଜିଲ୍ଲା ନ୍ୟାୟାଧୀଶ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନୀତିନ କୁଶଳକର, ସିଡିଏମଓ ପ୍ରଦୀପ ଗୁରୁ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ବିଚାରକୁ ନିଆଯାଇଥିବା ମୋଟ ୨୬ଟି ଦରଖାସ୍ତ ମଧ୍ୟରୁ ୧୩ଟି ଦରଖାସ୍ତକୁ ଯୋଗ୍ୟ ବିବେଚନା କରାଯାଇଥିଲା।

ଯେଉଁଥିରେ ମୃତ ମମିତା ମେହେରଙ୍କ ଭାଇ ବଣ୍ଟି ମେହେରଙ୍କ ଆବେଦନ ଯୋଗ୍ୟ ବିବେଚିତ ହେବା ସହ ପରିବାରକୁ ୧୦ଲକ୍ଷ ଟଙ୍କା ଦେବା ପାଇଁ ମଞ୍ଜୁର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ରାଶିରୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଓ ମାମଲାର ବିଚାର ସରିବା ପରେ ଆଉ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ସେପଟେ କିନ୍ତୁ ମମିତା ମେହରଙ୍କ ବଡ଼ ବାପା କୌଶିକ ମେହେର ସହାୟତା ରାଶିକୁ ନେଇ ସନ୍ତୁଷ୍ଟ ନାହାନ୍ତି । କୌଶିକ ମେହେର କହିଛନ୍ତି, ସହାୟତା ରାଶି କମ୍‌ ରହିଛି। ଆଗାମୀ ଦିନରେ ସରକାରଙ୍କ ଅନ୍ୟାନ୍ୟ ଯୋଜନାରେ ମୃତ ମମିତାଙ୍କ ପରିବାରକୁ ସାହାଯ୍ୟ କରାଯାଉ ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବର ୮ ତାରିଖରେ ନିଖୋଜ ହେବା ପରେ ଏନେଇ ମମିତାଙ୍କ ଘର ଲୋକ ଅକ୍ଟୋବର ୧୯ରେ ପୋଲିସରେ ଅଭିଯୋଗ କରିଥିଲେ । ଏହାପରେ ଖୋଳତାଡ ଆରମ୍ଭ କରିଥିଲା ପୋଲିସ ଓ ସଂଦେହ ଘରକୁ ଆସିଥିଲେ ଶିକ୍ଷୟିତ୍ରୀ ମମିତା ମେହେରଙ୍କର ସହଯୋଗୀ ଥିଲେ ଗୋବିନ୍ଦ ସାହୁ । ପରେ ମମିତା ମେହେରଙ୍କୁ ଘରୁ ଡାକି ନେଇ ତାଙ୍କୁ ହତ୍ୟା କରିବା ଏବଂ ପୋଡି ପୋତି ଦେଇଥିବା ତଦନ୍ତରୁ ଜଣା ପଡ଼ିଥିଲା । ଯାହାକୁ ନେଇ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହାପରେ ଗୋବିନ୍ଦ କଣ୍ଟାବାଞ୍ଜି ଜେଲରେ ଥିଲେ । ତେବେ ମୁଖ୍ୟ ଆସାମୀ କୁହାଯାଉଥୁବା ଅଭିଯୁକ୍ତ ଗୋବିନ୍ଦ ସାହୁ, ୨୦ ଡିସେମ୍ବର ୨୦୨୨ରେ କଣ୍ଟାବାଞ୍ଝି ଜେଲରେ ଥିବାବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ତାଙ୍କୁ ଚିକିତ୍ସାଳୟ ନିଆଯାଇଥିଲା ସେଠାରେ ଅଭିଯୁକ୍ତ ଗୋବିନ୍ଦକୁ ଡାକ୍ତର ମୃତ ଘୋଷଣା କରିଥିଲେ। ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜେଲରେ ସଜା କାଟୁଥିଲେ ଅଭିଯୁକ୍ତ ଗୋବିନ୍ଦ। ଜେରା ବେଳେ ପୋଲିସ୍‌ ନିକଟରେ ଶିକ୍ଷୟିତ୍ରୀ ମମିତା ମେହରଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ।

Leave A Reply

Your email address will not be published.