Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] NH ନା ଗହୀର ? ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ଅନୁଗୁଳ: ଆଣ୍ଠୁଏ କାଦୁଅରେ ଯୁବକ ଧରୁଛନ୍ତି ମାଛ । ହେଲେ ଏ କେଉଁ ବିଲ ଗହୀରର ଦୃଶ୍ୟ ନୁହେଁ । ଏ ଚିତ୍ର ହେଉଛି ୫୫ ନମ୍ବର ଜାତୀୟ ରାଜପଥର । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା ଏଭଳି ଶୋଚନୀୟ ହୋଇ ପଡ଼ି ରହିଛି । ଯିଏ ଥରେ ଏହି ବାଟ ଦେଇ ଯାଉଛି, କହୁଛି ଏହା ଅପେକ୍ଷା ବିଲ ଗହୀରରେ ଗାଡ଼ି ଚଲାଇବା ଭଲ । ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଟାଟା, ବିଆରଡି ଓ ଏମସିଏଲ୍ ଭଳି ବଡ଼ ବଡ଼ ଶିଳ୍ପାନୁଷ୍ଠାନ ରହିଛି । ଫଳରେ ଏହି ରାସ୍ତାରେ ଦୈନିକ ହଜାର ହଜାର ଗାଡ଼ି ଚଳାଚଳ କରୁଛି । କିନ୍ତୁ କାହା ନଜର ରାସ୍ତା ଉପରେ ପଡ଼ୁନି । ଲୋକେ ପ୍ରତିଦିନ ହନ୍ତସନ୍ତ ହେଉଛନ୍ତି ।

କାଦୁଅ ପଚ ପଚ ଏହି ଜାତୀୟ ରାଜପଥରେ ଚାଲି କରି ଯିବା ବି କଷ୍ଟଦାୟକ । ବାଇକ୍ ଟିଏ କାଦୁଅରେ ଫସିବାରୁ ତିନି ଜଣ ଠେଲିବା ପରେ ବି ଘୁଞ୍ଚୁନି । ବର୍ଷ ବର୍ଷ ଧରି ଅନୁଗୁଳ ଜିଲ୍ଲାର ବଅଁରପାଳ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ଏଭଳି ଗହୀର ପାଲଟିଛି । ଯେଉଁଠି ରାସ୍ତା କମ କାଦୁଅ ବେଶୀ ଦେଖା ଯାଉଛି । କେବଳ କାଦୁଅ କାହିଁକି ରାସ୍ତା ବଡ଼ ବଡ଼ ଖାଲଖମାରେ ଭର୍ତ୍ତି ହୋଇ ରହିଛି । ଖାଲି ବାଇକ୍ କାହିଁକି ଏ ରାସ୍ତାରେ ବଡ଼ ବଡ଼ ଟ୍ରକ୍ ଯିବାକୁ ବି ଡରୁଛନ୍ତି । କେତେବେଳେ କେଉଁଠି ଖାଲ, କେଉଁଠି ଆଣ୍ଠୁଏ କାଦୁଅ ଥିବ ଜଣାନାହିଁ । କେବଳ ଭଗବାନଙ୍କୁ ଭରସା କରି ଏ ରାସ୍ତାରେ ଗାଡ଼ି ଚଲାଇବା କଥା ।

କାଦୁଅ ପଚ ପଚ ଜାତୀୟ ରାଜପଥରେ ପ୍ରତିଦିନ ଅନେକ ଦୁର୍ଘଟଣା ଘଟୁଥିଲେ ବି ଏଥିପ୍ରତି NHAIର ନିଘା ନାହିଁ । ବିଭିନ୍ନ କମ୍ପାନୀ ଜାତୀୟ ରାଜପଥ କଡ଼ରେ ଗଦାଇ ଥିବା ପାଉଁଶ ବର୍ଷା ଜଳରେ ଭାସି ରାସ୍ତାରେ କାଦୁଅ ସୃଷ୍ଟି କରିଛି । କଟକରୁ ସମ୍ବଲପୁର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ ପ୍ରତିଦିନ ଯାତ୍ରୀଙ୍କ ଜୀବନକୁ ମରଣମୁହଁକୁ ଠେଲି ଦେଉଛି । ଏନେଇ NHAI କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.