Latest Odisha News

BREAKING NEWS

ଖସୁଛି ଟଙ୍କା, ବଢ଼ୁଛି ଦରଦାମ

ନୂଆଦିଲ୍ଲୀ: ସଂକଟରେ ଭାରତୀୟ ଅର୍ଥନୀତି । ମହାମାରୀ କୋଭିଡ୍ ପରେ ମାନ୍ଦାବସ୍ଥାରୁ ମୁକୁଳି ପାରୁନି ଭାରତୀୟ ଅର୍ଥ ବ୍ୟବସ୍ଥା । ଦରବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସିବା ସ୍ଥିତିକୁ ଆହୁରି ସଂକଟ ଆଡ଼କୁ ଟାଣି ନେଉଛି । ଯଦିଓ ମେ ତୁଳନାରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ କମିଛି ତଥାପି ଏହା ଆରବିଆଇର ସର୍ବାଧିକ ସ୍ତର ୬ ପ୍ରତିଶତ ଉପରେ ରହିଛି ।

ଅନ୍ୟପଟେ ଡଲାର ତୁଳନାରେ ହ୍ରାସ ପାଇ ଚାଲିଛି ଟଙ୍କାର ମୂଲ୍ୟ । ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ୮୦କୁ ଖସି ଆସିଥିଲା । ଡଲାର ବଢ଼ୁଥିବାରୁ ଦେଶକୁ ଆମଦାନୀ ହେଉଥିବା ସାମଗ୍ରୀ ଆହୁରି ମହଙ୍ଗା ହେଉଛି । ଫଳରେ ଘରୋଇ ବଜାରରେ ବିଭିନ୍ନ ସାମଗ୍ରୀର ଦର ବଢ଼ୁଛି । କୋଭିଡ୍ ସହ ତାଳ ଦେଇ ସରକାର ଦେଶର ଅର୍ଥନୀତିର ଅଣ୍ଟା ସଳଖିବାକୁ ପ୍ରୟାସ କରୁଛନ୍ତି । କରୋନା ପାଇଁ ଦେଶବାସୀଙ୍କ ରୋଜଗାର ହ୍ରାସ୍ ପାଇଛି । ପୂର୍ବାପେକ୍ଷା ଲୋକେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଦରବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି ।

ଅର୍ଥନୀତି ବିଶେଷଜ୍ଞଙ୍କ ଅନୁସାରେ, କୋଭିଡ୍ ପୂର୍ବରୁ ବି ଦେଶରେ ଦରଦାମ୍ ଚଢ଼ା ଥିଲା । କୋଭିଡ୍ ଯୋଗୁଁ ସପ୍ଲାଏ ଚେନରେ ସମସ୍ୟା ଯୋଗୁଁ ଦରଦାମ ଆହୁରି ବଢ଼ି ଯାଇଛି । ଏହାଛଡ଼ା ୨୦୧୯ରେ ଆରବିଆଇ ଆପଣାଇଥିବା ନୀତିକୁ ଦାୟୀ କରିଛନ୍ତି ଅର୍ଥନୀତିଜ୍ଞ । ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ପାଇଁ ଏବେ ଦରଦାମ ବଢ଼ୁଛି ।

ଦରବୃଦ୍ଧି ବେଳେ ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା । ତେବେ କେବଳ ଭାରତୀୟ ମୁଦ୍ରା ନୁହେଁ ଡଲାର ତୁଳନାରେ ଅନ୍ୟ ଦେଶର ଟଙ୍କା ହ୍ରାସ୍ ପାଉଛି । ତେବେ ଏଥିରୁ ମୁକୁଳିବା ପାଇଁ ଭାରତକୁ ରପ୍ତାନୀ ବଢ଼ାଇ ଡଲାର ଆୟ କରିବା ଆବଶ୍ୟକ ବୋଲି କହିଛନ୍ତି ଅର୍ଥନୀତିଜ୍ଞ ।

Leave A Reply

Your email address will not be published.